ଭୁବନେଶ୍ୱର,୧୩/୦୨: ଆଜି ନାମାଙ୍କନ ଦାଖଲ କରିବେ ଦୁଇ ରାଜ୍ୟସଭା ପ୍ରାର୍ଥୀ। ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାନସଭାରେ ନାମାଙ୍କନ ଭରିବେ । ସୋମବାର ସନ୍ଧ୍ୟାରେ ଦେବାଶିଷ ଓ ଶୁଭାଶିଷଙ୍କ ନାମରେ ମୋହର ମାରିଥିଲେ ସୁପ୍ରିମୋ। ତେବେ ଦଳୀର ତୃତୀୟ ପ୍ରାର୍ଥୀ କିଏ ସେ ସଂପର୍କରେ କିଛି ଘୋଷଣା ହୋଇନି । ବିଜେଡିରୁ କିଏ ଯିବ ରାଜ୍ୟସଭା? ଏହାକୁ ନେଇ ଦଳୀୟ ମହଲରେ ବେଶ୍ ଚର୍ଚ୍ଚା ଲାଗି ରହିଛି।
ଦେବାଶିଷ ବିଜେଡିର ଟାଣୁଆ ନେତା ଭାବେ ପରିଚିତ । ସେ ୨୦୦୦ ମସିହାରେ ପ୍ରଥମେ ତିର୍ତ୍ତୋଲରୁ ଜିତିଥିଲେ । ଏହାପରେ ସେ ବାରବାଟୀ-କଟକରୁ ୨ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ମାତ୍ର ଗତ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ ।
ସେହିଭଳି ଶୁଭାଶିଷ ପୁରୀର ଟାଣୁଆ ଯୁବନେତା ଭାବେ ପରିଚିତ । ସେ ରାଜ୍ୟ ଯୁବ ବିଜେଡି ଉପସଭାପତି ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆଗେଇନେବାରେ ତାଙ୍କର ବଡ଼ ଯୋଗଦାନ ଥିଲା । ତାଙ୍କ ଦକ୍ଷତା ଓ ସକ୍ରିୟତାକୁ ଆଧାର କରି ନବୀନ ତାଙ୍କୁ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ଖାଲି ହେଉଛି । ସାଂସଦ ଅମର ପଟ୍ଟନାୟକ, ଅଶ୍ୱିନୀ ବୈଷ୍ଣବ ଓ ପ୍ରଶାନ୍ତ ନନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲରେ ସରୁଛି । ଖାଲି ୩ ଆସନ ପାଇଁ ଆସନ୍ତା ୨୭ରେ ଭୋଟ ହେବ ।