ଭଞ୍ଜନଗର ୨୯/୬: ଗଞ୍ଜାମ-କନ୍ଧମାଳ ସୀମା ଗସମା ଜଙ୍ଗଲରୁ ରବିବାର ସନ୍ଧ୍ୟାରେ ଏକ ଗଳିତ ଶବକୁ ଉଦ୍ଧାର କରିଛି ଚକାପାଦ ପୁଲିସ। ଏ ସଂପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ। ଏପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡା ପଞ୍ଚାୟତର ଭାଲୁଗୁଡା ଗାଁର ଜଣେ ୧୫ ବର୍ଷୀୟା ନାବାଳିକା ଝରଣା ମଳିକଙ୍କୁ ସେହି ଗ୍ରାମ ନିକଟବର୍ତ୍ତୀ ଡିମ୍ବିରି ଝୋଳି ଗ୍ରାମର ଜଣେ ଯୁବକ ଗତ ଏକମାସ ତଳେ ଅପହରଣ କରିନେଇଥିବା ନେଇ ଝିଅର ବାପା ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଭଞ୍ଜନଗର ପୁଲିସ ଥାନା କେଶ୍ ନମ୍ବର ୭୩୬/୨୫ ପ୍ରକାରେ ଏକ ଅପହରଣ ମାମଲା ରୁଜୁ କରି ଝରଣା ସଂପର୍କରେ ଖୋଳତାଡ କରୁଥିବା ବେଳେ ଜଙ୍ଗଲରୁ ମିଳିଥିବା ହାଡ କଙ୍କାଳ ଓ ତା ନିକଟରେ ପଡିଥିବା କିଛି ସାମଗ୍ରୀ ଦେଖି ଏହା ତାଙ୍କ ଝିଅ ବୋଲି ଝରଣାଙ୍କ ବାପା ସ୍ପଷ୍ଟ କରିଛନ୍ତି।
ଏ କଥା ଜଣାପଡିବା ପରେ ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକ, ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ଅନ୍ୟାନ୍ୟ ଷ୍ଟାଫ୍ ଗସମା ଜଙ୍ଗଲକୁ ଯାଇ ଘଟଣାର ଅଧିକ ଛାନଭିନ୍ କରିଛନ୍ତି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ନାବାଳିକା ଝରଣାର ଗସମା ଜଙ୍ଗଲରୁ ଚିହ୍ନଟ ହେଲା ତାକୁ ନେଇ ପୁଲିସ ଏବେ ପୁରା ଘଟଣାକୁ ଘାଣ୍ଟିବା ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ସେପଟେ ଅପହର୍ତ୍ତା ଧରା ପଡିବା ପରେ ପ୍ରକୃତ ଘଟଣା ସଂପର୍କରେ ପୁଲିସ କିଛି କହିପାରିବ ବୋଲି ଏସଡିପିଓ ସୁଜିତ କୁମାର ନାୟକ ସ୍ପଷ୍ଟ କରିଛନ୍ତି। ଜବତ ହୋଇଥିବା କଙ୍କାଳ ଓ ତା ନିକଟରେ ପଡିଥିବା କିଛି ଚୁଟି ର ଡିଏନଏ ଟେଷ୍ଟ କରାଯିବା ପରେ ପ୍ରକୃତରେ ମିଳିଥିବା କଙ୍କାଳ ଆଦିବାସୀ ନାବାଳିକା ଝରଣାର ନା ନାହିଁ ତାହା ସ୍ପଷ୍ଟ ହୋଇଯିବ। ଏଣୁ ପୁଲିସ ଏଦିଗରେ ଅଗ୍ରସର ହେଉଥିବା ସୂଚନା ମିଳିଛି ।