ନୂଆଦିଲ୍ଲୀ,୧୫/୦୭: ବିଶ୍ୱର ସବୁଠୁ ବୟସ୍କ ଆଥଲେଟଙ୍କ ମୃତ୍ୟୁ । ପୁରସ୍କାର ପ୍ରାପ୍ତ ମାରାଥନ ଧାବକ ଫୌଜା ସିଂଙ୍କର ମୃତ୍ୟୁ ହୋଇଛି । ସୋମବାର ଦିନ ଏକ ସଡ଼କ ଦୁର୍ଘଟଣାରେ ୧୧୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ସେ ତାଙ୍କ ଜନ୍ମସ୍ଥାନ ବ୍ୟାସରେ ବୁଲିବାକୁ ଯାଇଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ଜଳନ୍ଧରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଖବରକୁ ସ୍ଥାନୀୟ ପୁଲିସ ଏବଂ ତାଙ୍କ ଜୀବନ ଉପରେ ଏକ ପୁସ୍ତକ 'ଦି ଟର୍ବାନେଡ୍ ଟୋର୍ନାଡୋ' ଲେଖିଥିବା ଲେଖକ ଖୁଶୱନ୍ତ ସିଂହ ନିଶ୍ଚିତ କରିଛନ୍ତି।
ଆଦମପୁର ଥାନାର ଏସଏଚଓ ହରଦେବପ୍ରୀତ ସିଂହ କହିଛନ୍ତି ଯେ, ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ପଳାଇଯାଇଛି ଏବଂ ଏପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି ଏବଂ ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଆଧାରରେ ଗାଡି ଏବଂ ଡ୍ରାଇଭରଙ୍କୁ ଖୋଜୁଛି। ଘଟଣାଟି ଅପରାହ୍ନ ପ୍ରାୟ ୩ଟା ୩୦ ସମୟରେ ଘଟିଥିବା କୁହାଯାଉଛି, ଯେତେବେଳେ ଫୌଜା ସିଂହ ରାସ୍ତା ପାର ହେଉଥିଲେ। ଏନେଇ ପଞ୍ଜାବ ରାଜ୍ୟପାଳ ଏବଂ ଚଣ୍ଡିଗଡ଼ ପ୍ରଶାସକ ଗୁଲାବ ଚାନ୍ଦ କଟାରିଆ ମଧ୍ୟ ଫୌଜା ସିଂହଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଲେଖିଛନ୍ତି, "ଜଣେ ମହାନ ମାରାଥନ ରନର ଏବଂ ଦୃଢ଼ତାର ପ୍ରତୀକ ସର୍ଦ୍ଦାର ଫୌଜା ସିଂହ ଜୀଙ୍କ ମୃତ୍ୟୁରେ ମୁଁ ଗଭୀର ଶୋକ ପ୍ରକାଶ କରୁଛି ।ସେ ୧୧୪ ବର୍ଷ ବୟସରେ ମୋ ସହ 'ନିଶା ମୁକ୍ତ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ। ସୋସିଆଲ ମିଡିଆରେ ଏହି ଖବର ଉପରେ ହଜାର ହଜାର ଲୋକ ଶୋକ ପ୍ରକାଶ କରୁଛନ୍ତି। ତେବେ ଫୌଜା ସିଂହ ଅନେକ ଅନ୍ତର୍ଜାତୀୟ ମାରାଥନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ସ୍ୱାସ୍ଥ୍ୟ, ନିଶା ନିବାରଣ ଏବଂ ଫିଟନେସ୍ ସମ୍ବନ୍ଧୀୟ ସାମାଜିକ ଅଭିଯାନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁ ସହିତ, ଦେଶ କେବଳ ଜଣେ ରନରଙ୍କୁ ନୁହେଁ ବରଂ ଏକ ଜୀବନ୍ତ ପ୍ରେରଣାକୁ ହରାଇଛି।