କୋରାପୁଟ,୦୧/୦୭: ଦୀର୍ଘବର୍ଷର ବିବାଦୀୟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ଅଞ୍ଚଳକୁ ନେଇ ନୂଆ ଆବିଷ୍କାର । ପ୍ରଥମଥର ପାଇଁ କୋଟିଆ ସୀମା ବିବାଦର ଅସଲ କାରଣ ଏବେ ପଦାକୁ ଆସିଛି । ମାଡ୍ରାସ୍ ପ୍ରେସିଡେନ୍ସି ସମୟରେ ସୀମା ଚିହ୍ନଟ କାମରେ ନିୟୋଜିତ ସର୍ବେକ୍ଷଣ ଓ ଜମି ରେକର୍ଡର ସହକାରୀ ନିର୍ଦ୍ଦେଶକ ଏଚ୍ଏସ୍ ଗିଲ୍ବିଙ୍କ ‘କାଏନ୍- ପଥର’ ଏହି ବିବାଦର ଅନ୍ତ ଘଟାଇବାରେ ସାହାଯ୍ୟ କରିବ। କୋଟିଆ ଆଦିମ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅବସରରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଆମ କୋଟିଆ ସଂଗଠନ ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ।
ସେ କହିଛନ୍ତି, ଭ୍ରମାନ୍ତକ ରିପୋର୍ଟ ଯୋଗୁ କୋଟିଆର ୨୧ଟି ଗ୍ରାମପୁଞ୍ଜକୁ ନେଇ ୨ଟି ରାଜ୍ୟ ମଧ୍ୟରେ ଦୀର୍ଘ ୮୨ ବର୍ଷ ହେଲା ବିବାଦ ଲାଗିଛି । ମାଛକୁଣ୍ଡରୁ ଆରମ୍ଭ କରି ବବ୍ଲି ସୀମା ପର୍ଯ୍ୟନ୍ତ ୧ରୁ ୩୧୮ କାଏନ(ପାହାଡ଼ ଶୀର୍ଷରେ ପଥରକୁ ଥାକଥାକ କରି ଚିହ୍ନ ଦେବା) ପଥର ରହିଛି । ସେଥିମଧ୍ୟରୁ ଗୋଟିଏ କାଏନ୍ କୋଟିଆ ଗାଁ ନିକଟ ପାହାଡ଼ ଉପରେ ରହିଛି । ଏହି ପଥରରେ ‘ଓ’/‘ଏମ୍’(ଓଡ଼ିଶା/ମାଡ୍ରାସ୍)ଉଲ୍ଲେଖ ରହିଛି । ନିକଟରେ ଏହି ସ୍ଥାନ ଚିହ୍ନଟ ହୋଇଛି । କାଏନ୍ ପଥର ଆନ୍ଧ୍ରର ବବ୍ଲି ସୀମା ପର୍ଯ୍ୟନ୍ତ ରହିଛି । ସେଭଳି ଦେଖିବାକୁ ଗଲେ ବବ୍ଲି ମଧ୍ୟ ଓଡ଼ିଶାର ହେବ । ତେଣୁ କୋଟିଆକୁ ନେଇ ଅଯଥାରେ ବିବାଦ ସୃଷ୍ଟି ହେବାର କୌଣସି କାରଣ ନାହିଁ । ତାହା ଓଡ଼ିଶା ଭିତରେ ରହିଛି । କେବେ ଆନ୍ଧ୍ରରେ ନଥିଲା ।
