ପ୍ରମୂଖ ଖବର
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ନୂଆ ସରକାର ଆଗରେ ବହୁ ଚାଲେଞ୍ଜ: ଆଗକୁ ବଜେଟ୍‌, ରଥଯାତ୍ରା ଅଗ୍ନିପରୀକ୍ଷା, ବିଏସ୍‌କେୱାଇ ନା ଆୟୁଷ୍ମାନ କ'ଣ ଲାଗୁ ହେବ?

Published By : Prameya | June 18, 2024 11:40 AM

ଭୁବନେଶ୍ୱର,୧୮/୦୬: ‘ଯାହା ପ୍ରତିଶ୍ରୁତି ଦେଇଛୁ । ସବୁ ଗୋଟି ଗୋଟି କରି ପାଳନ କରିବୁ ।  ୫୦ ବର୍ଷର ବଳକା କାମ ୫ ବର୍ଷରେ ସାରିବୁ।’ ରାଜ୍ୟରେ ବିଜେପି ଶାସନ ଗାଦିରେ ବସିବା  ମାତ୍ରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  କରିଛନ୍ତି ଏମିତି ଘୋଷଣା । ନୂଆ ସରକାରର  ନୂଆ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ସହ କାର୍ଯ୍ୟ  ଏକରକମ ଆରମ୍ଭ ହେଲାଣି । ମାତ୍ର ଆଗକୁ ନୂଆ  ସରକାର ପାଇଁ ଆସୁଛି ଅସଲ ଅଗ୍ନି ପରୀକ୍ଷା ।  ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଣିବେ  ପୂର୍ଣ୍ଣାଙ୍ଗ ବଜେଟ୍‌ । ତା ସହ ମହାପ୍ରଭୁଙ୍କ ରଥଯାତ୍ରାକୁ  ଶୃଙ୍ଖଳାର ସହ ସମାପନ କରିବାର ଗୁରୁଦାୟିତ୍ୱ ।  ବିଜେପି ସରକାର ଆଗରେ ଚାଲେଞ୍ଜର ପାହାଡ଼  ଛିଡ଼ା ହୋଇଛି । ସରକାର ଏ ଆହ୍ୱାନଗୁଡ଼ିକର  କିଭଳି ସଫଳ ମୁକାବିଲା କରିବେ ଓ ରାଜ୍ୟବାସୀଙ୍କ  ବିଶ୍ୱାସ ଜିତିବେ ତାହା ଏବେ ବଡ଼ ପ୍ରଶ୍ନ । 

ନୂଆ ସରକାର, ବଡ଼ ଚାଲେଞ୍ଜ । ‘ବିଜେଡିକୁ  ୨୪ ବର୍ଷ ଦେଇଛ । ବିଜେପିକୁ ୫ ବର୍ଷ ଦିଅ ।  ବିକାଶ କ’ଣ ଆମେ ଦେଖାଇବୁ । ଓଡ଼ିଶା ହେବ  ନମ୍ବର ୱାନ୍‌ । ଏହା ହେଉଛି ମୋଦି ଗ୍ୟାରେଣ୍ଟି’ ।  ଓଡ଼ିଶାବାସୀଙ୍କୁ ଭୋଟଭିକ୍ଷା ବେଳେ ଏମିତି ପ୍ରତିଶ୍ରୁତି  ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ  ଇସ୍ତାହାରରେ ମଧ୍ୟ ବିଜେପି ବହୁ ଲୋଭନୀୟ  ପ୍ରତିଶ୍ରୁତି ଦେଇଥିଲା । ଏବେ ଏହି ମୋଦି ଗ୍ୟାରେଣ୍ଟିକୁ  ବିଜେପି ସରକାର କେମିତି ପୂରଣ କରୁଛି ତାହାକୁ  ସାରା ରାଜ୍ୟ ଚାତକ ଭଳି ଅପେକ୍ଷା କରିଛି । 

