ନୂଆଦିଲ୍ଲୀ,୧୫/୦୭: ବାଂଲାଦେଶର ଅନ୍ତରୀଣ ସରକାରର ପ୍ରମୁଖ ପ୍ରଫେସର ମହମ୍ମଦ ୟୁନୁସ ହରିଭଙ୍ଗା କିସମର ୧ କ୍ୱିଣ୍ଟାଲ ଆମ୍ବ ଭାରତ ପଠାଇଛନ୍ତି । ଏହାକୁ ପ୍ରଧାନମନ୍ତ୍ରୀ ମୋଦି, ଭାରତର ରାଜନୈତିକ ନେତା ଓ ଅନ୍ୟ ଅଧିକାରୀମାନଙ୍କୁ ଉପହାର ଭାବେ ପ୍ରଦାନ କରାଯିବ । ଭାରତ ସହ ସମ୍ପର୍କକୁ ମଜଭୁତ କରିବାର ପ୍ରୟାସରେ ବାଂଲାଦେଶ ଏହି ଆମ୍ବ କୂଟନୀତି ଆପଣେଇଛି ।
ୟୁନୁସ ସରକାର କେବଳ ଭାରତ ସରକାରଙ୍କୁ ନୁହେଁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କୁ ମଧ୍ୟ ହରିଭଙ୍ଗା ଆମ୍ବ ପଠାଇଛନ୍ତି । ବାଂଲାଦେଶର ହରିଭଙ୍ଗାକୁ ସବୁଠୁ ଭଲ ଗୁଣବତ୍ତାସମ୍ପନ୍ନ ଆମ୍ବ ଭାବେ ବିବେଚନା କରାଯାଏ । ଭାରତରେ ଏହାକୁ ଖୁବ୍ ପସନ୍ଦ କରାଯାଏ । ବାଂଲାଦେଶୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବାଂଲାଦେଶ ଉଚ୍ଚାୟୋଗର ଜଣେ କଧିକାରୀ କହିଛନ୍ତି, ଏହି ଆମ୍ବକୁ ସଦ୍ଭାବନାର ପ୍ରତୀକ ରୂପେ ଭାରତକୁ ପଠାଯାଇଛି ।
ସୋମବାର ଏହା ନୂଆଦିଲ୍ଲୀରେ ପହଞ୍ଚିଥିବା କଥା ସେ ସ୍ପଷ୍ଟ କରିଛନ୍ତି । ବାଂଲାଦେଶରୁ ଭାରତକୁ ଆମ୍ବ ପଠାଇବା ପରମ୍ପରା ନୂଆ ନୁହେଁ । ପୂର୍ବ ସରକାର ମଧ୍ୟ ଭାରତକୁ ଆମ୍ବ ପଠାଇଛନ୍ତି । ଏ ଥର ଏହି ପ୍ରୟାସକୁ ସ୍ୱତନ୍ତ୍ର ମନେକରାଯିବାର କାରଣ ଗତ ବର୍ଷ ବାଂଲାଦେଶରେ ବିଦ୍ୟାର୍ଥୀଙ୍କ ନେତୃତ୍ୱରେ ହୋଇଥିବା ବଡ଼ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ଗାଦିଚ୍ୟୁତ ହେବାକୁ ପଡ଼ିଥିଲା । ଏହା ପରେ ଭାରତ ଓ ବାଂଲାଦେଶ ସମ୍ପର୍କରେ ଟିକିଏ ଦୂରତା ଆସିଥିଲା । କାରଣ ହସୀନାଙ୍କୁ ଭାରତର ଘନିଷ୍ଠ ବୋଲି କୁହାଯାଉଥିଲା । ଏହି ପରମ୍ପରା ଜାରି ରହିବ ନାଁ ଏଇଠି ବନ୍ଦ ହୋଇଯିବ, ତାକୁ ନେଇ ପ୍ରଶ୍ନ ଉଠୁଥିଲା ।