ଶ୍ରୀ ପରିଡ଼ା ଆହୁରି କହିଛନ୍ତି, ଗିଲ୍ବି ସାହେବଙ୍କ ୩୧୮ଟି କାଏନ ବିଷୟରେ ଅନେକ ଜାଣି ନଥିବେ । ଗିଲ୍ବିଙ୍କ ଏହି ସୀମା ନିର୍ଦ୍ଧାରଣ କାଏନ୍ କଥାକୁ ଆଜିପର୍ଯ୍ୟନ୍ତ ସମସ୍ତେ ଅଣଦେଖା କରିଆସିଛନ୍ତି । ୧୯୩୬ରେ ରାଜ୍ୟ ଗଠନ ବେଳେ ସରଜମିନ୍ରେ ଓଡ଼ିଶା ଓ ମାଡ୍ରାସର ସୀମା ନିର୍ଦ୍ଧାରଣ ପାଇଁ ମାଡ୍ରାସ ପ୍ରେସିଡେନ୍ସିକୁ ଓଡ଼ିଶା ସରକାର ଅନୁରୋଧ କରିଥିଲେ । ଗେଜେଟିୟର ବର୍ଣ୍ଣନା ମୁତାବକ ସେ ତାଙ୍କ ଦଳବଳ ନେଇ ୧୯୪୨ରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଥିଲେ । ମାଛକୁଣ୍ଡ ନଦୀକୂଳରୁ କାଏନ ନମ୍ବର-୧ରୁ ସୀମା ନିର୍ଦ୍ଧାରଣ ଆରମ୍ଭ ହୋଇଥିଲା । ଏହା ଜୟପୁର ଜମିଦାରୀ, ସାଲୁର ଜମିଦାରୀ ଓ ବବ୍ଲି ଜମିଦାରୀ ଅଞ୍ଚଳର ସନ୍ଧିରେ ତ୍ରିସିମାଳି(ତିନୋଟି ସ୍ଥାନର ସନ୍ଧି)ପଥର ରଖାଯାଇଥିଲା । ତାହା ୩୧୮ ନମ୍ବର କାଏନ ଭାବରେ ଚିହ୍ନଟ କରାଯାଇଥିଲା । ଏଥିମଧ୍ୟରୁ ଗୋଟିଏ କାଏନ୍ କୋଟିଆ ନିକଟ ପାହାଡ଼ରେ ଠାବ କରାଯାଇଛି । ଯାହା ତତ୍କାଳୀନ କୋରାପୁଟ କଲେକ୍ଟର ସାର୍ ଆର୍ସିଏସ୍ ବେଲଙ୍କ ୧୯୪୫ ଗେଜେଟିୟରର ସ୍କେଲେଟନ ମ୍ୟାପ୍ରେ ସ୍ଥାନିତ ହୋଇଛି ।
କୋଟିଆ ନିକଟ ପାହାଡ଼ରେ ଥିବା ଏହି କାଏନ୍ରେ ତୀର ଚିହ୍ନଟି ମାଡ୍ରାସ ଓ ଓଡ଼ିଶାର ଆନୁମାନିକ ସୀମାକୁ ଦର୍ଶାଇଛି । ଇଂରାଜୀରେ ‘ଓ’ଏବଂ ‘ଏମ୍’ ଅକ୍ଷର ଯଥାକ୍ରମେ ଓଡ଼ିଶା ଓ ମାଡ୍ରାସ ବୋଲି ସୂଚାଉଛି । ଏହି କାଏନ୍ ପ୍ରମାଣିତ କରୁଛି ଯେ, ଗିଲ୍ବି ହୁଏତ କାଏନ୍ ରଖାଯିବା ବେଳେ ପାଖକୁ ଯାଇ ନ ଥିଲେ । ତେଣୁ ସେତେବେଳେ କୋଟିଆ ଗାଁ ମାଡ୍ରାସ ପଟକୁ ରହିଛି ବୋଲି ଉଚ୍ଚଅଧିକାରୀଙ୍କ ନିକଟରେ ମିଛ କହିଥିଲେ । ସେ ସର୍ଭେ କରି ନଥିଲେ । ବିବେକର ଦଂଶନରେ ସୀମା ଚିହ୍ନଟ ହୋଇଥିବା କହି ନିଜ ସ୍ୱାକ୍ଷର ଦେଇଥିଲେ ବୋଲି ଶ୍ରୀ ପରିଡ଼ା କହିଛନ୍ତି । ତାଙ୍କ ଯୋଗୁ ସୀମା ବିବାଦର ସୂତ୍ରପାତ ହୋଇଛି । ଏକଥା ଖୁବ୍ କମ୍ ଲୋକ ଜାଣିଥିବେ । ଅନ୍ୟପକ୍ଷେ ୧୯୪୩ରେ ତତ୍କାଳୀନ ଓଡ଼ିଶା ସରକାର ବିନା ଯାଞ୍ଚ୍ରେ ଏହାକୁ ଗ୍ରହଣ କରି ନେଇଥିଲା । ସବୁଠାରୁ ଦୁଃଖର କଥା ଦୀର୍ଘ ୮୨ ବର୍ଷରେ କୌଣସି ସରକାର ଏହାକୁ ସରଜମିନ ଯାଞ୍ଚ୍ କରିବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି । ବର୍ତ୍ତମାନ ରାଜ୍ୟ ସରକାର ୩୧୮ ନମ୍ବର କାଏନ୍ କେଉଁଠି ରହିଛି ଜାଣିବାକୁ ଚେଷ୍ଟା କରନ୍ତୁ । ବବ୍ଲି, ସାଲୁର ଏବଂ ଜୟପୁର ଜମିଦାରୀର ତ୍ରିସିମାଳି ପଥର କେଉଁଠି ରହିଛି ତାହା ଜାଣିଲେ ସୀମା ବିବାଦ ରହିବ ନାହିଁ । ସବୁକିଛି ସ୍ପଷ୍ଟ ହୋଇଯିବ ।
ସେ ଆହୁରି କହିଛନ୍ତି, ଯଦି ଗିଲ୍ବି ରିପୋର୍ଟକୁ ସିଦ୍ଧାନ୍ତ ଭାବେ ଧରାଯିବ ତେବେ ୩୧୮ ନମ୍ବର କାଏନ ଆନ୍ଧ୍ରର ବବ୍ଲି ନିକଟରେ ରହିଛି । ତେଣୁ ବବ୍ଲି ପର୍ଯ୍ୟନ୍ତ ଓଡ଼ିଶାର ସୀମା ରହିବା କଥା । ୧୯୪୫ରେ ଆର୍ସିଏସ୍ ବେଲ୍ଙ୍କ ଦ୍ୱାରା ପ୍ରସ୍ତୁତ ମାନଚିତ୍ରରେ ପଟ୍ଟାଙ୍ଗି-ତାଡ଼ିବାଲାସା ଶଗଡ଼ ରାସ୍ତା କୋରାପୁଟ ତଥା ଓଡ଼ିଶାର ବୋଲି ଦର୍ଶାଯାଇଛି । ଏହାକୁ ସରକାର ଗ୍ରହଣ କରିବା ଆବଶ୍ୟକ । ପ୍ରଥମେ ଓଡ଼ିଶା ଗଠନ ହୋଇଥିଲା । ୧୯୪୫ରେ ଆନ୍ଧ୍ର ଗଠନ ହୋଇ ନଥିଲା । ସେତେବେଳେ ମାଡ୍ରାସ୍ ଷ୍ଟେଟ୍ ଥିଲା । ଏସବୁକୁ ପ୍ରମାଣ ବୋଲି ଧରାଗଲେ ସୀମାର ଅନେକ ଅଞ୍ଚଳକୁ ଆନ୍ଧ୍ର ଜୋର୍ଜବରଦସ୍ତି ଦଖଲ କରି ରଖିଛି । ଏସବୁ ଅଞ୍ଚଳକୁ ଓଡ଼ିଶାକୁ ଫେରାଇ ଆଣିବା ସମୟ ଆସିଛି ବୋଲି ଆମ କୋଟିଆ ସଂଗଠନ କହିଛି ।
ପ୍ରକାଶଥାଉ କି, ୩ ଦିନ ତଳେ କୋଟିଆ ରଥଯାତ୍ରାରେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ୫ ମନ୍ତ୍ରୀ ଯୋଗଦେଇ କୋଟିଆ ପ୍ରସଙ୍ଗରେ ଆଗ୍ରହ ପ୍ରକାଶ କରିଥିଲେ । ଖୋଦ୍ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କୋଟିଆକୁ ନେଇ ଏହା ଓଡ଼ିଶାର ବୋଲି ସ୍ପଷ୍ଟ କରିଥିଲେ ।