ଭୁବନେଶ୍ୱର,୦୩/୦୮: ଉତ୍କଳ ବିଶ୍ୱବିଦ୍ୟାଳୟରେ ୨୭ଟି ବିଭାଗ ରହିଛି । ବିଶ୍ୱବିଦ୍ୟାଳୟ ପାଇଁ ଅନୁମୋଦନ ହୋଇଛି ୨୩୨ ଅଧ୍ୟାପକ ପଦବି । କାର୍ଯ୍ୟରତ ଅଛନ୍ତି ମାତ୍ର ୧୧୪ ଜଣ । ଆଉ ୧୧୮ ପଦ ଖାଲି ପଡ଼ିଛି । ଏଥିରୁ କେବଳ ଅନୁମୋଦନ ପ୍ରାପ୍ତ ପ୍ରଫେସର ପଦବି ହେଉଛି ୪୪, ହେଲେ ଅଛନ୍ତି ୧୧ଜଣ । ଆଉ ୩୩ ଖାଲି ପଡ଼ିଛି । ସବୁଠୁ ଆଶ୍ଚର୍ଯ୍ୟର କଥା, ଏହି ୨୭ ବିଭାଗରୁ ୧୭ ବିଭାଗରେ ଆଦୌ ପ୍ରଫେସର ନାହାନ୍ତି । ଏପରିକି ଏଥିରୁ ଲାଇବ୍ରେରୀ ଓ ଇନ୍ଫମମେସନ ସାଇନ୍ସରେ ଆଦୌ ଅଧ୍ୟାପକ ନଥିବାରୁ ଗଣିତ ବିଭାଗରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଭରସାରେ ବିଭାଗ ଚାଲିଛି । ଏ ହେଉଛି ଆମ ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟର ଶିକ୍ଷାର ବିକଳ ଚିତ୍ର ।
କେବଳ ଏତିକି ନୁହେଁ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨୩ ବିଭାଗ ପାଇଁ ୨୬୭ ଅଧ୍ୟାପକ ପଦ ଅନୁମୋଦିତ ହୋଇଛି । ଅଛନ୍ତି ମାତ୍ର ୧୧୦ । ଆହୁରି ୧୫୭ ପଦ ଖାଲି ପଡ଼ିଛି । ଏଥିରୁ କେବଳ ପ୍ରଫେସର ପାଇଁ ୨୯ ଅନୁମୋଦନ ପଦ ଥିବା ବେଳେ ମାତ୍ର ୮ ଜଣ କାମ କରୁଛନ୍ତି । ଏପରିକି ୨୩ ବିଭାଗରୁ ୧୬ ବିଭାଗରେ ଆଦୌ ପ୍ରଫେସର ନାହାନ୍ତି । କମ୍ପ୍ୟୁଟର ସାଇନ୍ସ ଏବଂ ଉର୍ଦ୍ଦୁ ଓ ପର୍ସିଆନ୍ ବିଭାଗରେ ପ୍ରଫେସର ଦୂରର କଥା. ଅଧ୍ୟାପକ ନାହାନ୍ତି ।
ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ରାଜ୍ୟର ଏହି ୨ ପ୍ରମୁଖ ବିଶ୍ୱବିଦ୍ୟାଳୟ ଦର୍ଶାଉଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା କିପରି ଚାଲିଛି । ରାଜ୍ୟରେ ଥିବା ୧୮ଟି ବିଶ୍ୱବିଦ୍ୟାଳୟ ପାଇଁ ୧୯୧୧ଟି ଅଧ୍ୟାପକ (ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର) ପଦ ପାଇଁ ଅନୁମୋଦନ ରହିଛି । ଏଥିରୁ ବର୍ତ୍ତମାନ ୭୨୪ ଜଣ କାର୍ଯ୍ୟରତ ଅଛନ୍ତି । ଆହୁରି ୧୧୮୭ଟି ପଦ ଖାଲି ପଡ଼ିଛି । ସବୁଠୁ ବିଡ଼ମ୍ବନାର କଥା, ୧୮ ବିଶ୍ୱବିଦ୍ୟାଳୟ ପାଇଁ ୨୭୪ଟି ପ୍ରଫେସର ପଦକୁ ଅନୁମୋଦନ ମିଳିଛି । ହେଲେ ମାତ୍ର ୪୯ଜଣ (୧୮ %) କାର୍ଯ୍ୟରତ ଅଛନ୍ତି। ଆହୁରି ୨୨୫ ଖାଲି ପଡ଼ିଛି ।
ମେଡିକାଲ କଲେଜରେ ମଧ୍ୟ ସମାନ ଅବସ୍ଥା । ରାଜ୍ୟରେ ୧୩ଟି ମେଡିକାଲ କଲେଜ ରହିଛି । ଏଥିରେ ୩୨୪୨ଟି ପଦବି ଥିବା ବେଳେ ପ୍ରଫେସରଠୁ ଆରମ୍ଭ କରି ଜୁନିୟର ରେସିଡେଣ୍ଟ ପଦବିରେ ୨୨୬୯ଜଣ କାର୍ଯ୍ୟ କରୁଛନ୍ତି । ଆହୁରି ୯୭୩ଟି ଡାକ୍ତର ପଦ ଖାଲି ପଡ଼ିଛି । ଏଥିରୁ ୮୩ଟି ପ୍ରଫେସର, ୧୮୫ ଆସୋସିଏଟ୍ ପ୍ରଫେସର, ୧୪୮ ଆସିଷ୍ଟାଣ୍ଟ ପ୍ରଫେସର, ୬୮ ଟିଉଟର, ୪୨୯ ସିନିୟର ରେସିଡେଣ୍ଟ, ୬୦ ଜୁନିୟର ରେସିଡେଣ୍ଟ ପଦ ଖାଲି ପଡ଼ିଛି । ଏହା ହେଉଛି ମେଡିକାଲ କଲେଜର ଶିକ୍ଷା ବ୍ୟବସ୍ଥା ।
