ହାଇଦ୍ରାବାଦ, ୨୪/୦୬: ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ଘଟଣା ଚର୍ଚ୍ଚାରେ ଥିବାବେଳେ ଆନ୍ଧ୍ରପ୍ରଦେଶରୁ ଆଉ ଏକ ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଜଣେ ନବବିବାହିତା ମହିଳା ପ୍ରେମିକଙ୍କ ସହ ମିଶି ଗୁଣ୍ଡା ଲଗାଇ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା କୁର୍ନୋଲ ଜିଲ୍ଲାରେ ଘଟିଛି । ମୃତ ଯୁବକ ଜଣକ ହେଲେ ତେଲଙ୍ଗାନାର ଜୋଗୁଲାମ୍ବା ଗଡ଼ୱାଲା ଜିଲ୍ଲାର ତେଜେଶ୍ୱର । ସେ ଆନ୍ଧ୍ରପ୍ରଦେଶରେ ଜମି ନିରୀକ୍ଷକ ଭାବେ କାମ କରୁଥିଲେ ।
ଅଭିଯୋଗ ଅନୁସାରେ, ତେଜେଶ୍ୱର ମେ’ ୧୮ରେ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ । ବିବାହର ୩ ମାସ ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ବିବାହର ମାସେ ପରେ ଜୁନ୍ ୧୭ରେ ତେଜେଶ୍ୱର ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ନିଖୋଜ ଏତଲା ଦେବା ପରେ ସେହିଦିନ ହିଁ ତାଙ୍କ ମୃତଦେହ କୁର୍ନୋଲରୁ ପ୍ରାୟ ୩୦ କିମି ଦୂର ପନୟାମ ମଣ୍ଡଲରେ ଏକ ଖାତରୁ ମିଳିଥିଲା । ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା ।
ପୁଲିସ ସୂଚନା ଅନୁସାରେ, ତେଜେଶ୍ୱରଙ୍କୁ ଅଭିଯୁକ୍ତମାନେ ଏକ ଜମି ସର୍ଭେ ନାଁରେ ଡାକି ବାଟରେ ହତ୍ୟା କରିଥିଲେ । ତେଜେଶ୍ୱରଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଉଭୟଙ୍କ ବିବାହ ଫେବ୍ରୁଆରୀରେ ହେବାର ଥିଲା । କିନ୍ତୁ ବିବାହର ୫ ଦିନ ପୂର୍ବରୁ ଐଶ୍ୱର୍ଯ୍ୟା କେଉଁଆଡ଼େ ଫେରାର ହୋଇଯାଇଥିଲେ । ଘରକୁ ଫେରିବା ପରେ ଐଶ୍ୱର୍ଯ୍ୟା ତେଜେଶ୍ୱରଙ୍କୁ କହିଥିଲେ ଯେ ତାଙ୍କ ପରିବାର ଯୌତୁକ ଦେଇପାରିବେନି । ତେଣୁ ସେ ଘର ଛାଡ଼ି ଜଣେ ସାଙ୍ଗଙ୍କ ଘରକୁ ପଳାଇଥିଲେ । ପରେ ସବୁକିଛି ସ୍ୱାଭାବିକ ଥିବା ଭାବି ତେଜେଶ୍ୱର ବିବାହ କରିଥିଲେ ।
ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଐଶ୍ୱର୍ଯ୍ୟା ଅନ୍ୟ ଜଣଙ୍କୁ ପ୍ରେମ କରୁଥିଲେ । ସେହି ଯୁବକ ଜଣକ କୁର୍ନୋଲରେ ଏକ ବ୍ୟାଙ୍କରେ କାମ କରନ୍ତି । ବିବାହ ପରେ ବି ଐଶ୍ୱର୍ଯ୍ୟା ବ୍ୟାଙ୍କ କର୍ମଚାରୀଙ୍କ ସହ ଯୋଗାଯୋଗରେ ଥିଲେ । କଲ୍ ରେକର୍ଡରୁ ଜଣାପଡ଼ିଛି, ବିବାହ ପରେ ଐଶ୍ୱର୍ଯ୍ୟା ୨ ହଜାରରୁ ଅଧିକ ଫୋନ୍ ସେହି ଯୁବକଙ୍କୁ କରିଛନ୍ତି । ପରକୀୟା ପ୍ରୀତି ଏବଂ ତେଜେଶ୍ୱରଙ୍କୁ ରାସ୍ତାରୁ ହଟାଇ ତାଙ୍କ ସମ୍ପତ୍ତି ହଡ଼ପ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇଛି । ଏଥିପାଇଁ ଐଶ୍ୱର୍ଯ୍ୟାଙ୍କ ପ୍ରେମିକ ଭଡ଼ାରେ ଗୁଣ୍ଡା ଆଣିଥିଲେ ବୋଲି ପୁଲିସ କହିଛି । ଐଶ୍ୱର୍ଯ୍ୟାଙ୍କ ପ୍ରେମିକ ଫେରାର ଅଛନ୍ତି । ଐଶ୍ୱର୍ଯ୍ୟା ଏବଂ ତାଙ୍କ ମା’ଙ୍କୁ ଗିରଫ କରାଯାଇଛି