ଭୁବନେଶ୍ୱର ୧୦/୦୯: ରାଜଧାନୀରେ ଚା’ରେ ନିଶା ଦେଇ ଲୁଟ୍। ସୁନା ଚେନ, ମୁଦି ମୋବାଇଲ୍ ସହ ନଗଦ ଟଙ୍କା ଲୁଟି ନେଲେ ଅଟୋ ଚାଳକ। ଏହା ପରେ ରାସ୍ତା କଡ଼ରେ ଫିଙ୍ଗିଦେଇ ଚାଲିଯାଇଥିଲେ। ଏଭଳି ଘଟଣା ଭୁବନେଶ୍ୱର କଳିଙ୍ଗ ବିହାର ଅଞ୍ଚଳରେ ଘଟିଛି। ଲୁଟର ଶିକାର ହୋଇଛନ୍ତି ରବି ନାରାୟଣ ମହାପାତ୍ର । ଘର ବାଙ୍କୀ ବଇଦେଶ୍ୱର୍ରେ ବୋଲି ସୂଚନା ରହିଛି ।
ସୂଚନା ମୁତାବିକ,, ଶନିବାର ଦିନ ଦିଲ୍ଲୀରୁ ପୁରୁଷୋତ୍ତମ ଏକ୍ସପ୍ରେସରୁ ଆସି ଭୁବନେଶ୍ୱର ଷ୍ଟେସନରେ ସାଢେ଼ ୪ଟା ବେଳେ ଓହ୍ଲାଇଥିଲେ ରବି ନାରାୟଣ । କଳିଙ୍ଗ ବିହାର ଯିବା ପାଇଁ ସେ ଅଟୋ ଭଡ଼ା କରିଥିଲେ । ଅଟୋରେ ଯିବା ବେଳେ ଅଟୋ ଚାଳକ ଚାରେ ନିଶା ଦେଇଥିଲେ । ଚା ପିଇବା ପରେ ସେ ହଠାତ୍ ଅଚେତ୍ ହୋଇଯାଇଥିଲେ । ଏହାପରେ ରବିଙ୍କ ଠାରୁ ସୁନା ମୁଦି, ୧୭ ହଜାର ଟଙ୍କା, ସୁନା ଚେନ, ମୋବାଇଲ୍ ଲୁଟ କରି ନେଇଛନ୍ତି ।
ତେବେ ଲୁଟ କରିବା ପରେ ତାଙ୍କୁ ମଧୁସୁଦନ ପାର୍କ ନିକଟରେ ଫିଙ୍ଗି ଦେଇ ଚାଲି ଯାଇଥିଲା ଲୁଟେରା ଅଟୋ ଚାଳକ। ସକାଳୁ ପାର୍କକୁ ଆସୁଥିବା ଲୋକେ ଦେଖି ପିସିଆରକୁ ଖବର ଦେଇଥିଲେ । ଏବେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏୟାର ଫିଲ୍ଡ ଥାନାରେ କେସ ରୁଜୁ ହୋଇଛି । ପୋଲିସ୍ ତଦନ୍ତ କରୁଛି । ରବି ବୁଲିବା ପାଇଁ ଦିଲ୍ଲୀ ଏକୁଟିଆ ଯାଇଥିଲେ ।