ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ପୁରୀରେ ଗୁଣ୍ଡାରାଜ୍‌: ବଡ଼ଦାଣ୍ଡରୁ ବେଳାଭୂମି ଯାଏଁ ବଟି ଆଦାୟ, ନଦେଲେ ପଡ଼ୁଛି ରକ୍ତଛିଟା

ପୁରୀ,୨୯/୦୭: ବିଶ୍ୱପ୍ରସିଦ୍ଧ ତୀର୍ଥସ୍ଥଳ ଶ୍ରୀକ୍ଷେତ୍ର । ଧାର୍ମିକ ପର୍ଯ୍ୟଟନ ସହର ଭାବେ ବେଶ୍‌ ପରିଚିତ । ସମସ୍ତ ଲକ୍ଷ୍ୟ ମହାପ୍ରଭୁଙ୍କ ଦର୍ଶନ ଆଉ ବେଳାଭୂମିରେ ଚିତ୍ତ ବିନୋଦନ । ସେଥିପାଇଁ ବର୍ଷସାରା ଦିନରାତି ଶ୍ରୀକ୍ଷେତ୍ରରେ ଯାତ୍ରୀଙ୍କ ଭିଡ଼ । ତେଣୁ ହଜାର ହଜାର ଉଠା ଦୋକାନୀଙ୍କ ପେଟପାଟଣାର ସ୍ଥାନ। ଫୁଟ୍‌ପାଥ୍‌ଠାରୁ  ଆରମ୍ଭ କରି ବଡ଼ ହୋଟେଲ୍‌ ଶିଳ୍ପ ଗଢ଼ି ଉଠିଛି ।  ଏହା ଉପରେ ନଜର ପଡ଼ିଛି ଅସାମାଜିକଙ୍କର । ବଡ଼ଦାଣ୍ଡରୁ ବେଳାଭୂମି ସବୁଠି ଚାଲିଛି ଏହି  ଅସାମାଜିକଙ୍କ ଗୁଣ୍ଡାରାଜ୍‌ । ପୁରୀ ଏବେ ଦାଦାବଟି ଆଦାୟର ଏକ ପେଣ୍ଠସ୍ଥଳ ପାଲଟିଛି । ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି  ଅସାମାଜିକମାନେ। ବଟି ନପାଇଲେ ଆତଙ୍କ ରଚୁଛନ୍ତି । ବ୍ୟବସାୟୀଙ୍କୁ ହାଣି କୋକୁଆ ଭୟ ସୃଷ୍ଟି କରୁଛନ୍ତି । ହକ୍‌ ପରିଶ୍ରମ କରି କ୍ଷତି ସହୁଛନ୍ତି ଛୋଟରୁ ବଡ଼ ବ୍ୟବସାୟୀ ।  

ଗୁଣ୍ଡାଶ୍ରେଣୀଙ୍କ ପାଇଁ ବଡ଼ଦାଣ୍ଡ ପାଲଟିଛି ବେଆଇନ୍‌ ରୋଜଗାରର ଉତ୍ସ । ଅନେକ ଅସାମାଜିକ ବଡ଼ଦାଣ୍ଡର କିଛି କିଛି ସ୍ଥାନକୁ  ନିଜ ଅକ୍ତିଆରରେ ରଖିଛନ୍ତି । ସେଠାରେ ବେପାର କରିବାକୁ ହେଲେ ଏହି ଅସାମାଜିକଙ୍କୁ ପ୍ରତିଦିନ ବଟି ଦେବାକୁ ପଡ଼ୁଛି । ବ୍ୟବସାୟୀ  ବଟି ନଦେଲେ ବେପାର ବନ୍ଦ । ବର୍ଷ ବର୍ଷ  ଧରି ଏହି କାରବାର ଚାଲିଛି । କିନ୍ତୁ ପୁଲିସ ଏଦିଗରେ ଚୁପ୍‌ ରହିଛି ।  

