ଭୁବନେଶ୍ୱର,୧୫/୦୭: ନୂଆ ୧୦୮ ଆମ୍ବୁଲାନ୍ସ କିଣିବା ପାଇଁ ସରିଲା ଟେଣ୍ଡର ପ୍ରକ୍ରିୟା । କାଗଜପତ୍ର ପାଇଁ ଲାଗିବ ଆଉ ଏକ ସପ୍ତାହ । ଟେଣ୍ଡର ସରିବାର ୬୦ ଦିନରେ ଆସିବ ୪୩୨ଟି ନୂଆ ଆମ୍ବୁଲାନ୍ସ । ଏମ୍ରି ଗ୍ରୀନ୍ ହେଲ୍ଥ ସର୍ଭିସ ସଂସ୍ଥା ୧୦୮ ଆମ୍ବୁଲାନ୍ସ ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ଏହି ସୂଚନା ଦେଇଛନ୍ତି ।
ରାଜ୍ୟରେ ୧୦୮ ଆମ୍ବୁଲାନ୍ସର ସ୍ଥିତି ଦୟନୀୟ ଥିବା ଅଭିଯୋଗ ହେଉଥିଲା । ବର୍ତ୍ତମାନ ରାଜ୍ୟରେ ୮୬୦ଟି ୧୦୮ ଆମ୍ବୁଲାନ୍ସ ଗଡୁଛି । ସେଥିରୁ ୪୨୦ଟି ଆମ୍ବୁଲାନ୍ସ ଦଦରା ଅବସ୍ଥାକୁ ଆସିଗଲାଣି । ରୋଗୀ ଆମ୍ବୁଲାନ୍ସରେ ବସିଲେ ଭୟ କରୁଛନ୍ତି । ହେଲେ ସ୍ୱାସ୍ଥ୍ୟ ବିଭାଗ ନୂଆ ଆମ୍ବୁଲାନ୍ସ ଆଣିବା କ୍ଷେତ୍ରରେ ମନ୍ଥରତା ପ୍ରକାଶ କରୁଥିବା ଅଭିଯୋଗ ହୋଇଥିଲା । ରାସ୍ତାରେ ରୁଗ୍ଣ ଅବସ୍ଥାରେ ଗଡ଼ୁଥିବା ୧୦୮ ଆମ୍ବୁଲାନ୍ସକୁ ଦେଖିଲେ ଲୋକେ ଭୟ କରୁଛନ୍ତି । କେତେକ ଆମ୍ବୁଲାନ୍ସ କଳଙ୍କି ଲାଗିଗଲାଣି । ରୋଗୀ ନେଇ ଯାଉଥିଲା ବେଳେ ଅଧା ବାଟରେ ଗାଡ଼ି ଖରାପ ହୋଇଯାଉଛି । ରାଜ୍ୟବାସୀ ବହୁ ମାତ୍ରାରେ ୧୦୮ ଆମ୍ବୁଲାନ୍ସ ଉପରେ ନିର୍ଭର କରୁଛନ୍ତି । ସେଥିପାଇଁ ଦୈନିକ ୨୪ ଘଣ୍ଟା ରୋଗୀଙ୍କ ପାଇଁ ଦୌଡୁଛି ଏହି ଆମ୍ବୁଲାନ୍ସ ।
ଗୋଟିଏ ଆମ୍ବୁଲାନ୍ସ ୫ବର୍ଷ କିମ୍ବା ୫ଲକ୍ଷ କିମି ଚାଲିବା ପରେ ଏହାକୁ ବଦଳାଇବା ନିୟମ ରହିଛି । ରାଜ୍ୟ ସରକାର ଆମ୍ବୁଲାନ୍ସ ପ୍ରଦାନ କରିବେ । ଏହାକୁ ପରିଚାଳନା କରୁଥିବା ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବ । ରାଜ୍ୟରେ ନିକଟରେ ଏମ୍ରି ଗ୍ରୀନ୍ ହେଲ୍ଥ ସର୍ଭିସ ସଂସ୍ଥା ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ୱ ନେଇଛି । ହେଲେ ଆମ୍ବୁଲାନ୍ସଗୁଡ଼ିକ ଦଦରା ଅବସ୍ଥାରେ ରହିଛି । ଯେତେ ମରାମତି କଲେ ବି ଅଳ୍ପଦିନରେ ପୁଣି ସେହି ଦଦରା ଅବସ୍ଥାକୁ ଆସିଯାଉଛି ।