ପୁରୀ,୦୫/୦୯: ପ୍ରାୟ ଶହେ ବର୍ଷ ପରେ ଶ୍ରୀଜଗନ୍ନାଥଙ୍କ ଶ୍ରୀକୃଷ୍ଣ ଲୀଳାର ବସ୍ତ୍ରହରଣ ନୀତିରେ ଯୋଗ ଦେଇଛନ୍ତି କାଳିକାଦେବୀ ସାହି ବାସିନ୍ଦା । ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଲୀଳା ପାଳନରେ ଚଳିତ ବର୍ଷ ବେଶ୍ ଆଗ୍ରହ ଦେଖାଇଛନ୍ତି ପୁରୀ ବାସିନ୍ଦା । ବହୁ ବର୍ଷ ପରେ କାଳିକାଦେବୀ ସାହି ପକ୍ଷରୁ ଦ୍ୱାପର ଯୁଗୀୟ ବସ୍ତ୍ରହରଣ ଲୀଳା ପ୍ରସ୍ତାବ ଆଗତ ହୋଇଥିଲା । ଆଗେ ଶ୍ରୀମନ୍ଦିରରେ କେବଳ ଠାକୁରଙ୍କ ନୀତି ହେଉଥିଲା । ଅଧିକାଂଶ ଭକ୍ତ ଜାଣି ପାରୁ ନଥିଲେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳାର ଏହି ଅଭିନୟ । ଚଳିତ ବର୍ଷ କାଳିକାଦେବୀ ସାହି ଆଖଡ଼ା ପକ୍ଷରୁ ଶ୍ରୀକୃଷ୍ଣଙ୍କ ସହ ଗୋପୀମାନେ ବାହାରି ଠାକୁରଙ୍କ ନୀତି କରିଛନ୍ତି ।
ଶ୍ରୀକୃଷ୍ଣ ଲୀଳା ଅବସରରେ କାଳିକାଦେବୀ ସାହି ପକ୍ଷରୁ କେକେସୀ ବଧ ପ୍ରସ୍ତାବ ପାଳିତ ହୋଇଆସୁଛି । ହେଲେ ବସ୍ତ୍ରହରଣ ଲୀଳାରେ ସାହିଆଙ୍କ ପକ୍ଷରୁ ଯୋଗଦାନ ନଥିଲା । ୨୦୨୪ରେ ଶ୍ରୀକୃଷ୍ଣ ଲୀଳାର ବସ୍ତ୍ରହରଣ ପ୍ରସଙ୍ଗରେ କାଳିକାଦେବୀ ସାହିଆଙ୍କ ଯୋଗଦାନ କଳାପ୍ରେମୀଙ୍କ ଭିତରେ ନୂତନ ଉତ୍ସାହ ଭରିଛି । ମଙ୍ଗଳବାର ରାତିରେ କାଳିଆଦେବୀ ସାହିରୁ ବାହାରିଥିବା ଶ୍ରୀକୃଷ୍ଣ ଲୀଳା ପଟୁଆର ଦର୍ଶନାର୍ଥୀଙ୍କ ମୁଖ୍ୟ ଆକର୍ଷଣ ଥିଲା । ସାହି ମୁରବୀମାନେ ସାଥିରେ ରହି ଶ୍ରୀଜଗନ୍ନାଥଙ୍କ ଶ୍ରୀକୃଷ୍ଣ ଲୀଳାର ଆନନ୍ଦ ଲଭିଥିଲେ । ଏନେଇ କାଳିକାଦେବୀ ସାହି ଆଖଡ଼ା ସମ୍ପାଦକ ପ୍ରଫୁଲ କୁମାର ଖୁଣ୍ଟିଆ କୁହନ୍ତି ଆମେ ପିଲା ଦିନୁ ଜାଣିନୁ କେବେ ସାହିବାସିନ୍ଦା ଏହି ନୀତିରେ ସାମିଲ ହୁଅନ୍ତି! ଆମ ବଡ଼ ମାନେ ମଧ୍ୟ ଜାଣନ୍ତିନି ।
ଶ୍ରୀକୃଷ୍ଣ ଲୀଳାର ବସ୍ତ୍ରହରଣ ଅଭିନୟରେ ସାହିବାସିନ୍ଦା ହୁଏତ ଶହେ ବର୍ଷ ପୂର୍ବେ ଯୋଗ ଦେଉଥିବେ! ପ୍ରତି ବର୍ଷ ଆମ ସାହିରୁ କେକେସୀ ବଧ ପ୍ରସ୍ତାବ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ କାଳିକାଦେବୀ ସାହି ପକ୍ଷରୁ ବସ୍ତ୍ରହରଣ ନୀତି ପାଳନ ପାଇଁ ଆମକୁ ଜଣାଇଥିଲେ । ଏଣୁ ଆମେ ଆଗ୍ରହରେ ଠାକୁରଙ୍କ ନୀତି କରିଥିଲୁ । ଚଳିତ ବର୍ଷ ଶ୍ରୀମନ୍ଦିର ସେବାୟତ ଛତିଶା ନିଯୋଗ ମୁଖ୍ୟ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ମହାପ୍ରଭୁଙ୍କ ଶ୍ରୀରାମ ଲୀଳାଭଳି ଶ୍ରୀକୃଷ୍ଣ ଲୀଳାକୁ ଅଧିକ ଉତ୍ସାହର ସହ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଏନେଇ ଜିଲ୍ଲା ପ୍ରଶାସନ ସହ ଆଠ ସାହି ଆଖଡ଼ା କର୍ମକର୍ତ୍ତାଙ୍କ ଆଲୋଚନା ଚାଲିଛି । ଆଗାମୀ ବର୍ଷରେ ଆହୁରି ଭଲରେ ଶ୍ରୀଜଗନ୍ନାଥଙ୍କ ଶ୍ରୀକୃଷ୍ଣ ଲୀଳା କରିବାକୁ ପ୍ରସ୍ତୁତ ହେଉଥିବା ସମ୍ପାଦକ ଶ୍ରୀ ଖୁଣ୍ଟିଆ କୁହନ୍ତି।