ନୂଆଦିଲ୍ଲୀ – ଦିଲ୍ଲୀରେ ଲଗାତାର ଭାବେ ତାଣ୍ଡବ ଲୀଳା ରଚିଛି ବର୍ଷା । ଦେଶର ରାଜଧାନୀରେ କାଳ ସାଜିଛି ବର୍ଷା ଜଳ। ଯାହାକୁ ନେଇ ଗତ ଦିନରେ ଅନେକ କିଛି ସଙ୍ଗିନ୍ ସ୍ଥିତି ଉପୁଜିଛି ଦିଲ୍ଲୀରେ । ଆଜି ପୁଣି ଆରମ୍ଭ ହୋଇ ଯାଇଛି ବର୍ଷା। ପାଣିପାଗ ବିଭାଗ ପୂର୍ବରୁ ଝଡ଼ ବର୍ଷା ହେବାର ସତର୍କ ସୂଚନା ଜାରି କରିଥିଲା। ଦିଲ୍ଲୀର ଅନେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେଉଛି । ଏହି ପୂରା ସପ୍ତାହ ଝଡ଼ ବର୍ଷା ସହ ବର୍ଷା ହେବାର ଅନୁମାନ କରିଥିଲା ।ଯେଉଁଥିରେ ଦୁଇ ଦିନ ଆଲର୍ଟ ମଧ୍ୟ ଜାରି କରାଯାଇଛି।
ଆଇଏମଡିର ପୂର୍ବାନୁମାନ ମୁତାବିକ , ୩ ଅଗଷ୍ଟରୁ ନେଇ ୯ ଅଗଷ୍ଟ ଯାଏ ପ୍ରତିଦିନ ବର୍ଷାର ସମ୍ଭାବନା ରହିଛି , କିନ୍ତୁ ଦୁଇ ଦିନ ବିଶେଷ ରୂପେ ସାବଧାନ ରହିବା ଜରୁରୀ। ପାଣିପାଗ ବିଭାଗ ମୁତାବିକ, ୬ ଓ ୭ ଜୁଲାଇରେ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ଘଡ଼ଘଡିର ସମ୍ଭାବନା ବି ରହିଛି। ଏଥିପାଇଁ ପାଣିପାଗ ବିଭାଗ ଏହି ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ଦୁଇ ଦିନ ସର୍ବାଧିକ ତାପମାତ୍ରା ୩୩ ଓ ୩୪ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ବୁଧବାର ସନ୍ଧ୍ୟାରେ ମଧ୍ୟ ଦିଲ୍ଲୀରେ ବର୍ଷା ହୋଇଥିଲା , ଯେଉଁଥିରେ ଅନେକ ଅଞ୍ଚଳରେ ପାଣି ଭରି ଯାଇଥିଲା।
ଏହା ପୂର୍ବରୁ ଉତ୍ତର ଦିଲ୍ଲୀର ପରିବା ମାର୍କେଟ୍ ଅଞ୍ଚଳରେ ଏକ କୋଠା ଘର ଭୁଶୁଡି଼ ପଡ଼ିବାରୁ ୬୨ ବର୍ଷିୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ସହ ଦିଲ୍ଲୀରେ ବର୍ଷା ଯୋଗୁଁ ମୃତକଙ୍କ ସଂଖ୍ୟା ୩ ରେ ପହଞ୍ଚିଛି। ସେପଟେ ସହରରେ ଅଲଗା ଅଲଗା ଘଟଣାରେ ଏତେ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷାରେ ସହରର ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି। ଯାତାୟାତ ବାଧାପ୍ରାପ୍ତ ହେବା ସହ ଲୋକେ ରାସ୍ତାରେ ଫସି ରହିଥିଲେ।