ସମ୍ବଲପୁର,୧୫/୦୭: ଚାନ୍ଦଲିଡୁଙ୍ଗୁରୀରେ ହେବ କ୍ୟାମ୍ପେନିଂ କଟେଜ୍ । ଅଶୋକ ନିବାସ ନିକଟରେ ମିଳିବ କେରଳ ଶୈଳୀର କାରାଭାନ୍ ପାର୍କ । ସନ୍ଧ୍ୟାରେ ଝଟକିବ ୱାଟର ଲେଜର ମ୍ୟୁଜିକ୍ ସୋ । ଜଳଭଣ୍ଡାରରେ ହେବ କ୍ରୁଜ୍ ଟର୍ମିନାଲ । ଗୋଆ ଓ ଭେନିସ୍ ସହର ଭଳି ବୋଟ୍ ହାଉସ୍ ଉପଭୋଗ କରିବେ ପର୍ଯ୍ୟଟକ । ୱାଟର ସ୍ପୋର୍ଟସ୍ ପାଇଁ ନିର୍ମାଣ କରାଯିବ ସ୍ଥାୟୀ ବୋଟିଂ ଜେଟି ଟର୍ମିନାଲ୍ ।
ଜମାଦାରପାଲି ଅଞ୍ଚଳରେ ହେବ କ୍ୟାମ୍ପେ୍ନିଂ ସାଇଟ୍ ସାଙ୍ଗକୁ ଲାଇଟ୍ ଓ ସାଉଣ୍ଡ ସୋ । ଆଖପାଖ ପରିବେଶ ଆକର୍ଷଣୀୟ କରିବାକୁ ରହିବ ଜାପାନିଜ୍ ପଥର ପାଚେରି । ପର୍ଯ୍ୟଟକଙ୍କ ପାଇଁ ହେବ ବିଶାଳ ସ୍ଥାୟୀ ପାର୍କିଂ । ଝାରସୁଗୁଡ଼ା ଅଞ୍ଚଳରେ ବି ଆଇଲାଣ୍ଡ ବିକାଶ ପାଇଁ ହୋଟେଲ୍, ରିସୋର୍ଟ ବ୍ୟବସ୍ଥା କରାଯିବ । ହୀରାକୁଦକୁ ଜଳକ୍ରୀଡ଼ାର ଭୂସ୍ୱର୍ଗ ତଥା ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ଜଳସମ୍ପଦ ବିଭାଗ ଆରମ୍ଭ କରିଛି ଏଭଳି ପ୍ରସ୍ତୁତି ।
ହୀରାକୁଦ ନଦୀବନ୍ଧ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସ୍ଥାୟୀ ଓ ଅସ୍ଥାୟୀ ନିର୍ମାଣ ନେଇ ଗତ ମେ’ ୧୬ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଜଳସମ୍ପଦ ବିଭାଗକୁ ଏନ୍ଓସି ପାଇଁ ଆବେଦନ କରିଥିଲା । ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ମତାମତ ଦେବାକୁ ବିଭାଗୀୟ ଚିଠି ହୋଇଛି । ଯାହାକି ଖୁବଶୀଘ୍ର କାମ ହେବାକୁ ଯାଉଥିବା କୁହାଯାଉଛି । ସମ୍ବଲପୁର, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାକୁ ନେଇ ହୀରାକୁଦ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏସଏଏସ୍ସିଆଇ ଯୋଜନାରେ ବହୁ କୋଟି ଟଙ୍କାର ପ୍ରକଳ୍ପ ତିଆରି ହେବ । ହୀରାକୁଦକୁ ବିଶ୍ୱସ୍ତରୀୟ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ ।
