ବ୍ରହ୍ମପୁର,୨୮/୦୬: ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଜୀବନ ବଞ୍ଚାଇବାକୁ ଯାଇ ସେ ଛାତରୁ ଖସି ଗୁରୁତର ହୋଇଛନ୍ତି । ଗତ ସୋମବାର ଏହି ଅଘଟଣ ଘଟିଛି । ଜୀବନ ପ୍ରତି ବିପଦ ଏବଂ ଭାଷାଗତ ସମସ୍ୟା ପାଇଁ ବ୍ରହ୍ମପୁର ଆସି ଗୁରୁବାର ଚିକିତ୍ସିତ ହେବା ପରେ ଘଟଣା ସାମ୍ନାକୁ ଆସିଛି ।
ଛାତରୁ ପଡ଼ି ଯୁବତୀଙ୍କ ଗୋଡ଼ ଭାଙ୍ଗିଯାଇଛି ଏବଂ ଅଣ୍ଟାରେ ଗଭୀର ଆଘାତ ଲାଗିଛି । ଆନ୍ଧ୍ରପ୍ରଦେଶରେ ପୀଡ଼ିତା ଅସୁରକ୍ଷିତ ମନେ କରିବାରୁ ପରିବାର ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପୀଡ଼ିତାଙ୍କ ମାନସିକ ସ୍ଥିତି ଠିକ୍ ନ ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ କାଉନ୍ସେଲିଂ କରିବା ସହ ଡାକ୍ତରୀମାଇନା କରିଛନ୍ତି । ଡାକ୍ତର ଗାଙ୍ଗପୁର ପୁଲିସକୁ ଏ ନେଇ ସୂଚନା ଦେଇଥିବା କହିଛନ୍ତି । କିନ୍ତୁ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଅଧିକ ତଥ୍ୟ ଗଣମାଧ୍ୟମକୁ ଦେଇନାହାନ୍ତି ସେ ।
ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି, ସେମାନେ ଗୁଣ୍ଟୁରୁରେ ଭଡ଼ା ଘରେ ରହୁଥିଲେ । ମା’, ଦୁଇ ପୁଅ, ଗୋଟିଏ ଝିଅ ଏକ ଖଇନି କମ୍ପାନିରେ କାମ କରୁଥିଲେ । ସୋମବାର ସମସ୍ତେ କାମକୁ ଯାଇଥିଲେ । ଝିଅ ଏକୁଟିଆ ଘରେ ଥିଲା । ଜଣେ ପରିଚିତ ବ୍ୟକ୍ତି ଘରକୁ ଆସି ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ସେ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିବା ବେଳେ ଛାତରୁ ଖସି ପଡ଼ିଥିଲେ । ଯୁବତୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ପୀଡ଼ିତା ଓ ତାଙ୍କ ପରିବାରଙ୍କ କଥା ଡାକ୍ତର, ପୁଲିସ ଓ ଅନ୍ୟମାନେ ବୁଝିପାରୁନଥିଲେ । ଅଭିଯୁକ୍ତମାନେ ଘେରି ରହିଥିବାରୁ ଭୟରେ ସେମାନେ ପୀଡ଼ିତାଙ୍କୁ ନେଇ ଗୁରୁବାର ରାତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେଇ ଚାଲି ଆସିଥିଲେ । କାଜୁଆଲ୍ଟିରେ ପୀଡ଼ିତାଙ୍କୁ ଭର୍ତ୍ତି କରିବା ପରେ ଡାକ୍ତର ସମସ୍ତ ଘଟଣା ପଚାରିଥିଲେ । ଦୁଷ୍କର୍ମ କରିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ପ୍ରଥମେ କହିଥିଲେ । ପରେ ସେ ବୟାନ ବଦଳାଇ ଦୁଷ୍କର୍ମ ଉଦ୍ୟମ ସମୟରେ ଛାତରୁ ତଳକୁ ଖସିପଡ଼ିଥିବା କହିଥିଲେ ।