ଭୁବନେଶ୍ୱର,୧୩/୦୭(ମନୋରଞ୍ଜନ ମହାନ୍ତି): ପୂର୍ଣ୍ଣ ହେବ କି ବହୁ ଦିନର ପ୍ରତୀକ୍ଷା । ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ମିଳିବ କି ଖୁସି ଖବର । ରାଜ୍ୟରେ ଆସିବ କି ଓଡ଼ିଶା ରାଜ୍ୟ ସ୍ୱତନ୍ତ୍ର ଚଳଚ୍ଚିତ୍ର ନୀତି । ନୂଆ ସରକାର ନୂଆ ନୀତି ଆଣି କାର୍ଯ୍ୟକାରୀ କରିବେ କି? ଏମିତି ଚର୍ଚ୍ଚ, ଆଲୋଚନା ଭିତରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ ବିଭିନ୍ନ ସଂଘ, ଅନୁଷ୍ଠାନ ମୁଖ୍ୟମନ୍ତ୍ରୀ, ଶିଳ୍ପୀ ମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ, ପରାମର୍ଶ ସହ ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ସେପଟୁ ସକାରାତ୍ମକ ପ୍ରତିଶ୍ରୁତି ମିଳିଥିବା ବେଳେ କୌଣସି ମୁହୂର୍ତ୍ତରେ ନୀତି ସାଙ୍ଗକୁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି)ର ଅଧ୍ୟକ୍ଷ ସହ ସରକାର ଅନେକ କିଛି ବଡ଼ ଘୋଷଣା କରିପାରନ୍ତି । ଏବେ ପୂରା ଚଳଚ୍ଚିତ୍ର ଶିଳ୍ପ ଜଗତ ସେହି ଆଶାରେ ରହିଛି ।
ପୂର୍ବ ସରକାର ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ ଆଣିଥିଲେ । ସେହିବର୍ଷ ମାର୍ଚ୍ଚ ୨ରେ ସଂକଳ୍ପ ପତ୍ର ଜାରି ହୋଇଥିଲା । ୨୦୨୨ ମାର୍ଚ୍ଚ ୩୧ରେ ଏହାର ଅବଧି ଶେଷ ହୋଇଯାଇଛି । ଏ ଯେଉଁ ନୀତି ଆସିଥିଲା, ତା’ ବିଷୟରେ ପ୍ରାୟତଃ କେହି ଜାଣିନାହାନ୍ତି । କେବଳ ୨୦୨୧, ମାର୍ଚ୍ଚରୁ ତାଲା ପଡ଼ି କଳିଙ୍ଗ ଷ୍ଟୁଡିଓର ନବୀକରଣ ଚାଲିଛି ଯେ ଏଯାଏ ସରୁନି । ଏହାକୁ ଯଥାଶୀଘ୍ର ଉନ୍ମୁକ୍ତ କରାଯାଉ । ସରକାର ତରନ୍ତ ଏ ଦିଗରେ ପଦକ୍ଷେପ ନେଇ ପ୍ରଥମେ ଚଳଚ୍ଚିତ୍ର ନୀତି ଆଣନ୍ତୁ ବୋଲି ଦାବି ହୋଇଛି ।
ପୂର୍ବରୁ ରାଜ୍ୟରେ ୨୦୦-୩୦୦ ପ୍ରେକ୍ଷାଳୟ ଥିଲା । ଏବେ ୪୦ ସହରରେ ୩୯ ସିଙ୍ଗଲ୍ ସ୍କ୍ରିନ୍ ଓ ୨୯ ମଲ୍ଟିପ୍ଲେକ୍ସକୁ ମିଶାଇ ୬୮ ପ୍ରେକ୍ଷାଳୟରେ ୧୩୦ ସ୍କ୍ରିନ୍ ରହିଛି । ସେଥିରେ ପୁଣି ଓଡ଼ିଆ ସିନେମାକୁ ବହୁତ କମ୍ ସୁଯୋଗ । ଯେତେ ଭଲ ଚାଲିଥାଉ ଗୋଟିଏ ହିନ୍ଦୀ ଓ ଅନ୍ୟ ଭାଷୀ ସିନେମା ଆସିଲେ ଓଡ଼ିଆ ଆଉଟ୍ । ତେଣୁ ପ୍ରତି ବ୍ଲକ୍ରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ସ୍ୱଳ୍ପ ସୁଧ ହାରରେ ୨୦୦ ସିଟ୍ ଓ ଦୋକାନ ଘର ଥାଇ ମଲ୍ଟିପ୍ଲେକ୍ସ ନିର୍ମାଣ କରାଯାଉ । ଉଦ୍ୟୋଗୀମାନଙ୍କୁ ଓଏଫ୍ଡିସି ଋଣ ଦେଉ । କମ୍ ଟଙ୍କାରେ ହଲ୍ ହେଲେ ଟିକଟ ମୂଲ୍ୟ କମି ୫୦-୬୦ ଟଙ୍କା ହେବ ଆଉ ଦର୍ଶକଙ୍କ ସଂଖ୍ୟା ବଢ଼ିବ । ଏହାକୁ ଗୁରୁତର ସହ ନେଇ ସରକାର ପ୍ରଥମେ ଜରୁରିକାଳୀନ ଭିତରେ ୫୦ଟି ମିନି ଚଳଚ୍ଚିତ୍ର କମ୍ପେ୍ଲକ୍ସ ନିର୍ମାଣ କରନ୍ତୁ । ପୂର୍ବରୁ ସରକାର ଯୋଜନା କରି ମଡେଲ୍ରେ ରହିଗଲେ ।
