ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

କୋରାପୁଟରେ ମାଛଙ୍କୁ ନେଇ ପଦ୍ମ ପୋଖରୀ ଗୋଳିଆ, ଆମଦାନି ନେତାଙ୍କୁ ଟିକଟ ଦେଲେ ବିରୋଧ ହେବ

କୋରାପୁଟ,୧୬/୧୧: ଘରେ ନ ପଶୁଣୁ ଚାଳ ବାଜିଛି । ଅର୍ଥାତ୍‌ ବିଜେଡିରୁ  ତଡ଼ା ଖାଇ ବିଜେପିରେ ମିଶିଥିବା ରଘୁରାମ ମାଛଙ୍କୁ ନେଇ ଆରମ୍ଭରୁ ଦେଖାଦେଇଛି  ବିବାଦ । ଏହାକୁ ନେଇ ‘ପ୍ରମେୟ’  ପୂର୍ବାନୁମାନ କରିଥିଲା । ଦଳ ଭିତରେ ଆମଦାନି ନେତା ଶ୍ରୀ ମାଛଙ୍କ ଏଣ୍ଟ୍ରି ପରେ ବହୁ କର୍ମୀ ଓ କୋରାପୁଟ ବିଧାନସଭା ଆସନ ପାଇଁ ଥିବା ଆଶାୟୀମାନେ ଖୋଲାଖୋଲି ବିରୋଧ କରିବାକୁ ସଜବାଜ ହେଉଛନ୍ତି । ଆବଶ୍ୟକ  ପଡ଼ିଲେ, ରାଜ୍ୟ ସଙ୍ଗଠନକୁ ଜଣାଇବେ  ବୋଲି କହିଛନ୍ତି । ଅନ୍ୟପକ୍ଷରେ ଶ୍ରୀ ମାଛ  ନିଜ ସମର୍ଥକମାନଙ୍କ ସହ ଦଳରେ ନିଜ  ସ୍ଥାନ ସୁଦୃଢ଼ କରିବାକୁ ଉଦ୍ୟମ ଚଳାଇଛନ୍ତି ।  ଏସବୁ ଭିତରେ ସାଂଗଠନିକ ଦକ୍ଷତାକୁ  ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରିବାକୁ ଆଗୁଆ  ନିଷ୍ପତ୍ତି ନେଇସାରିଛି ଦଳ ।  

ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲ  ସମ୍ମିଳନୀ କକ୍ଷରେ ବିଜେପି ପକ୍ଷରୁ ଆୟୋଜିତ  ହୋଇଥିଲା ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ।  ଏଥିରେ ଦଳକୁ ଆସିଥିବା ରଘୁରାମ ମାଛ ଓ  ଅନ୍ୟମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।  ଦଳ ପାଇଁ କିଭଳି ସଙ୍ଗଠନ କରିବେ, ତାହାକୁ ପ୍ରାଥମିକତା ଦେବେ ବୋଲି ମଞ୍ଚରେ କହିଥିଲେ  ଶ୍ରୀ ମାଛ । ସଭାରେ କେତେକ ଦଳୀୟ କର୍ମୀ,  ନେତା ଏବଂ କୋରାପୁଟ ବିଧାନସଭା ଆସନ  ପାଇଁ ଆଶାୟୀମାନେ ତାଙ୍କୁ ବିରୋଧ କରିବା  ଲାଗି ଯୋଜନା କରିଥିଲେ । ଅଥଚ ରାଜ୍ୟ  ମୁଖପାତ୍ର ତେଜେଶ୍ୱର ପରିଡ଼ା ଉପସ୍ଥିତ ଥିବାରୁ  ଜିଲ୍ଲାର ଅନ୍ୟ ବରିଷ୍ଠ ନେତାମାନଙ୍କ ଚାପରେ  ଏଥିରୁ ଦୂରେଇ ରହିଥିଲେ ।  ଶ୍ରୀ ମାଛଙ୍କ ଯୋଗଦାନକୁ ନେଇ  ଦଳର ବହୁ କର୍ମୀ ଅସନ୍ତୁଷ୍ଟ ଥିବା କହିଛନ୍ତି  ରାଜ୍ୟ ଏସ୍‌ସି ମୋର୍ଚ୍ଚା ସମ୍ପାଦକ ଜି. ସଞ୍ଜୀବ  କୁମାର । 

