ନୂଆଦିଲ୍ଲୀ,୦୩/୮: ଦିଲ୍ଲୀର ଏକ ସ୍କୁଲକୁ ବୋମା ଧମକ ମିଳିବା ଘଟଣା । ଏହି ଘଟଣାରେ ଆସିଛି ଏକ ବଡ ଟ୍ବିଷ୍ଟ। କୌଣସି ଆତଙ୍କବାଦୀ କିମ୍ବା ଉଗ୍ର ଗୋଷ୍ଠୀ ନୁହନ୍ତି, ବରଂ ସେହି ସ୍କୁଲର ଜଣେ ଛାତ୍ର ବୋମା ଧମକ ଦେଇଥିବା ଜଣାପଡିଛି। ସ୍କୁଲ୍ ଯିବାକୁ ଇଚ୍ଛା ନ ହେବାରୁ ଛାତ୍ର ଜଣକ ଏପରି ଷଡ଼ଯନ୍ତ୍ର କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ ବାରଟାରେ ଦକ୍ଷିଣ ଦିଲ୍ଲୀର କୈଳାସ କଲୋନୀରେ ଥିବା ସମର୍ ଫିଲ୍ଡ ସ୍କୁଲକୁ ବୋମା ଧମକ ମିଳିଥିଲା। ଇମେଲ ଯୋଗେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା । ସକାଳେ ସ୍କୁଲ୍ ଖୋଲିବା ମାତ୍ରେ କର୍ତ୍ତୃପକ୍ଷ ମେଲ୍ ଦେଖି ସତର୍କତା ଅବଲମ୍ବନ କରିବା ସହ ତରୁନ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ଏଥିସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ। ତେବେ ଏନେଇ ପୋଲିସ ଖବର ପାଇ ସ୍କୁଲରେ ପହଞ୍ଚି ମେଲ୍ ଯାଞ୍ଚ କରିଥିଲା । ଏନେଇ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ସନ୍ଦେହ କରି ପଚରାଉଚରା କରିଥିଲା ପୋଲିସ । ଏହି ସମୟରେ ଛାତ୍ର ଜଣକ ନିଜର ଦୋଷ ସ୍ବୀକାର କରିଛନ୍ତି । ତେବେ ତାଙ୍କର ସ୍କୁଲ୍ ଯିବାକୁ ଇଚ୍ଛା ନ ହେବାରୁ ସେ ଏପରି କରିଥିବା ଛାତ୍ର ଜଣକ କହିଥିବା ସୂଚନା ମିଳିଛି।