ବଡ଼ଶଙ୍ଖ ପରିବା ମାର୍କେଟ୍‌କୁ ବିଭିନ୍ନ  ଅଞ୍ଚଳରୁ ବ୍ୟବସାୟୀ ଆସୁଛନ୍ତି । ପୌରସଂସ୍ଥାକୁ  ଏହି ବ୍ୟବସାୟୀ ଇଜିରା ଦେଉଥିବା ବେଳେ  ଗୁଣ୍ଡା ଆଦାୟ କରୁଛନ୍ତି ଦାଦାବଟି । ନିୟମିତ  ଭାବେ ବଡ଼ଶଙ୍ଖ ପରିବା ମାର୍କେଟ୍‌ରେ ନିଶାଖୋର ପଶି ବଟି ଆଦାୟ କରୁଥିବା ଦେଖିବାକୁ ମିଳିଛି । ଏହି ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୁଲିସ  ପୂର୍ବରୁ ବହୁ ସଂଖ୍ୟାରେ ନିଶାଖୋରଙ୍କୁ ଗିରଫ କରିଛି । କିନ୍ତୁ ୩ ମାସ ଭିତରେ ଏହି ଦାଦାବଟି  ଆଦାୟ କରୁଥିବା ନିଶାଖୋରଙ୍କ ଗିରଫ ସଂଖ୍ୟା  କମିଛି । ଅନ୍ୟପଟେ ବଡ଼ଶଙ୍ଖରେ ଥିବା ଫଳ  ଦୋକାନୀଙ୍କଠାରୁ ମଧ୍ୟ ବାହୁବଳୀ ବଟି ଆଦାୟ  କରୁଛନ୍ତି । ବଟି ବଦଳରେ ବ୍ୟବସାୟ କରିବାକୁ  ଜାଗା ମିଳୁଥିବା ବେଳେ ବ୍ୟବସାୟୀଙ୍କ ମଧ୍ୟରେ  ଅସନ୍ତୋଷ ପ୍ରକାଶ ପାଉଛି । 

ସୂଚନାଯୋଗ୍ୟ  ଯେ, କିଛିଦିନ ତଳେ ବଡ଼ଶଙ୍ଖଠାରେ ଜଣେ  ଦୋକାନୀଙ୍କୁ ବଟି ମାଗିବା ବେଳେ କିଛି  ବ୍ୟବସାୟୀ ଘେରିଯାଇ ନିସ୍ତୁକ ପିଟିଥିଲେ ।  କିନ୍ତୁ ପୁଲିସ ନପହଞ୍ଚିବାରୁ ଅସାମାଜିକ ଜଣକ  ଖସି ପଳାଇଥିଲା । ସହରର ଅନେକ ବ୍ୟବସାୟିକ  ପ୍ରତିଷ୍ଠାନରୁ ଅସାମାଜିକମାନେ ବଟି ଆଦାୟ  କରୁଥିବା ନଜିର ରହିଛି । ପହିଲି ରଜ ଦିନ  ବଡ଼ଦାଣ୍ଡସ୍ଥିତ ସନ୍ତୋଷୀ ଟେକ୍ସଟାଇଲ୍‌ରେ  ପଶି ବଟି ମାଗିଥିଲେ । ବଟି ନଦେବାରୁ  କର୍ମଚାରୀ ଗୁଡ଼ିଆ ସାହିର ସନ୍ଦୀପ ପାଢ଼ୀ ଓରଫ  ବାପୁ(୨୪)ଙ୍କୁ ଅସାମାଜିକମାନେ ହାଣିଥିଲେ ।  ପୂର୍ବରୁ ସ୍ୱର୍ଗଦ୍ୱାର ନିକଟ ମାଛ ମାର୍କେଟ୍‌ରେ  ଜଣେ ବ୍ୟବସାୟୀଙ୍କୁ ଦାଦାବଟି ପାଇଁ ଗୁଳିମାଡ଼  ହୋଇଥିଲା । ପ୍ରତି ମାସରେ ଛୋଟବଡ଼  ଦୋକାନୀ ଓ ହୋଟେଲ୍‌ ମାଲିକମାନେ ଦାଦାବଟି  ଦେଇ ବ୍ୟବସାୟ କରୁଥିବା ଅଭିଯୋଗ ହୋଇ  ଆସୁଛି ।  

ସହରରେ ଥିବା ବିଭିନ୍ନ ଟ୍ରାଭେଲ୍ସ  ଏଜେଣ୍ଟଙ୍କଠାରୁ ଦାଦାବଟି ଆଦାୟ ଜାରି ରହିଛି ।  ସିଟି ରୋଡସ୍ଥିତ ବିଏନ୍‌ଆର୍‌ ହୋଟେଲ୍‌ ଗଳିର ସତ୍ୟବାନ ବରାଳ ଓରଫ ତେଣ୍ଟେଇକୁ ଗତ  ମାସରେ ଦାଦାବଟି ମାଗି ସ୍ଥାନୀୟ ଅଞ୍ଚଳର କିଛି  ଯୁବକ ଆକ୍ରମଣ କରି ଆହତ କରିଥିଲେ ।  ସେହିପରି ତେଣ୍ଟେଇ ମଧ୍ୟ ବଟି ମାଗି ଦୋକାନ  ଭଙ୍ଗାରୁଜା କରିଥିବା ନେଇ ଉଭୟ ପକ୍ଷରୁ ୨ଟି  ମାମଲା ରୁଜୁ କରିଛି ସମୁଦ୍ର କୂଳ ଥାନା ପୁଲିସ । ବେଳାଭୂମିରେ ନିର୍ଭର କରୁଥିବା ଅନେକ  ଉଠା ଦୋକାନୀ ଓ ଫେରିବାଲା ବଟି ଦେଇ  ବେପାର କରୁଛନ୍ତି । ଏପରିକି ଓଟ ଓ ଘୋଡ଼ା  ଚଳାଇ ପରିବାର ପୋଷୁଥିବା ବ୍ୟବସାୟୀଙ୍କଠାରୁ  ବି ବଟି ନେଉଛନ୍ତି ଅସାମାଜିକ । ବଟି  ନଦେବାରୁ ଗତ ୧୭ ତାରିଖରେ ଏକ ଓଟକୁ  ହତ୍ୟା କରାଯାଇଥିବା ନେଇ ବଳିଆପଣ୍ଡା ଥାନା  ପୁଲିସ ମାମଲା ରୁଜୁ କରିଛି । ପୂର୍ବରୁ ବଟି  ପାଇଁ ଏକ ଘୋଡ଼ାକୁ ହାଣିଥିଲେ ଦୁର୍ବୃତ୍ତ।  

ବ୍ୟବସାୟୀଙ୍କ ମଧ୍ୟରେ ଏଭଳି ଆତଙ୍କ ରଚି  ବଟି ଆଦାୟ କରୁଛନ୍ତି ଅସାମାଜିକ । ସାହି  ବସ୍ତିରେ ବ୍ୟବସାୟ କରୁଥିବା ଛୋଡ଼ବଡ଼  ବ୍ୟବସାୟୀ ମଧ୍ୟ ସ୍ଥାନୀୟ ଗୁଣ୍ଡାଙ୍କୁ ବଟି  ଦେବାକୁ ବାଧ୍ୟ ହେଉଛନ୍ତି । ବଡ଼ଦାଣ୍ଡରୁ  ବେଳାଭୂମି ଯାଏଁ ଖଜା ବ୍ୟବସାୟୀଙ୍କଠାରୁ ବଟି  ଆଦାୟ ହେଉଛି । ବଡ଼ଦାଣ୍ଡରେ ଫେବ୍ରୁଆରୀ  ମାସରେ ତଳନୂଆସାହିର ଖଜା ବ୍ୟବସାୟୀ  ରାଜୁ ବେହେରାଙ୍କୁ ବଟି ମାଗି ଘୋଡ଼ା ନାମକ  ଜଣେ ବ୍ୟକ୍ତି ପିଟିଥିଲା । ଏନେଇ ସିଂହଦ୍ୱାର  ଥାନାରେ ମାମଲା ରୁଜୁ ହୋଇଥିବା ବେଳେ  ଘୋଡ଼ା ଫେରାର୍‌ ରହିଛି । ସେହିପରି ବିଭିନ୍ନ ଅଞ୍ଚଳରେ ଜମି  କିଣୁଥିବା ବ୍ୟକ୍ତିଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି  ଅସାମାଜିକ । ବାହାରୁ ଆସି ପୁରୀରେ ଶେଷ  ଜୀବନ ବିତାଇବାକୁ ଅନେକ ମନସ୍ଥ କରି  ଏଠାରେ ଜମି କିଣି ଘର ନିର୍ମାଣ କରୁଛନ୍ତି ।  ଏପରିକି ହୋଟେଲ୍‌ ନିର୍ମାଣ କରିବାକୁ ମଧ୍ୟ  ଅନେକ ଜମି କିଣୁଛନ୍ତି । ଜମି କିଣିବାକୁ ହେଲେ  ଗୁଣ୍ଡାଙ୍କ ଅନୁମତି ଆବଶ୍ୟକ ହେଉଛି । ଘର  କିମ୍ବା ହୋଟେଲ୍‌ ନିର୍ମାଣ କରିବାକୁ ହେଲେ  ଏହି ଗୁଣ୍ଡା ପ୍ରଥମେ ପହଞ୍ଚି ପତିଆରା ଜାହିର  କରୁଛନ୍ତି । କେହି ଜମି କିଣିବା ନଚେତ୍‌  ନିର୍ମାଣ କାର୍ଯ୍ୟ କରିବା ପୂର୍ବରୁ ବଟି ଦେବାକୁ  ବାଧ୍ୟ ହେଉଛନ୍ତି । 

