ଭୁବନେଶ୍ୱର, ୧୦/୦୭ : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହେବ। ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ବୈଠକ ପରେ ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟରରେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପକ୍ଷରୁ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯିବ ।
ଗତ ଜୁନ୍ ୧୨ରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲେ। ଶପଥ ଗ୍ରହଣ ସମାରୋହ ସରିବା ପରେ ସେଦିନ ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ଶ୍ରୀମନ୍ଦିର ପାଇଁ କର୍ପସ ପାଣ୍ଠି, ସୁଭଦ୍ରା ଯୋଜନା, କୃଷକ ପାଇଁ ଧାନ ଏମ୍ଏସ୍ପି ୩୧୦୦ ଟଙ୍କା କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ପ୍ରଥମ କ୍ୟାବିନେଟରେ ବିଜେପି ସରକାର ନିର୍ବାଚନ ପ୍ରତିଶ୍ରୁତି ପୂରଣ ନେଇ ୪ଟି ବଡ଼ ଘୋଷଣା କରିଥିଲେ । ଆଜିର କ୍ୟାବିନେଟରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ବଡ଼ ଘୋଷଣା ହୋଇପାରେ।