ନୂଆଦିଲ୍ଲୀ,୦୮/୦୯: ଆସନ୍ତା ୨ ବର୍ଷ ମଧ୍ୟରେ ପ୍ରଥମ ମାନବବିହୀନ ଷ୍ଟାରସିପ୍ ମଙ୍ଗଳ ଗ୍ରହକୁ ପଠାଇବା ଲାଗି ଯୋଜନା କରିଛି ସ୍ପେଶ ଏକ୍ସ । ଏନେଇ ଶନିବାର ସୋସିଆଲ ମିଡିଆ ଏକ୍ସରେ ସିଇଓ ଏଲନ ମସ୍କ ଘୋଷଣା କରିଛନ୍ତି । ଏହି ପ୍ରାରମ୍ଭିକ ମିଶନଗୁଡିକର ମୂଳ ଲକ୍ଷ୍ୟ ହେଉଛି ମଙ୍ଗଳ ଗ୍ରହରେ ଅବତରଣ କରିବାର ବିଶ୍ବସନୀୟତା ପରୀକ୍ଷା କରିବା । ଯଦି ଅବତରଣ ସଫଳ ହୁଏ ତେବେ ପ୍ରଥମ କ୍ରୁ ମହାକାଶ ଯାନକୁ ୪ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ପଠାଯିବ । ତେବେ ଏଲନ ମସ୍କ ମଙ୍ଗଳ ଗ୍ରହରେ ଆତ୍ମନିର୍ଭର ସହର ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଆଗାମୀ ୨୦ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହରେ ସମ୍ପୂର୍ଣ୍ଣ ଭାବେ ଏକ ସହର ବସିବ । ଏଥିଲାଗି କମ୍ପାନୀ ଲଗାତାର ଗବେଷଣା ଜାରି ରଖିଛି ।
ଏନେଇ ମସ୍କ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କହିଛନ୍ତି ଯେ ମଙ୍ଗଳ ଗ୍ରହରେ ଜୀବନକୁ ବ୍ୟବହାରିକ କରିବା ପାଇଁ ପ୍ରତି ଟନ୍ ପେଲୋଡ୍ ମୂଲ୍ୟକୁ ଏକ ବିଲିୟନ ଡଲାରରୁ ୧ ଲକ୍ଷ ଡଲାରକୁ ହ୍ରାସ କରିବାକୁ ପଡ଼ିବ। ସେ କହିଛନ୍ତି ଯେ ଏହି ଲକ୍ଷ୍ୟ ଅତ୍ୟନ୍ତ ଚ୍ୟାଲେଞ୍ଜିଂ କିନ୍ତୁ ଏହା ନୁହେଁ ଯେ ଏହା କେବେ ବି ହାସଲ ହୋଇପାରିବ ନାହିଁ । ଏଲନ ମସ୍କଙ୍କ ମଙ୍ଗଳ ମିଶନ ସ୍ବପ୍ନ ପୂରଣ ହେବା ଲାଗି ପ୍ରଥମ ଥର ଲାଗି ସମୟ ସୀମାର ଖୁଲାସା ହୋଇଛି । ସେ କହିଛନ୍ତି ଯେ ଆଗାମୀ ୨୦ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହକୁ ସାଧାରଣ ସହରରେ ପରିବର୍ତ୍ତନ କରାଯିବ । ଏଥିଲାଗି ପ୍ରଯୁକ୍ତିବିଦ୍ୟାକୁ ୧୦ହଜାର ଗୁଣ ଅଧିକ ଉନ୍ନତ କରିବାକୁ ପଡ଼ିବ । ଏହା ବହୁ କଷ୍ଟକର, କିନ୍ତୁ ଅସମ୍ଭବ ନୁହେଁ ବୋଲି ଏଲନ କହିଛନ୍ତି । ଏହାସହିତ ସେ ନିଜର ଏକ୍ସ ପ୍ଲାଟଫର୍ମକୁ ଅଧିକ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହାଦ୍ବାରା ୟୁଜରଙ୍କୁ ଆହୁରି ଉନ୍ନତମାନର ସେବା ମିଳିପାରିବ ।