ହୀରାକୁଦରେ ମିଳିବ ହିମାଚଳ ଦୁର୍ଗମ ପାହାଡ଼ ଚିରି ବହିଯାଇଥିବା ନଦୀରେ ହେଉଥିବା ଦୁଃସାହାସିକ ଜଳକ୍ରୀଡ଼ାର ଅନୁଭୂତି । ଗୋଆ, ଦୁବାଇ ଭଳି ସ୍କୁବା ଡାଇଭିଂ କରିବେ ପର୍ଯ୍ୟଟକ । ମନାଲି ପାହାଡ଼ ଭଳି ହୀରାକୁଦର ଜଳରାଶିରେ ପାରାଗ୍ଲାଇଡିଂ ଓ ପାରାସେଲିଂର ବି ମଜାନେବେ । ରାଫଟିଂ, ଜେଟସ୍କି, ବମ୍ପର ରାଇଡ୍, ବାନାରା ରାଇଡ୍, ବେଲୁନ୍ ରାଇଡ୍ ଭଳି କୌତୁହଳପୂର୍ଣ୍ଣ ଜଳକ୍ରୀଡ଼ା ଉପଲବ୍ଧ ହେବ । ଏଥିପାଇଁ ସ୍ଥାୟୀ ବୋଟିଂ ଜେଟି ଟର୍ମିନାଲ୍ ତିଆରି କରାଯିବ । ଏହାସହ ବଡ଼ ହୋଟେଲ୍, ପାର୍କିଂ, ମଲ୍, ଡ୍ୟାମ୍ ସଂଗ୍ରହାଳୟ, ଆକର୍ଷଣୀୟ ଚଲାପଥ ବି ତିଆରି ହେବ ।
ପୂର୍ବରୁ ଏଠାରେ ଗୋଆ, କେରଳ ଭଳି ପର୍ଯ୍ୟଟକ ବୋଟ୍ ହାଉସ୍ ପାଇଁ ମଧ୍ୟ ଯୋଜନା ହୋଇଛି । ଏଥିରେ ହୋଟେଲ୍ ଭଳି ସୁବିଧା ରହିବ। ଚକାଚକ୍ କୋଠରି ସହ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେବ । ପର୍ଯ୍ୟଟକ ହୀରାକୁଦ ଜଳଭଣ୍ଡାରରେ ରାତିର ମଜା ଉଠାଇବେ । ଖୁବଶୀଘ୍ର ହୀରାକୁଦକୁ ଆସିବ ବୋଟ୍ ହାଉସ୍ । ଏବେ ହୀରାକୁଦର ୨ଟି ସ୍ଥାନରେ ୱାଟର୍ ସ୍ପୋର୍ଟସ୍ ରହିଛି । ସେଠାରେ କେବଳ ହାତଗଣତି କ୍ରୀଡ଼ା ଉପଲବ୍ଧ ରହିଛି । ତେଣୁ ଆଗକୁ ପର୍ଯ୍ୟଟନକୁ ଆକର୍ଷଣୀୟ ଓ କୌତୂହଳପୂର୍ଣ୍ଣ କ୍ରୀଡ଼ା ସୁବିଧା ଦେବାକୁ ଲକ୍ଷ୍ୟ ରଖାଯାଇଛି ।
କେବଳ ଜଳକ୍ରୀଡ଼ା ନୁହେଁ, ବନ୍ୟପ୍ରାଣୀ, ଆର୍ଦ୍ରଭୂମି ଏବଂ ଜଳସମ୍ପଦରେ ପରିପୂର୍ଣ୍ଣ ସମ୍ବଲପୁର ପାଇଁ ପ୍ରସ୍ତୁତ ହେଉଥିବା ‘ମାଷ୍ଟରପ୍ଲାନ୍’ ପର୍ଯ୍ୟଟକ ପାଇଁ ଭୂସ୍ୱର୍ଗ ପାଲଟିବ । ହୀରାକୁଦ ଗାଥାକୁ ନେଇ ମ୍ୟୁଜିୟମ ତିଆରି ହେବ । ହୀରାକୁଦ ନଦୀବନ୍ଧ ତିଆରି କାହାଣୀକୁ ନେଇ ଲେଜର୍ ସୋ ହେବ । ଯାହାକି ଦେଶ, ବିଦେଶରୁ ଆସୁଥିବା ପର୍ଯ୍ୟଟକ ହୀରାକୁଦ ଉପରେ ଅଧିକ ଜାଣିପାରିବେ । ସେହିଭଳି ହୀରାକୁଦରେ ବୀର ସୁରେନ୍ଦ୍ର ସାଏଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ଯୋଜନା ରହିଛି । ଷ୍ଟାଚ୍ୟୁ ଅଫ୍ ୟୁନିଟି ଶୈଳୀରେ ଏହା ନିର୍ମାଣ ହେବ । ଏନେଇ କେତେକ ସ୍ଥାୟୀ ଓ ଅସ୍ଥାୟୀ ନିର୍ମାଣ ନେଇ ନୋ ଅବଜେକନ୍ ସାର୍ଟିଫିକେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଜଳସମ୍ପଦ ବିଭାଗ