ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହରଜାସ୍‌ ସିଂହ କିଏ ? U-19 ବିଶ୍ବକପ୍ ଫାଇନାଲର ହିରୋ, ଭାରତୀୟ ଟିମ୍‌କୁ ପରାସ୍ତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ଚଣ୍ଡିଗଡ଼ ବ୍ୟାଟର

Image Courtesy: crickettimes

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ବକପରେ ଭାରତୀୟ ଟିମ୍‌କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ସିନିୟର ଟିମ୍‌ ଭଳି ଜୁନିୟର ଟିମ୍‌ ମଧ୍ୟ ଅଷ୍ଟ୍ରେଲିଆ ପାଖରୁ ପରାସ୍ତ ହୋଇଛି । ହେଲେ ୟୁ-୧୯ ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଟିମ୍ ଉପରେ ଭାରୀ ପଡ଼ିଥିଲେ ଜଣେ ଭାରତୀୟ ବ୍ୟାଟର । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।  ଚଣ୍ଡିଗଡ଼ ସହ ସଂପର୍କିତ ହରଜାସ୍‌ ସିଂହ ଏକାକୀ ଭାରତ ବିପକ୍ଷରେ ୫୫ ରନ୍ ସ୍କୋର କରିବା ପରେ ଅଷ୍ଟ୍ରେଲିଆ ୨୫୩ ରନ୍‌ କରିବାରେ ସମର୍ଥ ହୋଇଥିଲା । 

ହରଜାସ ୬୪ ବଲ୍‌ରୁ ୫୫ ରନ୍ କରିଥିବା ବେଳେ ଓପନର ହାରି ଡିକ୍ସନ (୪୨), ହଗ ଓ୍ବେବଗେନ୍‌ (୪୮) ଏବଂ ଓଲିଭର ପିକ୍‌ଙ୍କ ଅପରାଜିତ ୪୬ ରନ୍‌ ବଳରେ ଅଷ୍ଟ୍ରେଲିଆର ଜୁନିୟର ଟିମ୍‌ ବଡ଼ ସ୍କୋର କରିଥିଲା । ହରଜାସ୍‌ ସିଂହ ଟୁର୍ଣ୍ଣାମେଣ୍ଟରେ ୬ ମ୍ୟାଚ୍‌ରେ ମୋଟ ୪୯ ରନ୍‌ କରିଥିବା ବେଳେ ଫାଇନାଲ ମ୍ୟାଚ୍‌ରେ ସ୍ମରଣୀୟ ଇନିଂସ ଖେଳି ସମସ୍ତଙ୍କୁ ଚକିତ କରିଥିଲେ । କଙ୍ଗାରୁ ଟିମ୍‌ ୯୯ ରନ୍‌ରେ ୩ ଓ୍ବିକେଟ ହରାଇଥିବା ବେଳେ ହରଜାସ୍‌ ସିଂହ ଏକାକୀ ଦଳକୁ ମଜବୁତ ସ୍ଥିତିକୁ ନେଇଥିଲେ । 

ଭାରତୀୟ ଟିମକୁ ପରାସ୍ତ ହେବାକୁ ବାଧ୍ୟ କରିଥିବା ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ସଂପର୍କରେ କହିବାକୁ ଗଲେ ସେ ୨୦୦୫ରେ ସିଡନୀରେ ଜନ୍ମଗ୍ରହଣ କରିଥିଲେ । ହରଜାସ୍‌ ସିଂହ ଜନ୍ମ ହେବାର ୫ ବର୍ଷ ପୂର୍ବରୁ ତାଙ୍କ ବାପା-ମା ପଞ୍ଜାବର ଚଣ୍ଡିଗଡ଼ରୁ ଅଷ୍ଟ୍ରେଲିଆ ଚାଲିଯାଇଥିଲେ । ତାଙ୍କର ଛୋଟ ବେଳୁ କ୍ରିକେଟ ପ୍ରତି ଦୁର୍ବଳତା ଥିଲା । ମାତ୍ର ୮ ବର୍ଷ ବୟସରେ ହରଜାସ୍‌ ସିଂହ ଲୋକପ୍ରିୟ କ୍ରିକେଟ କ୍ଲବରେ ସାମିଲ ହୋଇଥିଲେ । ତାପରେ ଓ୍ବେଷ୍ଟଫିଲ୍ମ ସ୍ପୋର୍ଟସ ହାଇସ୍କୁଲ ପକ୍ଷରୁ କ୍ରିକେଟ ଖେଳିଥିଲେ ହରଜାସ୍‌ ସିଂହ ।  

ସବୁଠୁ ବଡ଼ କଥା ହେଉଛି ହରଜାସ୍‌ ସିଂହଙ୍କ ରକ୍ତରେ ଖେଳ ପାଇଁ ଭଲ ପାଇବା ରହିଛି । କାରଣ ତାଙ୍କ ବାପା-ମା ଦୁଇ ଜଣ ଜଣେ ଖେଳ ଜଗତ ସହ ଜଡ଼ିତ । ହରଜାସ୍‌ ସିଂହଙ୍କ ବାପା ଇନ୍ଦ୍ରଜିତ ପଞ୍ଜାବ ରାଜ୍ୟ ବକ୍ସିଂ ଚାମ୍ପିୟନ୍‌ ଥିଲେ । ତାଙ୍କ ମା ଅବିନ୍ଦର କୌର ରାଜ୍ୟ ସ୍ତରୀୟ ‘ଲଙ୍ଗ ଜମ୍ପର’ (ଲମ୍ବ ଡିଆଁ) ଥିଲେ । ସେପଟେ ବିଶ୍ବକପ ଆରମ୍ଭ ହେବା ପୂର୍ବରୁ ତାଙ୍କ ପରିବାର ସଂପର୍କରେ ଖୁଲାସା କରିବା ସହ ଶେଷ ଥର ଲାଗି ୨୦୧୫ରେ ସେ ଭାରତ ଆସିଥିଲେ ବୋଲି ହରଜାସ୍‌ ସିଂହ କହିଥିଲେ । ତାଙ୍କର ଜଣେ ଦାଦା ଏବେ ବି ପଞ୍ଜାବରେ ରହୁଛନ୍ତି ବୋଲି ହରଜାସ୍‌ ସିଂହ କହିଥିଲେ ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.