ପ୍ରମୂଖ ଖବର

ଟାଇଟ୍ ଜିନ୍ସ ପିନ୍ଧୁଛନ୍ତି କି ? ଭୋଗିବେ ବଡ଼ ସମସ୍ୟା...

ନୂଆଦିଲ୍ଲୀ, ୫।୧୨: ମହିଳାମାନେ ଷ୍ଟାଇଲିସ୍ ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଇଥାନ୍ତି । କେଶସଜ୍ଜା, ମେକଅପ୍, ପୋଷାକ ପରିଧାନ ଇତ୍ୟାଦି ଦ୍ୱାରା ନିଜକୁ ସୁନ୍ଦର କରିବା ପାଇଁ ସେମାନେ ପ୍ରୟାସ କରିଥାନ୍ତି । ଆଜିକାଲି ମହିଳାମାନେ କର୍ମଜୀବୀ ହେବା କାରଣରୁ ଜିନ୍ସ ପିନ୍ଧିବା ପସନ୍ଦ କରୁଛନ୍ତି । ଏହା ସେମାନଙ୍କୁ ସ୍ମାର୍ଟ ଲୁକ୍ ଦେଇଥାଏ । କିନ୍ତୁ, କ’ଣ ଆପଣ ଜାଣନ୍ତି ଟାଇଟ୍ ଜିନ୍ସ ପିନ୍ଧିବା ସ୍ୱାସ୍ଥ୍ୟ ପ୍ରତି କେତେ କ୍ଷତିକାରକ । ଏହି କାରଣରୁ ମହିଳାମାନେ ସ୍ନାୟୁ ଜନିତ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଧିକ । ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା ଭେରିକୋଜ୍ ଶିରା ଫୁଲି ଯାଇଥାଏ । ଭେରିକୋଜ୍ ଭେନ୍ସ ଏକ ଗମ୍ଭୀର ରୋଗ , ଯେଉଁଥିରେ ଶିରା ବଢ଼ିଯିବା, ବିସ୍ତାରିତ ହେବା ସାଙ୍ଗକୁ ସେଥିରେ ରକ୍ତ ଭରିଯାଏ । ସାଧାରଣତଃ ଏହି ଶିରା ନାଲି କିମ୍ୱା ନୀଳ ରଙ୍ଗର ଦେଖାଯାଏ । ଅନେକ ସମୟରେ ଲୋକମାନେ ଏହାକୁ ଅଣଦେଖା କରିଥାନ୍ତି । ଏହି ରୋଗ ଦ୍ୱାରା ପୀଡ଼ିତ ବ୍ୟକ୍ତିଙ୍କୁ ଅନେକ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ । 

ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ ଏବଂ ଏହି ରୋଗଠାରୁ ଆପଣ କିପରି ରକ୍ଷା ପାଇପାରିବେ । ଶିରାରେ ଥିବା ଭାଲ୍‌ଭଗୁଡ଼ିକ ଶରୀରର ଉପର ଅଂଶଗୁଡ଼ିକୁ ରକ୍ତ ସଞ୍ଚାଳନ କରିବାରେ ସହାୟକ ହୋଇଥାଏ । କୌଣସି କାରଣବଶତଃ ଏହି ଭାଲ୍‌ଭଗୁଡ଼ିକ କାମ କରିବା ବନ୍ଦ କରିଦେଲେ ରକ୍ତ ଶରୀରର ଉପର ଅଂଶକୁ ନଯାଇ ଶିରାରେ ଜମିବାକୁ ଲାଗେ । ଏହି କାରଣରୁ ଶିରାଗୁଡ଼ିକ ଧିରେ ଧିରେ ଫୁଲିବା ସାଙ୍ଗକୁ ଦୁର୍ବଳ ହୋଇଯାଏ । ମେଦବହୁଳତା, ଅଧିକ ସମୟ ପର୍ଯ୍ୟନ୍ତ ଛିଡ଼ାହେବା ବା ବସି ରହିବା, ବ୍ଲଡ୍ ପ୍ରେସର ଅଧିକ ଟାଇଟ୍ ଜିନ୍ସ ପିନ୍ଧିବା ଇତ୍ୟାଦି ଯୋଗୁଁ ଭୋରିକୋଜ୍ ଶିରାରେ ସମସ୍ୟା ଦେଖାଦେଇଥାଏ । ଏହା ବ୍ୟତୀତ ଋତୁଚକ୍ର ଅସନ୍ତୁଳିତ ଖାଦ୍ୟପେୟ ଏବଂ ଆଲୋପାଥୀ ଔଷଧର ପ୍ରତିକ୍ରିୟା ଇତ୍ୟାଦି ମଧ୍ୟ ଏହାର କାରଣ ହୋଇପାରେ । ଭେରିକୋଜ୍ ଶିରାକୁ ସ୍ପାଇଡର୍ ଶିରା ମଧ୍ୟ କୁହାଯାଏ । 

ଏହି ରୋଗରେ ଶିରାର ରଙ୍ଗ ନୀଳ ବା ବାଇଗଣୀ ପଡ଼ିଯିବା, ବସିଲେ ଛିଡ଼ାହେଲେ ଗୋଡ଼ରେ କଷ୍ଟ ଅନୁଭବ କରିବା, ଶିରା ପାଖରେ କୁଣ୍ଡାଇ ହେବା, ମାଂସପେଶୀ ଫୁଲିଯିବା ବା ଦରଜ ହେବା ଭଳି ଲକ୍ଷଣ ଦେଖାଯାଏ । ଏହି ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ନିୟମିତ ବ୍ୟାୟାମ କରିବା ସହ ସନ୍ତୁଳିତ ଭୋଜନ ଏବଂ ଓଜନ ହ୍ରାସ କରିବା, ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ଯକ । ଏଥିସହିତ ଖାଦ୍ୟରେ ଫାଇବରଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ୍ । ଏହାପରେ ମଧ୍ୟ ଅଧିକ ଅସୁବିଧା ହେଲେ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.