ବ୍ରହ୍ମପୁର, ୩୦/୬ : ସ୍କୁଲ ନିକଟରେ ୧୨ ବର୍ଷର ନାବାଳିକାଙ୍କ ଗୋଡ଼ ହାତ ବାନ୍ଧି ଦୁଷ୍କର୍ମ ଅଭିଯୋଗ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ନାବାଳିକାଙ୍କ ପରିବାର ଲୋକେ ଏନେଇ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ସୋମବାର ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ନାବାଳିକା ସ୍କୁଲ ଯାଇଥିଲେ। ସ୍କୁଲ ନିକଟରେ ଥିବା ଏକ ଜାମୁ କୋଳି ଗଛରୁ କୋଳି ଖାଇବାକୁ ଯାଇଥିଲେ। ଏହି ସମୟରେ ନାବାଳିକାଙ୍କ ଗ୍ରାମର ଜଣେ ଯୁବକ ତାଙ୍କୁ ସ୍କୁଲ ଠାରୁ କିଛି ଦୂରକୁ ନେଇଯାଇଥିଲେ। ସେଠାରେ ନାବାଳିକାଙ୍କ ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପୀଡ଼ିତା ଓ ତାଙ୍କ ପରିବାର ଗୋଳନ୍ଥରା ଥାନାରେ ଆସି ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଏକ ମାସ ମଧ୍ୟରେ ଗୋଳନ୍ଥରା ଥାନା ଅଞ୍ଚଳରେ ଏହା ଦ୍ଵିତୀୟ ଘଟଣା। ଜୁନ ୩ ଓ ୪ ତାରିଖରେ ଉକ୍ତ ଥାନା ଅଞ୍ଚଳରେ ଦୁଇ ନାବାଳିକା ଭଉଣୀଙ୍କୁ ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ହୋଇଥିଲା। ଏବେ ପୁଣି ଏକ ଦୁଷ୍କର୍ମ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜିଲ୍ଲାରେ ନିୟମିତ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ଯାହାକି ପୁଲିସ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।