ସେ କହିଛନ୍ତି, ବିଜେଡି ରୁ ବହିଷ୍କୃତ  ହେବାପରେ ମାଛ ଦଳକୁ ଆସିଛନ୍ତି । ଅନ୍ତତଃ  ବର୍ଷକ ପୂର୍ବରୁ ଆସି ଦଳ ପାଇଁ ସଙ୍ଗଠନ  କରିଥିଲେ କର୍ମୀମାନେ ଖୁସି ହୋଇଥାନ୍ତେ ।  ରାଜ୍ୟ ନେତୃବୃନ୍ଦ ତାଙ୍କ ଘରକୁ ଆସି ଦଳରେ  ଯୋଗ ଦେବା ପାଇଁ କହିନଥିଲେ । ବରଂ  ବିଜେଡିରୁ ତଡ଼ା ଖାଇବା ପରେ ସେ ରାଜ୍ୟ  ସଙ୍ଗଠନ ସହ ଯୋଗାଯାଗ କରି ଦଳରେ  ସାମିଲ ହୋଇଛନ୍ତି । ତେବେ ଶ୍ରୀ ମାଛଙ୍କୁ ଦଳ  ବିଧାୟକ ପ୍ରାର୍ଥୀ କଲେ ତାଙ୍କ( ସଂଜୀବଙ୍କ)  ପଦକ୍ଷେପ କ’ଣ ହେବ ବୋଲି ପଚାରିବାରୁ  ଦଳଡିଆଁ ନେତାଙ୍କୁ ଟିକଟ ଦେଲେ ବିରୋଧ  କରାଯିବ । ଆବଶ୍ୟକ ପଡ଼ିଲେ ରାଜ୍ୟ  ସଙ୍ଗଠନକୁ ମଧ୍ୟ ବିରୋଧ କରାଯିବ ବୋଲି  କହିଛନ୍ତି । ବହୁ ଆଗରୁ ସଙ୍ଗଠନ କରି  ଆସୁଥିବା ଆଶାୟୀମାନଙ୍କ ମଧ୍ୟରୁ ଯାହାକୁ  ଟିକେଟ ଦେଲେ ବି ସହଯୋଗ କରିବେ  ବୋଲି ସ୍ପଷ୍ଟ କରିଛନ୍ତି ।  

ଏ ସଂପର୍କରେ ଶ୍ରୀ ମାଛଙ୍କୁ ପଚାରିବାରୁ  କହିଛନ୍ତି, କିଏ କ’ଣ ବିରୋଧ କରୁଛନ୍ତି  ଜାଣିନାହାନ୍ତି । ସେ ଦଳକୁ ସଙ୍ଗଠନ ପାଇଁ  ଆସିଛନ୍ତି, ଟିକଟ ପାଇଁ ନୁହେଁ । ଦଳ ଯଦି  କାହାକୁ ଟିକଟ ଦେବ, ସେହି ସମୟରେ ଏକ  ମାପକାଠି ରଖିବ । ମାପକାଠି ଅନୁସାରେ ଯିଏ  ଟିକଟ ପାଇବ, ତାକୁ ସେ ସମର୍ଥନ କରିବେ ।  ଅନ୍ୟତମ ଆଶାୟୀ ତଥା ରାଜ୍ୟ ସମ୍ପାଦିକା  ପୂର୍ଣ୍ଣିମା ନାଏକଙ୍କୁ ପଚାରିବାରୁ କହିଛନ୍ତି,  ଦଳ ଯାହାଙ୍କୁ ଟିକଟ ଦେବ ସେ ସମର୍ଥନ  କରିବେ । ସେ ଦଳ ପାଇଁ କାର୍ଯ୍ୟ କରୁଛନ୍ତି,  କୌଣସି ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ । 

Copyright © 2022 - Summa Real Media Private Limited. All Rights Reserved.