ନୂଆଦିଲ୍ଲୀ,୦୨/୭: ପାଖେଇ ଆସୁଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଏନେଇ ଡେମୋକ୍ରାଟିକ ଓ ରିପବ୍ଲିକାନ ପାର୍ଟି ମଧ୍ୟରେ ଆରମ୍ଭ ହୋଇଗଲାଣି ବିବାଦ । ନିକଟରେ କମଳା ହାରିସଙ୍କ ଜାତିଗତ ପରିଚୟକୁ ନେଇ ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପ୍ରଶ୍ନ କରିଥିବା ବେଳେ ଏହାର ଜବାବ ରଖିଛନ୍ତି ଖୋଦ୍ ହାରିସ୍ । ସେ କହିଛନ୍ତି, ମୁଁ ଟ୍ରମ୍ପଙ୍କ ସ୍ବଭାବ ଜାଣିଛି । ତାଙ୍କ ପରି ଅନେକ ଲୋକଙ୍କ ସହ ମୁଁ ଡିଲ କରିଛି । ତେଣୁ ତାଙ୍କ ସ୍ବଭାବ କ’ଣ ତାହା ମୋତେ ଭଲ ଭାବେ ଜଣା ।
ଏଥିସହ ସେ କହିଛନ୍ତି, ଆପଣମାନେ ସମସ୍ତେ ଜାଣିଛନ୍ତି ଉପରାଷ୍ଟ୍ରପତି ହେବା ପୂର୍ବରୁ ମୁଁ ସିନେଟର ଥିଲି। ତା’ପୂର୍ବରୁ ଆଟର୍ଣ୍ଣି ଜେନେରାଲ ଓ ତା’ପୂର୍ବରୁ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ରହିଥିଲି। ତାହା ପୂର୍ବରୁ ମୁଁ କୋର୍ଟ ରୁମ୍ ପ୍ରସିକ୍ୟୁଟର ଭାବେ ମଧ୍ୟ କାମ କରି ସାରିଛି। ତେଣୁ ଏତେ ସବୁ ଦାୟିତ୍ୱ ତୁଲାଇବା ଭିତରେ ମୁଁ ବହୁ ପ୍ରକାର ଅପରାଧିଙ୍କ ସାମନା କରିଛି। ସେଥି ମଧ୍ୟରେ ଏପରି ଅପରାଧି ବି ଅଛନ୍ତି, ଯେଉଁମାନେ ମହିଳାଙ୍କ ଶୋଷଣ କରିଛନ୍ତି, ଲୋକଙ୍କୁ ଠକିଛନ୍ତି । ଏପରି ବହୁ ଲୋକ ଅଛନ୍ତି ଯେଉଁମାନେ ନିଜ ସୁବିଧା ପାଇଁ ନିୟମକୁ ଭାଙ୍ଗିବାକୁ ପଛାଉ ନାହାନ୍ତି।