ନୂଆଦିଲ୍ଲୀ, ୦୨/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ବିଜେପି ବୈଠକରେ ଲୋକସଭା ନିର୍ବାଚନ ଲାଗି ୧୦୦ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ଚର୍ଚ୍ଚା ହେଉଛି । କିଛି ଦନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ । ଏହି ତାଲିକାରେ ମୋଦି ବାରାଣସୀରୁ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରରୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୌରୁ ପ୍ରାର୍ଥୀ ହେବା ନେଇ ଫୋକସ୍ କରାଯାଇଥିବାବେଳେ ୨୦୧୯ରେ ଅଳ୍ପ ଭୋଟ ବ୍ୟବଧାନରେ ହାତରୁ ଯାଇଥିବା ଆସନଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଛି । ବିଳମ୍ବିତ ରାତିରେ ୪ ଘଣ୍ଟା ଧରି ବସିଥିବା ଏହି ବୈଠକରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ଆସାମ, କେରଳ, ତେଲଙ୍ଗାନା ପ୍ରମୁଖ ରାଜ୍ୟକୁ ବିଜେପି ଫୋକସ୍ କରିଛି । ବୈଠକରେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, ଶାହ, ରାଜନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନା ଅନୁସାରେ, ଆସନ୍ତା ଏପ୍ରିଲ-ମେ’ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଏବେ ରାଜ୍ୟସଭାରେ ଥିବା କେତେକ ପ୍ରମୁଖ ନେତା ଲୋକସଭା ନିର୍ବାଚନ ଲଢ଼ିପାରନ୍ତି । କେନ୍ଦ୍ରମନ୍ତ୍ରୀ ଭୂପେନ୍ଦର ଯାଦବ, ନିର୍ମଳା ସୀତାରମଣ, ସର୍ବାନନ୍ଦ ସୋନୋୱାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ପ୍ରମୁଖ ରାଜ୍ୟସଭା ସାଂସଦ ଏହି ତାଲିକାରେ ରହିଛନ୍ତି । ଏଥିସହ ବିଜେପି କେତେକ ପ୍ରମୁଖ ନୂଆ ଚେହେରା ଏବଂ ମହିଳାଙ୍କୁ ସିଧାସଳଖ ଲୋକସଭା ଟିକେଟ ଦେବାକୁ ନିଷ୍ପତ୍ତି ନେଇଛି । ଉଦାହରଣ ଭାବେ ବିଜେପି ଭୋଜପୁରୀ ଷ୍ଟାର ପୱନ ସିଂଙ୍କୁ ପଶ୍ଚିମବଙ୍ଗର ଆସାନସୋଲ ଟିକେଟ ଦେଇପାରେ । ପ୍ରାର୍ଥୀ ତାଲିକା ପ୍ରସ୍ତୁତି ପାଇଁ ବିଜେପି ଜୋରଦାର କସରତ ଚଳାଇଛି । ନମୋ ଆପ୍ ଏବଂ ଅନ୍ୟ ମାଧ୍ୟମରେ ଦଳ ଜନମତ ସଂଗ୍ରହ ମଧ୍ୟ କରୁଛି । ସେମାନଙ୍କ ନିଜ ନିଜ ଅଞ୍ଚଳରେ କେଉଁ ନେତାଙ୍କୁ ଲୋକେ ଚାହୁଁଛନ୍ତି ତାହା ଜଣାଇବାକୁ ବିଜେପି ଅପିଲ କରିଛି । ଏଥିସହ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ସାଂସଦମାନେ କରିଥିବା କାମର ରିପୋର୍ଟ ମଧ୍ୟ ହାଇକମାଣ୍ଡ ମଗାଇଛନ୍ତି ।
ସେହିପରି କେତେକ ପୁରୁଣା ନେତାଙ୍କ ଟିକେଟ କଟିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ, ଆସନ୍ତା ୩ ତାରିଖରେ ମୋଦିଙ୍କ ଅଧ୍ୟକ୍ଷତାରେ ପରବର୍ତ୍ତୀ ବୈଠକ ବସିବ । ଏଥିରେ ସମସ୍ତ ସାଂସଦଙ୍କ ରିପୋର୍ଟ କାର୍ଡର ହିସାବ କରାଯିବ । କାର୍ଯ୍ୟ ପ୍ରଦର୍ଶନ ଆଧାରରେ ପୁରୁଣା ସାଂସଦଙ୍କ ଟିକେଟ ମଧ୍ୟ କଟିପାରେ। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଏବଂ ବିହାରର କେତେଜଣ ପ୍ରମୁଖ ମନ୍ତ୍ରୀ ରହିଛନ୍ତି । ଅନ୍ୟୁନ ୬୦ରୁ ୭୦ ସାଂସଦଙ୍କ ଟିକେଟ କଟିପାରେ । ସେମାନଙ୍କ ସ୍ଥାନରେ ନୂଆ କିମ୍ବା କେତେଜଣ ପ୍ରମୁଖ ନେତାଙ୍କୁ ଟିକେଟ ଦିଆଯାଇପାରେ । ତେବେ କୌଣସି ଓବିସି ସାଂସଦଙ୍କ ଟିକେଟ କଟିବା ସମ୍ଭାବନା କମ୍ ରହିଛି । ୨୦୧୯ରେ ଦଳ ଯେଉଁ ୩୦୩ ଓବିସି ସାଂସଦଙ୍କୁ ମଇଦାନକୁ ଓହ୍ଲାଇଥିଲା ସେମାନଙ୍କ ମଧ୍ୟରୁ ୮୫ ଜଣ ବିଜୟୀ ହୋଇଥିଲେ ।