ନୂଆଦିଲ୍ଲୀ,୧୫/୦୭: ସୋମବାର କେନ୍ଦ୍ର ସରକାର ୫ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ କରିଛନ୍ତି । ଏଥିସହ ୪ଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।
ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜିବ ସଚ୍ଦେବାଙ୍କୁ ସେହି ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଛି । ଦିଲ୍ଲୀ ହାଇକୋର୍ଟର ବିଚାରପତି ବିଭୁ ବଖରୁଙ୍କୁ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି କରାଯାଇଛି । ପାଟନା ହାଇକୋର୍ଟର ବିଚାରପତି ଆଶୁତୋଷ କୁମାର ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଛନ୍ତି । ପାଟନା ହାଇକୋର୍ଟର ବିଚାରପତି ବିପୁଲ ମନୁଭାଇ ପଞ୍ଚୋଲି ସେହି ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି । ହିମାଚଳ ପ୍ରଦେଶ ହାଇକୋର୍ଟର ବିଚାରପତି ତାରଲୋକ ସିଂହ ଚୌହାନଙ୍କୁ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ କରାଯାଇଛି ।
ସେହିଭଳି ୪ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ମନିନ୍ଦ୍ର ମୋହନ ଶ୍ରୀବାସ୍ତବ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଛନ୍ତି । ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଅପରେଶ କୁମାର ସିଂହଙ୍କ ତେଲଙ୍ଗାନା ହାଇକୋର୍ଟକୁ ବଦଳି ହୋଇଛି । ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଏମ୍.ଏସ ରାମଚନ୍ଦ୍ରରାଓଙ୍କୁ ତ୍ରିପୁରା ଓ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଆର ଶ୍ରୀରାମଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି ।