ଫିରିଙ୍ଗିଆ, ୨୩।୫: ବର୍ତ୍ତମାନ ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି । କେଉଁଠି ଚୁଆ ପାଣି ଉପରେ ଲୋକେ ଭରସା କରୁଛନ୍ତି ତ କେଉଁଠି ନଦୀ ପାଣି ଉପରେ ଭରସା କରି ବର୍ଷ ତମାମ ଚଳୁଛନ୍ତି ଅନେକ ଗ୍ରାମବାସୀ l ଏମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଯେମିତି ସାତ ସପନ ପାଲଟିଥିବା ବେଳେ ଆଜି ପର୍ଯ୍ୟନ୍ତ ବି କୌଣସି ସୁବିଧା ପହଞ୍ଚି ପାରିନାହିଁ । ଯାହାଦ୍ୱାରା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଖରାଦିନରେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି l ଏମିତି ଏକ ଗାଁ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ୍ ଗୋଛାପଡ଼ା ପଞ୍ଚାୟତ ୭ ନମ୍ବର ୱାର୍ଡ ଡେରାକୁମ୍ପା ଗାଁ ନିକଟ ମଝି ସାହି ହରିଜନ ସାହିରେ l
ଏହି ଗାଁ ଡେରାକୁମ୍ପା ଗାଁ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଗାଁଠାରୁ ଦୂରରେ ରହିଛି ଏହି ଗାଁରେ ୬ଟି ଦଳିତ ପରିବାର ରହିଛନ୍ତି ଗାଁରେ ପାଣି ପାଇଁ ସେଭଳି କିଛି ବ୍ୟବସ୍ଥା ନଥିବାରୁ ବର୍ଷ ତମାମ ଗାଁରୁ କିଛି ଦୂରରେ ଥିବା ପାଟିଙ୍ଗ ନାଳରୁ ପାଣି ପିଇବା ଓ ଅନ୍ୟାନ୍ୟ ବ୍ୟବହାର କରୁଥିବା ବେଳେ ସୁନା ମୁଦି ନଦୀର ପାଣିରେ ଗାଧୋଉଥିବା କହିଛନ୍ତି ଗ୍ରାମବାସୀ । ଏବେ ନଦୀ ନାଳ ମଧ୍ୟ ସୁଖି ଯାଇଥିବା ବେଳେ ନଦୀ ପାଣି ମଧ୍ୟ ଗୋଳିଆ ହୋଇପଡ଼ିଛି ଯାହାକୁ ନେଇ ପାଣି ପାଇଁ ସମସ୍ୟା ପାଲଟିଛି l
ପାଣି ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଫିରିଙ୍ଗିଆ ବିଡିଓ ଏବଂ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ସଫଳ ହୋଇ ପାରିନାହିଁ l ତୁରନ୍ତ ଗାଁରେ ଏକ ନୂତନ ନଳକୂପ କିମ୍ବା ପିଇବା ପାଣି ଯୋଗାଇଦେବାକୁ ସମିତା ଦିଗାଲ, ଜୁମେଲୀ ଦିଗାଲ, ସନ୍ୟାସୀ ଦିଗାଲ, ଗୁରୁବନ ଦିଗାଲ, କିଶୋର ଦିଗାଲ, ଡମ୍ବରୁ ଦିଗାଲ ଓ ଅନ୍ୟ ଗ୍ରାମବାସୀ ଦାବି କରିଛନ୍ତି l