ନମୌଜା,୧୫/୭: ସରକାରୀ ସୁବିଧାରୁ ବଞ୍ଚିତ ରାକିଶୋରଙ୍କ ପରିବାର । ଓଳିଏ ଖାଇଲେ ଓଳିଏ ଉପାସ ରୁହନ୍ତି ଦୁଇ ପ୍ରାଣୀ। ଜଣଙ୍କର ଗୋଡ଼ ନାହିଁ ଭିନ୍ନକ୍ଷମ । ଅନ୍ୟ ଜଣେ ସ୍ନାୟୁ ଜନିତ ରୋଗରେ ପୀଡ଼ିତ । ଜଣେ କୁତ୍ରିମ ଗୋଡ଼ରେ ଚଳପ୍ରଚଳ କରୁଥିବା ବେଳେ ଅନ୍ୟଜଣେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ପରିବାର କହିଲେ ରାଜକିଶୋର ଏବଂ ତାଙ୍କ ପତ୍ନୀ । ସରକାରୀ ସୁବିଧା ମିଳୁନଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ବେଲସରପୁର ଗାଁର ଏହି ଦମ୍ପତି ଅତି ଦୟନୀୟ ଜୀବନ କାଟୁଛନ୍ତି । ବୟସର ଅତିକ୍ରାନ୍ତରେ ଦୁଇ ପ୍ରାଣୀ ବର୍ତ୍ତମାନ ସମୟରେ ନିସହାୟ ।
ଦୁର୍ଘଟଣାରେ ରାଜକିଶୋର ବାମ ଗୋଡ଼ ହରାଇ ବସିଛନ୍ତି l ପରିବାର କହିଲେ ରାଜକିଶୋର ଓ ତାଙ୍କ ପତ୍ନୀ ଗୀତା। ଗିରବଙ୍କ ପାଇଁ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି । ହେଲେ ଏମାନେ ଏଥିରୁ ବଞ୍ଚିତ । ନା ପିନ୍ଧିବାକୁ ଭଲ କପଡ଼ା ଖଣ୍ଡେ ଅଛି, ନା ଖାଇବାକୁ ଦୁଇ ଓଳି ଦୁଇ ମୁଠା ଦାନା । ଖରା କାକରରେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘରେ ଖଣ୍ଡେ ବି ନାହିଁ । ବର୍ଷା ଦିନ କଥା ନକହିବା ଭଲ, ଛପରରେ ପାଣି ଗଳୁଥିବାରୁ ବର୍ଷା ରାତିରେ ଉଜାଗର ରହୁଛନ୍ତି ଗରିବ ଦମ୍ପତି ।
ଭିନ୍ନକ୍ଷମ ହୋଇଥିବାରୁ ରାଜକିଶୋରଙ୍କ ନିକଟରେ ରୋଜଗାର ନାହିଁ । କୁତ୍ରିମ ଗୋଡ଼ ସାହାଯ୍ୟରେ ମାଗିଯାଚି ଯାହା ଆଣନ୍ତି ସେତିକରେ ଦୁଇ ପ୍ରାଣୀଙ୍କ ପେଟକୁ ଦାନା ମୁଠେଏ ଯାଏ । ଦିବ୍ୟାଙ୍ଗ ପ୍ରମାଣ ପତ୍ର ନଥିବାରୁ ସରକାରଙ୍କଠୁ ମିଳୁଛି ଭିନ୍ନକ୍ଷମ ଭତ୍ତା । ଏନେଇ ପଞ୍ଚାୟତଠୁ ବ୍ଲକ୍ କାର୍ଯ୍ୟାଳୟ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି । ବାବୁ, ଅଧିକାରୀମାନଙ୍କୁ ଗୁହାରି କରି ଥକି ଗଲେଣି ତଥାପି ଫଳ ଶୂନ । ଭୋଟର ପରିଚୟ ପତ୍ର ପାଇଁ ଦୁଇ ଥର ଆବେଦନ କରିଥିଲେ ତାହା ବି ରିଜେକ୍ଟ ହୋଇଯାଉଛି । ରାସନ କାର୍ଡ ନଥିବାରୁ ରାସନ ସାମଗ୍ରୀ ମିଳୁନାହିଁ । ରାଜକିଶୋରଙ୍କୁ ବାର୍ଦ୍ଧକ୍ୟ ଭତ୍ତା କିମ୍ବା ଭିନ୍ନକ୍ଷମ ଭତ୍ତା ମିଳିଲେ ଅଭାବୀ ଦମ୍ପତି ଦୁଃଖେ କଷ୍ଟେ ଚଳିଯାଏନ୍ତେ ବୋଲି ଗ୍ରାମବାସୀମାନେ ନିବେଦନ କରିଛନ୍ତି। ଏ ନେଇ ଆଳି ବିଡିଓ ଅବିନାଶ ବିଶ୍ୱଜିତ ସେଠିଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ସମ୍ପର୍କରେ ଉକ୍ତ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରି କିପରି ରାଜକିଶୋରଙ୍କୁ ସରକାରୀ ସୁବିଧା ମିଳିପାରିବ ସେନେଇ ପଦକ୍ଷେପ ଗ୍ରହଣ କରିବେ ।