ପାରାଦୀପ ୧/୧୨: ଜାହାଜରେ ହେଉଥିଲା କୋଟି କୋଟି ଟଙ୍କାର କୋକେନ ଚାଲାଣ । ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ମିଳିଛି ସନ୍ଦେହଜନକ ପ୍ୟାକେଟ । ଗୋଟିଏ କି ଦୁଇଟି ନୁହେଁ ବରଂ ୨୨ ପ୍ୟାକେଟ ନିଶାଦ୍ରବ୍ୟ ମିଳିଥିବା ସୂଚନା ଦେଇଛି କଷ୍ଟମ ବିଭାଗ । ବିଳମ୍ବିତ ରାତିରେ ପୋଲିସ, ସିଆଇଏସଏଫ, ଡଗ୍ ସ୍କ୍ବାଡ ଓ କଷ୍ଟମସ ବିଭାଗ ମିଳିତ ଚଢାଉ କରିବା ପରେ ଏହି ୨୨ଟି ସନ୍ଦେହଜନକ ପ୍ୟାକେଟ ମିଳିଥିଲା । ଷ୍ଟିଲ ପ୍ଲେଟ ଆଣି ଆସିଥିବା ଏମଭି ଦେବୀ ନାମକ ଏହି ଜାହାଜରୁ ଏହି ସନ୍ଦିଗ୍ଧ ପ୍ୟାକେଟ ମିଳିଛି । ତେବେ ପ୍ୟାକଟରେ କିଛି ପାଉଡର ଭଳି ସାମଗ୍ରୀ ଥିବା କୁହାଯାଉଥିଲା, ଆଉ ଯାଞ୍ଚ ପରେ ସ୍ପଷ୍ଟ ହୋଇଛି ଯେ, ଏଥିରେ ଡ୍ରଗ୍ସ କୋକେନ ରହିଛି । ଜବତ କୋକେନର ମୂଲ୍ୟ ୨୨୦ କୋଟି ଟଙ୍କା । ଜବତ ସାମଗ୍ରୀର ଯାଂଚ ପାଇଁ ଭୁବନେଶ୍ବରରୁ କଷ୍ଟମ ବିଭାଗର ବରିଷ୍ଠ ଅଧିକାରୀ ମାନେ ଡ୍ରଗ ଟେଷ୍ଟିଂ କିଟ୍ ନେଇ ପାରାଦୀପ ଯାଇଛନ୍ତି । ଇଣ୍ଡୋନେସିଆର ଗ୍ରେସିକ ବନ୍ଦରରୁ ଏହି ଜାହାଜ ଆସିଥିଲା । ଗତକାଲି ପାରାଦୀପ୍ ପୋର୍ଟରେ ପହଞ୍ଚିଥିଲା ଜାହାଜ । ଏହା ପାରାଦୀପରୁ ଡେନମାର୍କ ଅଭିମୁଖେ ଯାଇଥାନ୍ତା ।