ଭୁବନେଶ୍ୱର, ୦୭/୦୮ : ରିମାଣ୍ଡରେ ଦୁହ୍ଲେ ରାଜା। ବିବାହର ପ୍ରତିଶ୍ରୁତି ଦେଇ ସାରା ଦେଶରେ ବିଭିନ୍ନ ସ୍ଥାନରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ସେମାନଙ୍କୁ ଧୋକା ଦେଇଥିବା ଅଭିଯୋଗରେ ଗିରଫ ଯାଜପୁରର ସତ୍ୟଜିତ୍ ସାମିଲ୍ଙ୍କୁ ମଙ୍ଗଳବାର ରିମାଣ୍ଡରେ ଆଣିଛି ପୁଲିସ୍ । ତାଙ୍କୁ ଜେରା କରିବା ସହ ସେ ରହୁଥିବା ଘରକୁ ଯାଇଥିଲା ପୁଲିସ । ସେଠାରୁ ଲାପ୍ଟପ୍, ପାସ୍ପୋର୍ଟ ଓ ଏକ ପେନ୍ଡ୍ରାଇଭ୍ ଜବତ ହୋଇଛି । ଉକ୍ତ ପେନ୍ ଡ୍ରାଇଭରେ ୩୮ ଜଣ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଥିବା ପୁଲିସ୍ କହିଛି। ତେବେ ଆଜି ରିମାଣ୍ଡ ଅବଧି ଶେଷ ହେବ। ଦ୍ବିତୀୟ ଥର ପାଇଁ ପୁଣି ରିମାଣ୍ଡରେ ଆଣିବାକୁ ଆବେଦନ କରିବ କ୍ୟାପିଟାଲ ଥାନା ପୋଲିସ।
ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ସତ୍ୟଜିତ୍ଙ୍କୁ ପୁଲିସ୍ ଜେଲ୍ରୁ ଆଣିବା ପରେ ଥାନାରେ କିଛି ସମୟ ଜେରା କରିଥିଲା। ପରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ତା’ ଭଡା ଘରକୁ ନେଇଥିଲା। ରୁମ୍ ଭିତରେ ମାଳ ମାଳ କଣ୍ଡୋମ ଦେଖି ପୁଲିସ୍ ତାଜୁବ ହୋଇଥିଲା । ଉକ୍ତ ରୁମ୍ରୁ ଲାପ୍ଟପ୍, ପାସ୍ପୋର୍ଟ ଓ ଏକ ୫୧୨ ଜିବିର ପେନ୍ଡ୍ରାଇଭ୍ ମିଳିଥିଲା । ଲାପ୍ଟପ୍ରେ ମଧ୍ୟ କିଛି ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ପୁଲିସ୍ ପାଇଛି । ସେପଟେ କ୍ୟାପିଟାଲ୍ ଥାନା ପୁଲିସ୍ ଆଜି ଆଉ କିଛି ମହିଳା ଓ ଯୁବତୀଙ୍କୁ ଯୋଗାଯୋଗ କରିଥିଲା । ହେଲେ ସେମାନେ କୌଣସି ପ୍ରକାର ଅଭିଯୋଗ କରିବାକୁ ମନା କରି ଦେଇଛନ୍ତି ।