ଏହାସହ ଆଗରୁ ସିନେମା କଲେ ପ୍ରଯୋଜକଙ୍କୁ ୩ ଲକ୍ଷ ୫୦ ହଜାର ଟଙ୍କାରେ ସବ୍ସିଡି ମିଳୁଥିଲା । ୨୦୦୭ ପରେ ନିର୍ମାଣ ନାଁରେ କଳିଙ୍ଗ ଷ୍ଟୁଡିଓ ବନ୍ଦ କଲା ପରେ ହଠାତ୍ ସବ୍ସିଡି ବନ୍ଦ ହୋଇଗଲା । ଏ ସଂକ୍ରାନ୍ତରେ ସବୁ ଦରଖାସ୍ତ ଦେଇଥିବା ପ୍ରଯୋଜକଙ୍କୁ ୩ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ସବ୍ସିଡି ପ୍ରଦାନ କରାଯାଉ । ନୂଆ ନୀତିରେ ସିନେମା ନିର୍ମାଣ ଖର୍ଚ୍ଚର ୨୦-୨୫ ଶତକଡ଼ା ଅର୍ଥ ସବ୍ସିଡି ରୂପେ ଦିଆଯାଉ । ଏଥିପାଇଁ ସରକାର ଉଦ୍ୟମ ଆରମ୍ଭ କରନ୍ତୁ । ପୂର୍ବରୁ ଓଏଫ୍ଡିସି ମୌଳିକ କାହାଣୀକୁ ନେଇ ଗୁଣାତ୍ମକ ଓ ସୃଜନଶୀଳ ସିନେମା କରୁଥିବା ନିର୍ମାତାଙ୍କୁ ଆର୍ଥିକ ସାହାଯ୍ୟ ଦେଉଥିଲା । ଏବେ ସେହିପରି ପ୍ରତି ଫିଲ୍ମ ନିର୍ମାଣ ପାଇଁ ୪୦ ଲକ୍ଷ ଟଙ୍କା ଲେଖାଏଁ କମ୍ ସୁଧରେ ଅଭିଜ୍ଞ ପ୍ରଯୋଜକଙ୍କୁ ଋଣ ଦେଇ ଭଲ ଫିଲ୍ମ ଲାଗି ପ୍ରୋତ୍ସାହିତ କରୁ ।
ଏତଦ୍ ବ୍ୟତୀତ ସରକାର ନୂଆ ନୀତି ଆଣିବା ଲାଗି ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ଟେକ୍ନିସିଆନ୍ ପ୍ରଭୃତି ସରକାରୀ ପଞ୍ଜିକୃତ ସଂଘମାନଙ୍କର ସହଯୋଗ ନିଅନ୍ତୁ । ବର୍ତ୍ତମାନ ତରବରିଆ ଭାବେ କାହାକୁ ଓଏଫ୍ଡିସି ଅଧ୍ୟକ୍ଷ ନକରି ନିଜେ ଶିଳ୍ପ ମନ୍ତ୍ରୀ ଦାୟିତ୍ୱ ନିଅନ୍ତୁ । ପରେ ଦକ୍ଷ ଲୋକଙ୍କୁ ଅଧ୍ୟକ୍ଷ ବାଛି ତାଙ୍କ ହାତରେ ଏହାର ପରିଚାଳନା ଭାର ଦିଅନ୍ତୁ । ଚଳଚ୍ଚିତ୍ର ଶିଳ୍ପର ସୁପରିଚାଳନା ନିମନ୍ତେ ସବୁ ସରକାରୀ ପଞ୍ଜିକୃତ ସଂଘମାନଙ୍କର ସଦସ୍ୟମାନଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ କରି କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ ।
ଏ ନେଇ ନିକଟରେ ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର୍ସ ଆଣ୍ଡ୍ ଡିଷ୍ଟ୍ରିବ୍ୟୁଟର୍ସ ଗୁଇଲ୍ଡ (ଓଏଫ୍ପିଡିଜି) ପକ୍ଷରୁ ୫ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ମେଲ୍ରେ ପଠାଯାଇଛି । ତା’ ସହିତ ଶିଳ୍ପ ମନ୍ତ୍ରୀ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ, ଓଏଫ୍ଡିସି ଏମ୍ଡିଙ୍କୁ ମଧ୍ୟ ପଠାଯାଇଛି। ଓଡ଼ିଆ ସିନେମା ସାମଗ୍ରିକ ବିକାଶ ଦିଗରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇ ସମ୍ବେଦନଶୀଳ ସହକାରେ ଧ୍ୟାନ ଦେବାକୁ ଓଏଫ୍ପିଡିଜି ପକ୍ଷରୁ ନିବେଦନ କରାଯାଇଛି ବୋଲି ସମ୍ପାଦକ ଅରୁଣ ମହାନ୍ତି କହିଛନ୍ତି । ର୍ପୂବରୁ କଟକ ସ୍ଥିତ ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସର କର୍ମକର୍ତ୍ତା ମଧ୍ୟ ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ବିଶଦ୍ ଆଲୋଚନା କରିଥିଲେ ।