ଚଣ୍ଡିଗଡ଼,୩୦/୦୯: ହରିଆଣା ନିର୍ବାଚନ ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ପୁଣି ଥରେ ୨୦ ଦିନିଆ ପାରୋଲ ପାଇଁ ଆବେଦନ କରିଛନ୍ତି । ଅକ୍ଟୋବର ୫ରେ ବିଧାନସଭା ନିର୍ବାଚନ ଥିବାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ତେଣୁ ତାଙ୍କ ପାରୋଲ ଆବେଦନକୁ ରାଜ୍ୟ ସରକାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟକୁ ପଠାଇଛନ୍ତି । ଏହା ଉପରେ ସିଇଓ ପରବର୍ତ୍ତୀ ପଦକ୍ଷେପ ନେବେ । ଏ ନେଇ ସିଇଓ ରାଜ୍ୟ ସରକାରଙ୍କୁ ଚିଠି ଲେଖି କେତେକ ପ୍ରଶ୍ନ ପଚାରିଛନ୍ତି । ଦୁଇ ଶିଷ୍ୟଙ୍କ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ରାମ ରହିମ ଏବେ ୨୦ ବର୍ଷର ଜେଲ୍ଦଣ୍ଡ ଭୋଗୁଛନ୍ତି ।
ସିଇଓ ପ୍ରଶ୍ନ କରିଛନ୍ତି ଯେ, ନିର୍ବାଚନ ସମୟରେ ଜଣେ ଦୋଷୀଙ୍କୁ ପାରୋଲରେ ମୁକ୍ତ କରିବା କେତେ ଠିକ୍ । ରାହ ରହିମ ଏବେ ହରିଆଣାର ରୋହତକ୍ ଜେଲ୍ରେ ବନ୍ଦୀ ଅଛନ୍ତି । ନିର୍ବାଚନ ଦୃଷ୍ଟିରୁ ଦେଖିଲେ ରାମ ରହିମଙ୍କର ହରିଆଣାର ସିର୍ସା, ଅମ୍ବାଲା, କୁରୁକ୍ଷେତ୍ର ଏବଂ ହିସାର ଜିଲ୍ଲାରେ ବେଶ୍ ପ୍ରଭାବ ରହିଛି । ଏହି ୪ ଜିଲ୍ଲାରେ ୩୬ ବିଧାନସଭା ଆସନ ରହିଛି । ୨୦୨୪ ବର୍ଷ ପାଇଁ ରାମ ରହିମଙ୍କର ୨୦ ଦିନ ପାରୋଲ ବାକି ଅଛି । ତେବେ ପାରୋଲବେଳେ ରାମ ରହିମ ଉତ୍ତର ପ୍ରଦେଶର ବରନାବା ଆଶ୍ରମରେ ରହିବେ ବୋଲି କହିଛନ୍ତି।