ସହରର ବିଭିନ୍ନ ଅଞ୍ଚଳରେ  ବାହୁବଳୀମାନେ ବାଲି ଓ ଗୋଡ଼ି ବେପାର  କରୁଛନ୍ତି । ନିର୍ମାଣ କରୁଥିବା ବ୍ୟକ୍ତି ଏହି  ଗୁଣ୍ଡାମାନଙ୍କଠାରୁ ବାଲିଗୋଡ଼ି ନ କିଣିଲେ  କାମ ବନ୍ଦ କରୁଛନ୍ତି ଅସାମାଜିକ । ସହରରେ ବିଭିନ୍ନ ଅଟୋ ଷ୍ଟାଣ୍ଡ୍‌ରୁ ବଟି  ଆଦାୟ କରାଯାଉଛି । ବସ୍‌ଷ୍ଟାଣ୍ଡ୍‌ ହେଉ କି ରେଳ  ଷ୍ଟେସନ୍‌ ସବୁଠି ଚାଲିଛି ଦାଦାବଟି କାରବାର ।  ଏପ୍ରିଲ୍‌ ୫ ତାରିଖରେ ଶ୍ରୀମନ୍ଦିର ପଛପଟ ବାହ୍ୟ  ପରିକ୍ରମା ମାର୍ଗରେ ଏକ ଅଟୋକୁ ହାଣିଥିଲେ  ଦୁର୍ବୃତ୍ତ । ଅଟୋ ଷ୍ଟାଣ୍ଡ୍‌ରେ ବଟି ମାଗି ଏଭଳି  କାଣ୍ଡ ଭିଆଇଥିଲେ । ଅଟୋ ହାଣିବା ସହ  ଏକାଧିକ ଚାଳକଙ୍କୁ ଖଣ୍ଡା ଧରି ଗୋଡ଼ାଇଥିଲା ।  ସେହିଦିନ ଲୋକନାଥ ରୋଡ୍‌ରେ ବୋମାମାଡ଼  କରି ଫେରାର୍‌ ହୋଇଥିଲେ । ଏହି ମାମଲାରେ  ଅଭିଯୁକ୍ତ ମେ ୧୬ ତାରିଖରେ ବନଦୁର୍ଗା ଛକର  ଚିତ୍ତରଞ୍ଜନ ପୁରୋହିତ(୨୬) ଓ ପଣାପ୍ରିୟା  ଲେନ୍‌ର ସନ୍ତୋଷ କୁମାର ମହାନ୍ତି ଓରଫ  କଛୁ(୨୩)କୁ ଜେଲ୍‌ ପଠା ଯାଇଥିଲା । ହେଲେ  ମାମଲାରେ ଆଉ ୩ ଜଣ ଏଯାଏଁ ଗିରଫ  ହୋଇ ନାହାନ୍ତି । 

ସବୁ ପରେ ବି ପୁଲିସ ଦାଦାବଟି  ଆଦାୟକାରୀଙ୍କ ବିରୋଧରେ କଠୋର  କାର୍ଯ୍ୟାନୁଷ୍ଠାନ କରୁନାହିଁ । ପୁଲିସ ନିରବତା  ପଛରେ କିଛି ରହସ୍ୟ ରହୁଥିବା ଆଲୋଚନା  ହେଉଛି । ଜଣେ ଅଟୋ ଚାଳକଙ୍କଠାରୁ ବଟି  ନେଇ ପୂର୍ବରୁ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଥିବା ନଜିର ରହିଛି । ବିଭିନ୍ନ ଅଞ୍ଚଳରେ  ଦାଦାବଟି ଆଦାୟ କରୁଥିବା ଅସାମାଜିକ ଓ  ବାହୁବଳୀଙ୍କ ସହ ବିଭିନ୍ନ ଥାନାର ଅସାଧୁ କର୍ମଚାରୀଙ୍କ ମେଣ୍ଟ ଥିବା ଅଭିଯୋଗ ହେଉଛି ।  ଏହି କ୍ଷେତ୍ରରେ ଏସ୍‌ପିଙ୍କ ହସ୍ତକ୍ଷେପ ଜରୁରୀ  ବୋଲି ବ୍ୟବସାୟୀମାନେ ଦାବି କରିଛନ୍ତି ।  ଶ୍ରୀକ୍ଷେତ୍ର ଭଳି ଧାର୍ମିକ ସହରରେ ଏଭଳି  ଘୃଣ୍ୟ ଦାଦାବଟି ଆଦାୟ ପ୍ରଥାକୁ ବନ୍ଦ କରିବା  ଲାଗି ଦାବି ଜୋର୍‌ ଧରିଛି । ଏନେଇ ଏସ୍‌ପି  ପିନାକ ମିଶ୍ର କହିଛନ୍ତି, ଯିଏ ବି ବଟି ଆଦାୟ  କରୁଛି ସୂଚନା ମିଳିଲେ ସେମାନଙ୍କ ବିରୋଧ  ନିଶ୍ଚିତ କାର୍ଯ୍ୟାନୁଷ୍ଠାନ କରାଯିବ ।

  • PrameyaOdia
  • prameya
  • puri news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.