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ପାଖରେ  ଗୁରୁତ୍ୱପୂର୍ଣ୍ଣ ଗୃହ, ଅର୍ଥ, ସାଧାରଣ ପ୍ରଶାସନ  ଓ ଜଳସମ୍ପଦ ରଖିଛନ୍ତି । ବିଧାନସଭାର ଆସନ୍ତା  ଅଧିବେଶନରେ ମୁଖ୍ୟମନ୍ତ୍ରୀ ୨୦୨୪-୨୫ର ପୂର୍ଣ୍ଣାଙ୍ଗ  ବଜେଟ ଉପସ୍ଥାପନ କରିବେ । ବିଜେପି ଭୋଟଭିକ୍ଷା  ବେଳେ ଦେଇଥିବା ପ୍ରତିଶ୍ରୁତି ବଜେଟରେ  ପ୍ରତିଫଳିତ ହେବ ନା ନାହିଁ ତାହା ବଡ଼ ଆହ୍ୱାନ  ହୋଇ ରହିବ । ଗତ ସରକାର ବିଧାନସଭାରେ ୨  ଲକ୍ଷ ୫୫ ହଜାର କୋଟିର ବଜେଟ ଆଣିଥିଲେ । ୪  ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟିର କାମଚଳା  ବଜେଟ୍‌ ପାରିତ ହୋଇଥିଲା । ରାଜ୍ୟବାସୀଙ୍କ  ଆଶା ଆକାଂକ୍ଷା ପୂରଣ କରିବାକୁ ବଜେଟରେ ନୂଆ  ସରକାର କେତେ ଇଛାଶକ୍ତି ଦେଖାଉଛନ୍ତି ତା’କୁ  ସମସ୍ତଙ୍କ ଅପେକ୍ଷା । ରଥଯାତ୍ରାକୁ ସୁରୁଖୁରୁରେ ସଂପନ୍ନ  କରିବା ଓ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା  ମଧ୍ୟ ମୋହନଙ୍କ ପାଇଁ ଚାଲେଞ୍ଜ ଛିଡ଼ା କରାଇବ ।  ସରକାରଙ୍କୁ ସତର୍କତାର ସହ ବାଟ ଚାଲିବାକୁ ହେବ ।  

ମୋହନଙ୍କ ପ୍ରଥମ କ୍ୟାବିନେଟ୍‌ ନେଇଛି ବଡ଼  ନିଷ୍ପତ୍ତି । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଛି । ଏହାଛଡ଼ା ଚାଷୀଠୁ  ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାରେ ସରକାର  ଧାନ କିଣିବେ । ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ  ମିଳିବ ୫୦ ହଜାର ଟଙ୍କାର ମାଗଣା ଭାଉଚର ।  ଆସନ୍ତା ଶହେ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ  କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । 

‘ସୁଭଦ୍ରା’କୁ କେଉଁ ଢାଞ୍ଚାରେ କାର୍ଯ୍ୟକାରୀ କରାଯିବ? କେତେ ସଂଖ୍ୟାରେ  ମହିଳା ଉପକୃତ ହେବେ? ରାଜ୍ୟ ରାଜକୋଷ ଧାନ ଏମଏସପି ଓ ସୁଭଦ୍ରା ଯୋଜନା ପାଇଁ କେତେ ଚାପ ସହିବ ତାହା ମଧ୍ୟ ନୂଆ  ସରକାରଙ୍କ ପାଇଁ ଚାଲେଞ୍ଜ ଆଣିପାରେ । ସରକାର ଅଧିକ ସଂଖ୍ୟାରେ ହିତାଧିକାରୀଙ୍କୁ କେମିତି ଖୁସି କରାଇବେ ତାହା ନୂଆ ସରକାରର  ଇଛାଶକ୍ତି ଉପରେ ନିର୍ଭର କରେ । 

ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସ୍ୱାଭିମାନର ଟେକ ରଖିବାକୁ ଭୋଟ  ପ୍ରଚାରରେ ବାରମ୍ବାର କହିଥିଲା ବିଜେପି । ଓଡ଼ିଆ ସରକାରୀ ଭାଷା  ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ସହ ଆମ ଐତିହ୍ୟ, ସଂସ୍କୃତିର  ସୁରକ୍ଷା ପ୍ରତି ସରକାରଙ୍କ ଆନ୍ତରିକତା ଆବଶ୍ୟକ । ବିଜେପି କ୍ଷମତାକୁ  ଆସିଲେ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟଙ୍କୁ ମାସିକ ୩ ହଜାର  ଟଙ୍କା ଭତ୍ତା ବା ପେନ୍‌ସନ ମିଳିବ । ୮୦% ଅକ୍ଷମ ଥିବା ଦିବ୍ୟାଙ୍ଗ ଓ  ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଲେଖାଏଁ ମିଳିବ । ଆନ୍ଧ୍ରର ନୂଆ  ସରକାର ଇତିମଧ୍ୟରେ ଭତ୍ତାକୁ ୪ ହଜାର କରିଛନ୍ତି । ରାଜ୍ୟର ନୂଆ  ବିଜେପି ସରକାର ଏ ମୋଦି ଗ୍ୟାରେଣ୍ଟିକୁ ପୂରଣ କରିବାକୁ ତ୍ୱରିତ  ନିଷ୍ପତ୍ତି ନେବ ନା ସମୟ ନେବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । 

ରାଜ୍ୟରେ ସବୁଠୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି ବେକାରୀ  ଓ ଦାଦନ । ସରକାରୀ ବିଭାଗଗୁଡ଼ିକରେ ପ୍ରାୟ ୨ ଲକ୍ଷ ପଦବି ଖାଲି ପଡ଼ିଛି । ପ୍ରଥମ ୨ବର୍ଷରେ ୬୫ ହଜାର ପଦବି ପୂରଣ କରିବାକୁ  ବିଜେପି ସଂକଳ୍ପପତ୍ରରେ ନିର୍ଭର ପ୍ରତିଶ୍ରୁତି ଦେଇଛି । ‘ଚାକିରି’  ଦେବାର ପ୍ରତିଶ୍ରୁତି ପୂରଣ ଏବଂ ଦାଦନ ରୋକିବାକୁ ଓଡ଼ିଆପୁଅ  ପାଇଁ କର୍ମସଂସ୍ଥାନର ବ୍ୟବସ୍ଥା ନୂଆ ମୁଖ୍ୟମନ୍ତ୍ରୀଙ୍କ ଆଗରେ ନିଶ୍ଚୟ  ବଡ଼ ଆହ୍ୱାନ ହୋଇ ଉଭା ହେବ । କର୍ମ ନିଯୁକ୍ତି, ନୂଆ ଶିଳ୍ପ ପ୍ରତିଷ୍ଠା,  ପର୍ଯ୍ୟଟନର ବିକାଶ, ପ୍ରାକୃତିକ ସଂପଦର ସୁବିନିଯୋଗ ପାଇଁ ସରକାର  କେତେ ‘ଆକ୍ସନ ମୋଡ୍‌’ରେ ରହିବେ ତାହା ଉପରେ ସମସ୍ତଙ୍କ ନଜର ।  

