ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଅକ୍ଟୋବର ୧ରୁ ସିମ୍‌ ଜାରି ନିୟମ କଡ଼ାକଡ଼ି, ଉଲ୍ଲଂଘନ କଲେ ୧୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା

ନୂଆଦିଲ୍ଲୀ, ୬।୯: ମୋବାଇଲ ମାଧ୍ୟମରେ ଜାଲିଆତି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ନକଲି ସିମ୍‌ ବ୍ୟବହାର କରି ଲୋକଙ୍କୁ ଠକି ଚାଲିଛନ୍ତି ଠକ । ଗୋଟିଏ ଫୋନ୍‌ କଲ୍‌ରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ିଯାଉଛି । ଏଭଳି କ୍ଷେତ୍ରରେ ନକଲି ସିମ୍‌ କାର୍ଡର ବର୍ଦ୍ଧିତ ବିକ୍ରିକୁ ନେଇ କେନ୍ଦ୍ର ସରକାର କଠୋର ହୋଇଛନ୍ତି । ସିମ୍‌ କାର୍ଡ ବିକ୍ରି ପାଇଁ ଶକ୍ତ ନିୟମ ପ୍ରସ୍ତୁତ ହୋଇଯାଇଛି ଏବଂ ଏହା ୨୦୨୩ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ । ଟେଲିକମ୍‌ ବିଭାଗର ନୂଆ ଆଇନ ଅନୁସାରେ, ଏୟାର୍‌ଟେଲ ଏବଂ ଜିଓ ଭଳି କମ୍ପାନିଗୁଡ଼ିକର ସିମ୍‌ ବିକ୍ରି କରୁଥିବା ଦୋକାନୀଗୁଡ଼ିକ ପାଇଁ କେୱାଇସି ବାଧ୍ୟତାମୂଳକ ହେବ । ବିନା କେୱାଇସିରେ ସିମ୍‌ ବିକ୍ରି ହେଉଥିଲେ ଦୋକାନ ପିଛା ଟେଲିକମ୍‌ କମ୍ପାନି ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗିବ । ସେପ୍ଟେମ୍ବର ୩୦ ପୂର୍ବରୁ କେୱାଇସି କରାଇବାକୁ ହେବ । ଏହି ନିୟମ ଲାଗୁ ହେବା ପରେ ସିମ୍‌ କାର୍ଡ କିଣାବିକା ପାଇଁ ପୃଥକ ପ୍ରକ୍ରିୟା ଅନୁକରଣ କରାଯିବ । 

ଏହା ଉଦ୍ଦେଶ୍ୟ ହେଉଛି ନକଲି ସିମ୍‌ କାର୍ଡ ବ୍ୟବହାର ଉପରେ ରୋକ୍‌ ଲଗାଇବା । ଟେଲିକମ୍‌ ବିଭାଗ ପକ୍ଷରୁ ଏ ମାମଲାରେ ଦୁଇଟି ସର୍କୁଲାର ଜାରି କରାଯାଇଛି । ସିମ୍‌ କାର୍ଡ ବିକ୍ରି କରୁଥିବା ଦୋକାନୀମାନଙ୍କୁ ଏବେ ପୂର୍ବାପେକ୍ଷା ଅଧିକ ସାବଧାନ ହେବାକୁ ପଡ଼ିବ । ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବ୍ୟାକ୍‌ଗ୍ରାଉଣ୍ଡ ଭଲ ଭାବେ ଚେକ୍‌ କରାଯିବ । ଏହାର ଉଲ୍ଲଂଘନ କଲେ ଦୋକାନୀଙ୍କ ଉପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ । ଜଣେ ବ୍ୟକ୍ତିଙ୍କ ନାଁ ଏବଂ ପରିଚୟ ପତ୍ରକୁ ବ୍ୟବହାର କରି ଏକାଧିକ ସିମ୍‌ ଜାରି କରାଯାଉଥିବା ଅଭିଯୋଗ ପରେ ସରକାର ଏହାକୁ ରୋକିବା ଦିଗରେ ତତ୍ପରତା ଦେଖାଇଛନ୍ତି । ପୂର୍ବରୁ ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ଏଭଳି ୫୨ ଲକ୍ଷ ନକଲି ସିମ୍‌କୁ ଅଚଳ କରାଯାଇଛି । ନକଲି ସିମ୍‌ କାରବାରରେ ଜଡ଼ିତ ୬୭,୦୦୦ ଡିଲରଙ୍କୁ କଳା ତାଲିକାଭୁକ୍ତ କରାଯାଇଥିବାବେଳେ ଏ ସଂକ୍ରାନ୍ତରେ ୩୦୦ ମାମଲା ରୁଜୁ ହୋଇଛି । ୧୭,୦୦୦ ମୋବାଇଲ ହ୍ୟାଣ୍ଡ୍‌ସେଟ୍‌କୁ ବ୍ଲକ୍‌ କରାଯାଇଥିବା ସେ ସୂଚନା ଦେଇଥିଲେ । 

କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ, ପ୍ରାୟ ୬୬,୦୦୦ ହ୍ୱାଟ୍‌ସଆପ୍‌ ଆକାଉଣ୍ଟ ମଧ୍ୟ ବ୍ଲକ୍‌ କରାଯାଇଛି । ୮ ଲକ୍ଷ ବ୍ୟାଙ୍କ ୱାଲେଟ୍‌କୁ ମଧ୍ୟ ଅଚଳ କରାଯାଇଛି । ନୂଆ ନିୟମ ଲାଗୁ ହେବା ପରେ ସିମ୍‌ କାର୍ଡ କିଣିବା ଏବଂ ବିକ୍ରି କରିବା ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ବଦଳିଯିବ । ଟେଲିକମ୍‌ କମ୍ପାନିଗୁଡ଼ିକୁ ସେପ୍ଟେମ୍ବର ୩୦ ପୂର୍ବରୁ ନିଜର ସମସ୍ତ ବିକ୍ରି କେନ୍ଦ୍ର(ପିଓଏସ୍‌)ଗୁଡ଼ିକର ପଞ୍ଜୀକରଣ କରାଇବାକୁ ହେବ । ପଞ୍ଜୀକୃତ ହୋଇ ନ ଥିବା ଡିଲରଗୁଡ଼ିକ ମାଧ୍ୟମରେ ସିମ୍‌ କାର୍ଡ ଜାରି କଲେ ଟେଲିକମ୍‌ କମ୍ପାନିଗୁଡ଼ିକୁ ଦୋକାନ ପିଛା ୧୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ । ସେପ୍ଟେମ୍ବର ୩୦ ସୁଦ୍ଧା ପୁରୁଣା ଏବଂ ନୂଆ ଡିଲରମାନେ ଟେଲିକମ୍‌ କମ୍ପାନିଗୁଡ଼ିକ ସହ ପଞ୍ଜୀକୃତ ହେବେ । ଏହା ନ କଲେ ସେମାନେ ସିମ୍‌ ବିକ୍ରି କରିବାକୁ ଯୋଗ୍ୟ ହେବେ ନାହିଁ । ତଥାପି ଯଦି ସେମାନେ ସିମ୍‌ ବିକ୍ରି କରନ୍ତି ଏଥିପାଇଁ ଟେଲିକମ୍‌ କମ୍ପାନି ଦୋଷୀ ରହିବେ । ତେବେ କେବଳ ରିଚାର୍ଜ ଏବଂ ବିଲିଂ ସେବା ପ୍ରଦାନ କରୁଥିବା ଡିଲରମାନଙ୍କ ପାଇଁ ପଞ୍ଜୀକରଣ ଲୋଡ଼ା ନାହିଁ । ଯଦି ସିମ୍‌ କାର୍ଡ ଚୋରି କିମ୍ବା ନଷ୍ଟ ହୋଇଯାଇଥାଏ ତେବେ ନୂଆ ସିମ୍‌ ପାଇଁ ଏକ ବ୍ୟାପକ ଯାଞ୍ଚ ପ୍ରକ୍ରିୟା ହେବ । ନୂଆ ସିମ୍‌ ପାଇଁ ଯାହା କିଛି ପ୍ରକ୍ରିୟା ଦେଇ ଯିବାକୁ ପଡ଼େ ଏଥିରେ ମଧ୍ୟ ତାହା ହେବ । ସିମ୍‌କାର୍ଡକୁ ସୁରକ୍ଷିତ ଏବଂ ଠକମାନଙ୍କଠାରୁ ନିରାପଦ ରଖିବା ଉଦ୍ଦେଶ୍ୟ ।

ଅନ୍ୟପକ୍ଷରେ, ଆସାମ୍‌, କାଶ୍ମୀର ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଟେଲିକମ୍‌ ଅପରେଟରମାନଙ୍କୁ ସିମ୍‌ କାର୍ଡ ବିକୁଥିବା ଦୋକାନୀଗୁଡ଼ିକର ପୁଲିସ୍‌ ଯାଞ୍ଚ କରିବାକୁ ପଡ଼ିବ । ଟ୍ରୁକଲର ଅନୁସାରେ, ଭାରତରେ ଜଣେ ୟୁଜର ମାସିକ ହାରାହାରି ୧୭ଟି ସ୍ପାମ୍‌ କଲ୍‌ ପାଇଥାନ୍ତି । ଦେଶରେ ପ୍ରାୟ ୯୩.୫% ସ୍ପାମ୍‌ କଲ୍‌ ସେଲ୍‌ସ କିମ୍ବା ଟେଲିମାର୍କେଟିଂ କଲ୍‌ । ଟ୍ରୁକଲର ଅନୁସାରେ, ସବୁଠାରୁ ସାଧାରଣ ସ୍କାମ୍‌ ହେଉଛି କେୱାଇସି ସ୍କାମ୍‌, ଯେଉଁଠି ଜଣେ ଠକ ନିଜକୁ ବ୍ୟାଙ୍କ ଅଧିକାରୀ ଭାବେ ଦର୍ଶାଇଥାନ୍ତି ଏବଂ ୟୁଜରଙ୍କୁ କେୱାଇସି ଡାଟା ମାଗନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.