ଭଞ୍ଜନଗର,୨୭/୧୧: ସୋରଡ଼ା ବିଧାନସଭା ଆସନରେ ନୂଆ ରାଜନୈତିକ ସମୀକରଣ ଆଭାସ ମିଳୁଛି । କିଛିଦିନ ତଳେ ବିଜେପି ବ୍ଲକ ଘେରାଉ କାର୍ଯ୍ୟକ୍ରମର ମାତ୍ର ୧୨ ଘଣ୍ଟା ବ୍ୟବଧାନରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଶକ୍ତି ପ୍ରଦର୍ଶନ କରିଥିଲେ । ବିଜେଡି ନେତା ଓ କର୍ମୀମାନେ ବିରାଟ ପଟୁଆରେ ସୋରଡ଼ା ସହର ପରିକ୍ରମା କରିଥିଲେ । ଏକ ଖୋଲା ଜିପ୍ରେ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ସହ ବିଧାୟକ ସ୍ୱାଇଁ ଓ ପତ୍ନୀ ତଥା ସୋରଡ଼ା ଏନ୍ଏସିର ପୂର୍ବତନ ନଗରପାଳ ସଂଘମିତ୍ରା ସ୍ୱାଇଁଙ୍କ ସହିତ ନଗର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା । ଏଥିରେ ବର୍ତ୍ତମାନର ନଗରପାଳଙ୍କ ସହ ବ୍ଲକ ବିଜେଡି ସଭାପତି ରହିଥିଲେ । ଦୀର୍ଘବର୍ଷ ପରେ ପତ୍ନୀଙ୍କୁ ପୁଣି ରାଜନୀତି ମଇଦାନକୁ ଆଣିବା ଘଟଣା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଲଗାତର ୩ ଥର ବିଜୟୀ ହେଲେଣି । ଲଗାତାର ୩ଟି ନିର୍ବାଚନ ଜିଣିବାରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସୋରଡ଼ା ନିର୍ବାଚନମଣ୍ଡଳୀରେ ପ୍ରଥମ । ଏହା ପୂର୍ବରୁ ଧରାକୋଟ ରାଜାସାହେବ ଅନନ୍ତ ନାରାୟଣ ସିଂହଦେଓ ୪ ଥର ଜିଣିଥିଲେ ମଧ୍ୟ କ୍ରମାଗତ ଭାବେ ବିଜୟୀ ହେବା ବିଧାୟକ ସ୍ୱାଇଁ କେବଳ ଜଣେ ।
ଏବେ ରାଜ୍ୟ ସରକାର ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି । ସଂସଦରେ ମହିଳା ସଂରକ୍ଷଣ ବିଲ୍କୁ ବିଜେଡି ସରକାର ପୂର୍ଣ୍ଣ ସମର୍ଥନ ଜଣାଇଛି । ଆସନ୍ତା ନିର୍ବାଚନରେ ମହିଳା ସଂରକ୍ଷଣ ଲାଗୁ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଥିଲେ ମଧ୍ୟ ବିଜେଡି ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖି ବିରୋଧୀଙ୍କୁ ଏକ ମାଷ୍ଟର ଷ୍ଟ୍ରୋକ୍ ଦେବାକୁ ଯୋଜନା କରିଥିବା କୁହାଯାଉଛି । ଏହାକୁ ନଜରରେ ରଖି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପତ୍ନୀ ତଥା ପୂର୍ବତନ ନଗରପାଳ ସଂଘମିତ୍ରା ସ୍ୱାଇଁଙ୍କୁ ପ୍ରୋଜେକ୍ଟ୍ କରୁଥିବା କୁହାଯାଉଛି । ଯଦି ସୋରଡ଼ା ଆସନରେ ମହିଳାଙ୍କୁ ଠିଆ କରିବାକୁ ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ଇଛା କରନ୍ତି, ତେବେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କର ବିକଳ୍ପ ଭାବେ ପତ୍ନୀ ସଂଘମିତ୍ରା ପାଇଁ ଲବି କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । ତେଣୁ ସୋରଡ଼ାରେ ବିଭିନ୍ନ ଦଳୀୟ ସଭା ସମିତିରେ ବିଧାୟକ ସ୍ୱାଇଁଙ୍କୁ ପତ୍ନୀଙ୍କ ସହ ଦେଖିବାକୁ ମିଳୁଛନ୍ତି । ପତ୍ନୀ ସଂଘମିତ୍ରା ପୂର୍ବରୁ ସେ ସୋରଡ଼ା ଏନ୍ଏସିର ନଗରପାଳ ଭାବେ ୫ ବର୍ଷ ଦକ୍ଷତାର ସହ ଦାୟିତ୍ୱ ତୁଲାଇ ପରିଚିତ ହୋଇଛନ୍ତି । ଏଣୁ ଯଦି ବିଧାୟକଙ୍କ ବଦଳରେ ତାଙ୍କ ପତ୍ନୀଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ଟିକେଟ ଦିଆଯାଏ ତେବେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବ ନାହିଁ ।
ସୋରଡ଼ା ବିଧାନସଭା ଆସନରେ ବିଜେପି ପ୍ରଥମେ ଜିଲ୍ଲା ଖାତା ଖୋଲିଥିଲା । ୧୯୯୫ରେ ଅନନ୍ତ ନାରାୟଣ ସିଂହଦେଓ ଓ ୨୦୦୪ରେ ପୁଅ କିଶୋର ସିଂହଦେଓ ବିଜେପି ଟିକେଟରେ ନିର୍ବାଚନ ଜିଣିଥିଲେ । କିଶୋର ସିଂହଦେଓଙ୍କ ଅବର୍ତ୍ତମାନରେ ପୂର୍ଣ୍ଣ ଲଗାତାର ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ସୋରଡ଼ା ଆସନ କରାୟତ୍ତ କରି ବିଜେଡି ସଂଗଠନ ସୁଦୃଢ଼ କରିଛନ୍ତି । ବ୍ଲକ୍ ଓ ପଞ୍ଚାୟତ ସମେତ ଏନ୍ଏସି ଦଖଲ କରି ବିରୋଧୀ କଂଗ୍ରେସ ଓ ବିଜେପିକୁ ନିରାପଦ ଦୂରରେ ରଖିବା ସକ୍ଷମ ହୋଇଛନ୍ତି ।