ବିନା ପ୍ରଫେସରରେ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାର ବିକାଶ ହେବ କେମିତି? ପିଲାମାନେ କିପରି ଗବେଷଣା କରିବେ? ଜଣେ ପ୍ରଫେସର ଅଧୀନରେ ୮ ଜଣ ପିଲା ପିଏଚ୍ଡି କରିବା କଥା । ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଅଧୀନରେ ୬ଜଣ ଓ ଆସୋସିଏଟ୍ ପ୍ରଫେସରଙ୍କ ଅଧୀନରେ ୪ଜଣ ଶିକ୍ଷାର୍ଥୀ ପିଏଚ୍ଡି କରିପାରିବେ ।
ଗବେଷଣାଠାରୁ ଆରମ୍ଭ କରି ଅନୁଷ୍ଠାନର ଖ୍ୟାତି ବୃଦ୍ଧି କରିବାରେ ପ୍ରଫେସରର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସବୁଠୁ ବଡ଼ କଥା ହେଲା ଜଣେ ଗବେଷଣାରତ ଶିକ୍ଷାର୍ଥୀକୁ ନିଜ ପ୍ରବନ୍ଧକୁ ଜର୍ଣ୍ଣାଲ୍ରେ ପ୍ରକାଶନର ଆବଶ୍ୟକତା ରହିଥାଏ । ଏଥିପାଇଁ ତାର ଗାଇଡ୍ ତଥା ଜଣେ ପ୍ରଫେସରଙ୍କ ସହଯୋଗ ଆବଶ୍ୟକ । ହେଲେ ପ୍ରଫେସର ନାହାନ୍ତି । ଗବେଷଣା ହେବ କିପରି? ସମସ୍ତଙ୍କ ମୁହଁରେ ଗୋଟିଏ କଥା-ମହାପ୍ରଭୁ ଶ୍ରୀଜଗନ୍ନାଥ ଉଚ୍ଚଶିକ୍ଷାକୁ ଭରସା ।
ରାଜ୍ୟ ସରକାର ୨୦୨୦ରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଆଣିଲେ । ଏଥିରେ ବିଶ୍ୱବିଦ୍ୟାଳୟ ନିଯୁକ୍ତିଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ । ୟୁଜିସି ଗାଇଡ୍ଲାଇନକୁ ଉଲ୍ଲଂଘନ କରି ରାଜ୍ୟ ସରକାର ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ଓପିଏସ୍ସିକୁ ହସ୍ତାନ୍ତର କଲେ । ଏହାକୁ ନେଇ ୟୁଜିସି ପକ୍ଷରୁ ସୁପ୍ରିମ୍କୋର୍ଟରେ ମାମଲା ହେଲା । ଏହାପରଠୁ ଦୁଇ ବର୍ଷରୁ ଅଧିକ ଦିନ ହେଲା ଅଧ୍ୟାପକ ନିଯୁକ୍ତି ବନ୍ଦ ରହିଛି ।
ଯଦି ସୁପ୍ରିମ୍କୋର୍ଟରେ ମାମଲା ଏମିତି ଗଡ଼ି ଚାଲେ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନନିଏ ତେବେ ଆଗାମୀ ଦିନରେ ସବୁ ବିଶ୍ୱବିଦ୍ୟାଳୟ ପ୍ରଫେସର ଶୂନ୍ୟ ହୋଇଯିବ । ଜଣେ ପ୍ରଫେସର ପ୍ରକାଶ ଚନ୍ଦ୍ର ବେହେରାଙ୍କ କହିବା କଥା, ନାକ୍ଠୁ ଆରମ୍ଭ କରି ଏନ୍ଆଇଆର୍ଏଫ୍ ର୍ୟାଙ୍କ୍ରେ ପ୍ରଫେସରଙ୍କ ସଂଖ୍ୟାକୁ ଧରାଯାଇଥାଏ । ଓଡ଼ିଶାରେ ସିଧାସଳଖ ଭାବେ ନିଯୁକ୍ତ ହୋଇଥିବା ପ୍ରଫେସର ମାନେ ବର୍ଷେରୁ ଦେଢ଼ ବର୍ଷ ମଧ୍ୟରେ ଅବସର ନେଇଯିବେ । ଫଳରେ ପ୍ରଫେସର ଶୂନ୍ୟ ହୋଇଯିବ । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଡ. ମାନସ ବେହେରାଙ୍କ କହିବା କଥା, ଭଲ ଜର୍ଣ୍ଣାଲ୍ରେ ଓଡ଼ିଆ ଗବେଷକଙ୍କର ପ୍ରବନ୍ଧ ପ୍ରକାଶ ପାଇପାରୁନି । ଜଣେ ନୂଆ ପିଏଚ୍ଡି ସ୍କଲାରର ପ୍ରବନ୍ଧ କୌଣସି ଖ୍ୟାତନାମା ଜର୍ଣ୍ଣାଲରେ ପ୍ରକାଶ ପାଇବାକୁ ହେଲେ ନିହାତି ଭାବେ ପ୍ରଫେସରଙ୍କ ଆବଶ୍ୟକତା ରହିଛି । ମାତ୍ର ପ୍ରଫେସର ନଥିବାରୁ ଭଲ ପ୍ରବନ୍ଧ ଥାଇ ମଧ୍ୟ ଜର୍ଣ୍ଣାଲରେ ପ୍ରକାଶ ପାଇପାରୁନାହିଁ ।