ପ୍ରମୂଖ ଖବର
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ୟୁରୋ କପ୍ ୨୦୨୪: ସ୍ପେନ୍‌ ଆକ୍ରମଣରେ କ୍ରୋଏସିଆ ଚିତ୍, ୦-୩ ଗୋଲ୍‌ରେ ପରାସ୍ତ

ବର୍ଲିନ,୧୬/୦୬: ୨୦୧୮ ବିଶ୍ୱକପ୍‌ ରନର୍ସ  ଅପ୍‌ ଓ ୨୦୨୨ ବିଶ୍ୱକପ୍‌ରେ ତୃତୀୟ ସ୍ଥାନ ଅଧିକାର କରିଥିବା କ୍ରୋଏସିଆ ଚଳିତ ୟୁରୋ ଚାମ୍ପିଅନସିପ୍‌ ଆରମ୍ଭରୁ ପରାଜୟର ସାମ୍ନା କରିଛି । ଶନିବାର ଅଲିମ୍ପିଆ  ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ଗ୍ରୁପ୍‌-ବି’ର ଏକ ମ୍ୟାଚ୍‌ରେ କ୍ରୋଏସିଆ ୦-୩ ଗୋଲ୍‌ରେ ସ୍ପେନ୍‌ ଠାରୁ ପରାଜିତ ହୋଇଛି । ୟୁରୋ ଇତିହାସରେ ଏହା କ୍ରୋଏସିଆର  ବଡ଼ ପରାଜୟ ରହିଥିଲା । ପୂର୍ବରୁ ୧୯୯୬ ୟୁରୋ  ଚାମ୍ପିଅନ୍‌ସିପରେ ମଧ୍ୟ କ୍ରୋଏସିଆ ୩-୦ ଗୋଲ୍‌ରେ  ପର୍ତ୍ତୁଗାଲ ଠାରୁ ପରାଜିତ ହୋଇଥିଲା ।  

ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ପେନ  ପ୍ରଭାବ ବିସ୍ତାର କରି ଖେଳି ସହଜ ବିଜୟ  ହାସଲ କରିଥିଲା । ୧୬ବର୍ଷୀୟ ଯୁବ ବିସ୍ମୟ  ଲାମିନ ୟମାଲଙ୍କ ଚମତ୍କାର ଡ୍ରିବଲ ଓ ପାସ୍‌  ବିନିମୟ କ୍ରୋଏସିଆ ପରାଜୟର ମୁଖ୍ୟ କାରଣ  ସାଜିଥିଲା । ଦଳଗତ ପ୍ରଦର୍ଶନ ପାଇଁ ପରିଚିତ  ସ୍ପେନ୍‌ ପ୍ରାରମ୍ଭରୁ ସତର୍କତାର ସହ ଖେଳିଥିଲେ  ହେଁ କମ୍‌ ସମୟ ମଧ୍ୟରେ କ୍ରୋଏସିଆର ତ୍ରୁଟି  ପରଖି ନେଇଥିଲା । ୨୯ତମ ମିନିଟ୍‌ରେ ଫାବିଆନ ରୁଇଜଙ୍କ ଏକ ପାସ୍‌କୁ ଆଲଭାରୋ ମୋରାତା  ଗୋଲ୍‌ରେ ପରିଣତ କରିଥିଲେ । ୟୁରୋ  ଚାମ୍ପିଅନସିପ୍‌ରେ ଏହା ମୋରାତାଙ୍କର ସପ୍ତମ ଗୋଲ୍‌ ରହିଥିଲା । ୟୁରୋରେ ପର୍ତ୍ତୁଗାଲ୍‌ର  କ୍ରିଷ୍ଟିଆନୋ ରୋନାଲ୍ଡୋ ସର୍ବାଧିକ ୧୪ଟି  ଗୋଲ୍‌ କରିଥିବାବେଳେ ମାଇକେଲ  ପ୍ଲାଟିନି ୯ଟି ଗୋଲ୍‌ କରି ତାଲିକାର  ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି । 

୩ମିନିଟ୍‌ ମଧ୍ୟରେ ସ୍ପେନ୍‌  ଦ୍ୱିତୀୟ ଗୋଲ୍‌ କରିଥିଲା । ଏଥର  ପେଡ୍ରିଙ୍କ ପାସ୍‌କୁ ରୁଇଜ କ୍ରୋଏସିଆ ଗୋଲ୍‌  ପୋଷ୍ଟରେ ପହଞ୍ଚାଇଥିଲେ । କ୍ରୋଏସିଆ ଉପାୟଶୂନ୍ୟ  ହୋଇ ରକ୍ଷଣାତ୍ମକ ରଣନୀତି ଆପଣେଇଥିଲା । ସ୍ପେନ୍‌କୁ କୌଣସି ଫରକ ପଡ଼ି ନଥିଲା । ପ୍ରଥମାର୍ଦ୍ଧ  ଶେଷ ହେବା ପୂର୍ବରୁ ଲାମିନ ଏକ ସୁଯୋଗ ସୃଷ୍ଟି  କରିଥିଲେ ଏବଂ ଡାନି କାର୍ଭାଜଲ ଏହାକୁ ଗୋଲ୍‌ରେ  ପରିଣତ କରି ଦଳକୁ ୩-୦ରେ ଅଗ୍ରଣୀ କରାଇଥିଲେ ।  

ଦ୍ୱିତୀୟାର୍ଦ୍ଧରେ କ୍ରୋଏସିଆ ଲଢୁଆ ଖେଳ  ପ୍ରଦର୍ଶନ କରି କିଛି ସୁଯୋଗ ସୃଷ୍ଟି କରିଥିଲେ ହେଁ  ସ୍ପେନ୍‌ର ରକ୍ଷଣ ଭାଗ ଭେଦ କରିପାରି ନଥିଲା। ଅନେକ ଖେଳାଳି ଅଦଳ  ବଦଳ ହୋଇଥିଲେ । ତଥାପି ଗୋଲ  ହୋଇ ନଥିଲା । ଶେଷରେ ୮୦ତମ  ମିନିଟ୍‌ରେ ବ୍ରୁନୋ ପେଟକୋଭିକଙ୍କୁ  ସ୍ପେନ ଡିଫେଣ୍ଡର ରୋଡ୍ରି ଫାଉଲ  ମାରିଥିଲେ ଓ କ୍ରୋଏସିଆକୁ ଏକ  ପେନାଲ୍ଟି ମିଳିଥିଲା । ପେଟକୋଭିକଙ୍କ  ପେନାଲ୍ଟି କିକ୍‌କୁ ସ୍ପେନ୍‌ ଗୋଲ କିପର  ଉନାଇ ସିମନ ଅଟକାଇ ଦେଇଥିଲେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.