ନୂଆଦିଲ୍ଲୀ ୧୩/୦୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଅତ୍ୟାଧୁନିକ ଟେକ୍ନୋଲୋଜି ଯୁଗରେ ଲୋକପ୍ରିୟତା ବଜାୟ ରଖିଛି ରେଡିଓ । ଏକଦା ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଭାବେ ପରିଚିତ ରେଡିଓ ଏବେ ନୂଆ ରୂପ ଓ ନୂଆ ରଙ୍ଗରେ ଶ୍ରୋତାଙ୍କ ମନ କିଣୁଛି । ଅନ୍ୟ ବୈଦ୍ୟୁତିକ ଗଣମାଧ୍ୟମ ତୁଳନାରେ ସବୁ ପରିସ୍ଥିତିରେ ଓ ସବୁ ସ୍ଥାନରେ ପହଞ୍ଚି ଅଗଣିତ ଶ୍ରୋତାଙ୍କ ବିଶ୍ୱାସଭାଜନ ହୋଇପାରିଛି । ଚାଷୀ, ମୂଲିଆ, ମଜୁରିଆ ଶ୍ରେଣୀର ଲୋକଙ୍କ ପାଇଁ ରେଡିଓ ମନୋରଞ୍ଜନର ଏକ ମୁଖ୍ୟ ମାଧ୍ୟମ । ପରମ୍ପରା ସହିତ ଏହା ଯୋଡ଼ିହୋଇ ରହିଛି ।
ବିନା ବିଜୁଳିରେ ଚାଲୁଥିବାରୁ ବିପର୍ଯ୍ୟୟ ସମୟରେ ଏହାର ଆବଶ୍ୟକତା ବଢ଼ିଯାଏ । ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍, ଟିଭି, ମୋବାଇଲ ଫେଲ୍ ମାରୁଥିବାବେଳେ ରେଡିଓ ଶ୍ରୋତାଙ୍କ ସହ ଯୋଗାଯୋଗ ବଜାୟ ରଖିଛି । କମ୍ୟୁନିଟି ରେଡିଓର ଆଦର ଏବେ ବଢ଼ିଛି । ସ୍ପାନିଶ୍ ରେଡିଓ ଏକାଡେମୀର ପ୍ରସ୍ତାବ ଏବଂ ଜାତିସଂଘର ଅନୁମୋଦନ କ୍ରମେ ୨୦୧୨ରୁ ପ୍ରତିବର୍ଷ ଫେବ୍ରୁଆରୀ ୧୩ ତିରିଖ ବିଶ୍ୱ ରେଡିଓ ଦିବସ ପାଳନ କରାଯାଉଛି ।