ବାରଙ୍ଗ, ୧୨/୦୨: ବଡ଼ ହଟହଟା କରୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଟୟ ଟ୍ରେନ୍ । ବେଶ୍ କିଛିଦିନ ଅନାୟସରେ ଚାଲୁଛି ତ ଆଉ କିଛିଦିନ ଅଚଳ ରହୁଛି । ଏମିତି ସମସ୍ୟା ବାରମ୍ବାର ହେବାରୁ ପର୍ଯ୍ୟଟକଙ୍କ ମନରେ ନିରାଶାର କଳାବାଦଲ ଘୋଟିଗଲାଣି । ବନ୍ଦ ହେବା ଓ ଚାଲିବା ପୁଣି ମରାମତି ପରେ ସମସ୍ୟାରେ ଛନ୍ଦି ହେବା ଏହାର ଜନ୍ମଗତ ତ୍ରୁଟିରେ ପରିଣତ ହେଲାଣି । ଗତ ଜାନୁୟାରୀ ୨୫ ତାରିଖ ଠାରୁ ଏହି ଟୟ ଟ୍ରେନ୍ ବନ୍ଦ ହୋଇପଡ଼ିରହିଛି ।
ଏଥିରେ ଲାଗିଥିବା ୫୫ଟି ବ୍ୟାଟେରି ଯାହାର ଆନୁମାନିକ ମୁଲ୍ୟ ୧୦ ଲକ୍ଷ ଟଙ୍କା ହେବ ତାହା ସମ୍ପୁର୍ଣ୍ଣ ଭାବରେ ନଷ୍ଟ ହେବା ଯୋଗୁଁ ବନ୍ଦ ପଡ଼ିଥିବା ଏକ ସୂତ୍ରରୁ ସୂଚନା ମିଳିଛି । ଟ୍ରେନ ଓ ଟ୍ରାକ୍ର ଜରୁରିକାଳୀନ ମରାମତି ଚାଲିଥିବା କର୍ତ୍ତୃପକ୍ଷ କହିଛନ୍ତି । ଏହାର କାର୍ଯ୍ୟ କେବେ ସରିବ ତାର ମଧ୍ୟ କିଛି ସୂଚନା ଦେଇପାରୁନାହାନ୍ତି । ଯାହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି । ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସି ଶିଶୁ ରେଳଗାଡ଼ିରେ ବୁଲି ନପାରି ନିରାଶ ହୋଇ ଫେରୁଛନ୍ତି ।
ଶିଶୁ ରେଳଗାଡ଼ି ନିର୍ମାଣରେ ୫କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ୨୭ ମାସରେ ବହୁବାର ଯାନ୍ତ୍ରିକ ତ୍ରୁଟି ଦେଖାଦେଇ ବନ୍ଦ ହୋଇ ରହୁଛି । ସେଥିପାଇଁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଯାହା ଲୋକ ଲେଚନକୁ ଆସିପାରୁ ନାହିଁ । ଟଙ୍କା ଖର୍ଚ୍ଚ ହେବା ସହିତ ନିର୍ମାଣରେ ବିଳମ୍ବ ହେବାରୁ ପ୍ରତ୍ୟେକ ଦିନ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି । ତେଣୁ ଶିଶୁ ରେଳଗାଡ଼ିକୁ ଶୀଘ୍ର ଚଲାଇବା ସହିତ ଏହାର ଏକ ଉଚ୍ଚସ୍ତରୀୟ ଚଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।