ଛତ୍ରପୁର,୦୧/୦୭: ବିଲରେ ଫୁଟିଥିବା ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ଜଣ ଅସୁସ୍ଥ । ଗଞ୍ଜାମ ବ୍ଲକ୍ ସାତୁଳି ଗ୍ରାମରୁ ସାମ୍ନାକୁ ଏହି ଖବର । ଅସୁସ୍ଥ ୮ଜଣକୁ ଚିକିତ୍ସା ପାଇଁ ପ୍ରଥମେ ନିକଟସ୍ଥ ଖଣ୍ଡିଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ, ସୁରଥ ସାହୁଙ୍କ ପରିବାର ସୋମବାର ବିଲରୁ ଛତୁ ଆଣି ରୋଷଇ କରି ଖାଇଥିଲେ । କିଛି ସମୟ ପରେ ସେମାନଙ୍କର ବାନ୍ତି ଆରମ୍ଭ ହୋଇଥିଲା । ପରିବାର ଜଣକ ପରେ ଜଣେ ୮ଜଣ ଅସୁସ୍ଥ ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ନିକଟସ୍ଥ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ହେଲେ ସେଠାରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେବେ ଅସୁସ୍ଥମାନେ ସୁରଥ ସାହୁ, ସୁଶାନ୍ତି ସାହୁ, ଅମର ସାହୁ, ରାଜା ସାହୁ, ବିପନା ସାହୁ, ସୁଇଟି ସାହୁ, ସପନା ସାହୁ, ସୁକୁରୁ ସାହୁ ବୋଲି ଜଣାପଡ଼ିଛି।