ନୂଆଦିଲ୍ଲୀ,୧୩/୦୨: ଦେଶର ଅନ୍ୟତମ ଅଗ୍ରଣୀ କାର ନିର୍ମାତା ମାରୁତି ଏବେ ଆକାଶରେ ଉଡ଼ିବାକୁ ପ୍ରସ୍ତୁତ ହୋଇଗଲାଣି । ନିଜର ଜାପାନିଜ୍ ମୂଳ କମ୍ପାନି ସୁଜୁକି ସହ ମିଶି ଏହା ଇଲେକ୍ଟ୍ରିକ୍ ଏୟାର୍ କପ୍ଟର ଆଣିବା ପାଇଁ ଯୋଜନା କରୁଛି ।
ରିପୋର୍ଟ ଅନୁସାରେ, ଏହି ଇଲେକ୍ଟ୍ରିକ୍ ଏୟାର୍ କପ୍ଟର ଡ୍ରୋନ୍ଠାରୁ ବଡ଼ ହେବ କିନ୍ତୁ ପାରମ୍ପରିକ ହେଲିକପ୍ଟର ତୁଳନାରେ ଛୋଟ ରହିବ । ପାଇଲଟ୍ ସମେତ ଏହା ୩ ଜଣ ଯାତ୍ରୀଙ୍କୁ ନେଇ ଉଡ଼ିପାରିବ । ନୂଆ ମୋବିଲିଟି ସଲ୍ୟୁସନ୍ସ କ୍ଷେତ୍ରରେ ନେତୃତ୍ୱ ନେବାକୁ କମ୍ପାନି ଲକ୍ଷ୍ୟ ରଖିଛି । ପ୍ରାଥମିକ ଭାବେ କମ୍ପାନି ଜାପାନ ଏବଂ ଆମେରିକାରେ ଗ୍ରାହକଙ୍କୁ ଏହି ନୂତନ ମୋବିଲିଟି ସଲ୍ୟୁସନ ପ୍ରଦାନ କରିବ । ଏହାପରେ ଭାରତକୁ ସେବା ସମ୍ପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି । ସଡ଼କରେ ଉବର ଏବଂ ଓଲା କାର୍ ଭଳି ଏହି ଏୟାର୍ ଟ୍ୟାକ୍ସି ପରିବହନ କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
ମାରୁତି କେବଳ ଭାରତ ବଜାରରେ ବିକ୍ରି କରିବା ପାଇଁ ଇଚ୍ଛୁକ ନୁହେଁ, ଏହା ମଧ୍ୟ ଉତ୍ପାଦନ ଖର୍ଚ୍ଚ କମାଇବା ପାଇଁ ଏଠାରେ ଏୟାର୍ କପ୍ଟର ତିଆରି କରିବା ପାଇଁ ବିଚାର କରୁଛି । ସୁଜୁକି ମୋଟରର ସହାୟକ ପ୍ରବନ୍ଧକ(ଅଟୋମୋବାଇଲ ପ୍ରଡକ୍ଟ ପ୍ଲାନିଂ ଗ୍ରୁପ୍, ଗ୍ଲୋବାଲ ଅଟୋମୋବାଇଲ ପ୍ଲାନିଂ ବିଭାଗ) କେଣ୍ଟୋ ଓଗୁରା କୁହନ୍ତି, କମ୍ପାନି ଏବେ ଏହି ଏୟାର୍ କପ୍ଟରକୁ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ସହ ଆଲୋଚନା କରୁଛି । ଏହାକୁ ବାସ୍ତବରେ ପରିଣତ କରିବା ପାଇଁ କମ୍ପାନି ଫିଜିବିଲିଟି ଷ୍ଟଡି କରୁଛି ।
ମାରୁତି ସୁଜୁକିର ଇଲେକ୍ଟ୍ରିକ୍ ଏୟାର୍ କପ୍ଟରର ନା’ ‘ସ୍କାଏଡ୍ରାଇଭ୍’ ରହିବ । ୧୨ ୟୁନିଟ୍ ମୋଟର ଏବଂ ରୋଟର୍ସ ସହ ଆସିବାକୁ ଥିବା ଏହି ଏୟାର୍ କପ୍ଟରକୁ ୨୦୨୫ରେ ଜାପାନର ଓସାକା ଏକ୍ସପୋରେ ପ୍ରଦର୍ଶିତ କରାଯାଇପାରେ । ପ୍ରଥମେ ଜାପାନ ଏବଂ ଆମେରିକାରେ ଏହାକୁ ବିକ୍ରି କରାଯିବ ଓ ପରେ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଜରିଆରେ ଏହି ଟେକ୍ନୋଲୋଜିକୁ ଭାରତକୁ ଆଣିବାକୁ ଯୋଜନା ରହିଛି ।
ଭାରତରେ ସମ୍ଭାବ୍ୟ ଗ୍ରାହକ ଏବଂ ପାର୍ଟନର ଚିହ୍ନଟ କରିବା ପାଇଁ କମ୍ପାନି ବର୍ତ୍ତମାନ ବଜାର ସର୍ଭେ କରୁଛି । ଭାରତରେ ସଫଳ ହେବା ପାଇଁ ଏୟାର୍ କପ୍ଟରର ଦର ସୁଲଭ ରହିବା ଦରକାର ବୋଲି କେଣ୍ଟୋ ଓଗୁରା ପ୍ରକାଶ କରିଛନ୍ତି । ଏୟାର୍ କପ୍ଟରର ଉଠାଣ କ୍ଷମତା ୧.୪ ଟନ୍ ରହିବ । ପାରମ୍ପରିକ ହେଲିକପ୍ଟର ଓଜନର ଏହା ପ୍ରାୟ ଅଧା ରହିବ । କମ୍ ଓଜନ ହେତୁ ଏହା ବିଲ୍ଡିଂ ଛାତରେ ଟେକ୍-ଅଫ୍ ଏବଂ ଲ୍ୟାଣ୍ଡିଂ କରିପାରିବ । ଇଲେକ୍ଟ୍ରିକ୍ ହୋଇଥିବାରୁ ଏହାର ପାର୍ଟସ ସଂଖ୍ୟା କମ୍ ରହିବ ।