ଭୁବନେଶ୍ୱର,୦୮/୦୮: ଚଳିତବର୍ଷ ଯୁକ୍ତ ଦୁଇ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ଆଣିଛି ଉଚ୍ଚଶିକ୍ଷା ବିଭାଗ । ସ୍ପଟ୍ ଆଡମିଶନ ଯୋଗେ ସେମାନେ ନାମ ଲେଖିପାରିବେ । ବୁଧବାର ଏସଂକ୍ରାନ୍ତରେ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଉଚ୍ଚମାଧ୍ୟମିକ ସ୍କୁଲ୍ (ଯୁକ୍ତ ଦୁଇ କଲେଜ) ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।
ଆସନ୍ତା ୧୨ ତାରିଖରେ ସ୍ପଟ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ୧୨ ତାରିଖ ସକାଳ ୧୧ଟାରୁ ଚଏସ୍ ଲକିଂ ପାଇଁ ଛାତ୍ରଛାତ୍ରୀମାନେ ଲଗ୍ଇନ୍ କରିପାରିବେ। ଏଥିପାଇଁ ୨ ଦିନ ସମୟ ରହିଛି । ୧୪ ତାରିଖ ପୂର୍ବାହ୍ଣ ୧୧ଟା ୪୫ରେ ଏହି ସମୟସୀମା ସରିଯିବ । ୨୦ ତାରିଖରେ ସ୍ପଟ ସିଲେକ୍ସନ ପ୍ରକାଶ ପାଇବ । ସେହିପରି ଇଣ୍ଟିମେସନ ଲେଟରକୁ ଆଶାୟୀ ଛାତ୍ରଛାତ୍ରୀ ଡାଉନଲୋଡ୍ କରିପାରିବେ । ୨୨ରୁ ପ୍ରଥମ ପର୍ଯ୍ୟାୟ ସ୍ପଟ ଆଡମିଶନ ହେବାକୁ ଥିବାବେଳେ ଏହା ୨୮ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏ ସମସ୍ତ ପ୍ରକ୍ରିୟା ଅନଲାଇନ୍ରେ ହେବ। ଛାତ୍ରଛାତ୍ରୀ ଗୋଟିଏ କିମ୍ବା ଅତିବେଶିରେ ୧୦ଟି କଲେଜ ବାଛିପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।