ବିଜୁ ଜନତା ଦଳ ସରକାର ‘ବିଏସକେୱାଇ’ରେ ରାଜ୍ୟରେ  ସ୍ୱାସ୍ଥ୍ୟସେବା ପ୍ରଦାନରେ ବଡ଼ ଭୂମିକା ତୁଲାଉଛି । ଆୟୁଷ୍ମାନକୁ  କାର୍ଯ୍ୟକାରୀ କରିବାକୁ ମୋଦି ମଧ୍ୟ ଗ୍ୟାରେଣ୍ଟି ଦେଇ ଯାଇଛନ୍ତି ।  ଆୟୁଷ୍ମାନରେ କେବଳ ବିପିଏଲ ପରିବାରର ମାତ୍ର ୨ କୋଟି ଲୋକ  ଉପକାର ପାଇବେ । ବାକି ୨ କୋଟି ଲୋକ କେମିତି ସ୍ୱାସ୍ଥ୍ୟସେବା  ପାଇବେ ତାହା ମଧ୍ୟ ବଡ଼ ଚାଲେଞ୍ଜ ହୋଇ ଛିଡ଼ା ହେବ । ଏହାଛଡ଼ା  ବିଜେଡି ସରକାର ବହୁ ଲୋକପ୍ରିୟ ଯୋଜନା ‘କାଳିଆ’, ‘ଆହାର’,  ‘ଲକ୍ଷ୍ମୀ ବସ୍‌’, ଜାଗା ମିଶନ ଭଳି ଯୋଜନା ଚାଲୁ ରହିବ ନା ତାଲା  ଲାଗିବ ତାହାକୁ ନେଇ ଦୂର ହେଉନି ଶଙ୍କା । ଅମଲାଙ୍କ ଟେବୁଲରେ  ଫାଇଲ ପଡ଼ି ନରହି ତ୍ୱରିତ ବେଗ ଧରିବା ଏବଂ ହାତଗୁଞ୍ଜା ପରମ୍ପରା  ବନ୍ଦ ହେବ ନା ନାହିଁ? ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ମାଗଣାରେ  ବିଜୁଳି ଯୋଗାଣ ସହ ୧୮ ମାସରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଜମା ଟଙ୍କା  ଫେରସ୍ତ କରିବାର ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ମଧ୍ୟ ବଡ଼ ଚାଲେଞ୍ଜ । 

ଓଡ଼ିଶାରେ ଜଗନ୍ନାଥ ଭକ୍ତଙ୍କୁ ନେଇ ବିଜେପି ବଡ଼ ପ୍ରତିଶ୍ରୁତି ଦେଇଛି  ସଂକଳ୍ପ ପତ୍ରରେ । ରତ୍ନ ଭଣ୍ଡାର ଖୋଲିବା, ସମ୍ପତ୍ତି ତାଲିକା ସାର୍ବଜନୀନ  କରିବାକୁ ଦଳ କହିଛି । ମହାନଦୀ ଜଳ ବିବାଦର ସମାଧାନ, କୋଟିଆରେ  ଆନ୍ଧ୍ରର ହସ୍ତକ୍ଷେପ ରୋକିବା, ପୋଲାଭରମ୍‌ ସମସ୍ୟା ମଧ୍ୟ ସରକାରଙ୍କ  ତଣ୍ଟିରେ କଣ୍ଟା ହୋଇ ଲାଖିବ । ରାଜ୍ୟରେ ଅମଲାଙ୍କ ପ୍ରଭାବ ଏବେ  କାହିଁରେ କ’ଣ । ଲୋକ ପ୍ରତିନିଧିମାନେ ଏକରକମ କ୍ଷମତାଶୂନ୍ୟ ।  ଏ ଦିଗରେ ନୂଆ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ  ସମସ୍ତଙ୍କ ନଜର । ସରକାରଙ୍କ ପାଇଁ ଚାଲେଞ୍ଜ ଛିଡ଼ା କରାଇବେ ବିରୋଧୀ ।  ବିଧାନସଭାରେ ବିଜେଡିର ୫୧ ଓ କଂଗ୍ରେସର ୧୪ ବିଧାୟକ ଅଛନ୍ତି ।  ୬୫ ଜଣିଆ ସଶକ୍ତ ବିରୋଧୀଦଳର ଘେରାବନ୍ଦୀରେ ସରକାରଙ୍କୁ ବାଟ  ଚାଲିବାକୁ ହେବ । ମୋଦି ଗ୍ୟାରେଣ୍ଟିକୁ ସରକାର ପୂରଣ କରିବାକୁ କେତେ  ନିଷ୍ଠା ଓ ଆନ୍ତରିକତା ଦେଖାଇବେ ତାହା ଉପରେ ରାଜ୍ୟବାସୀଙ୍କ ଆଖି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.