ପ୍ରମୂଖ ଖବର
  • ହେଲିକପ୍ଟରରେ ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଓ୍ବାୟନାଡ ଟ୍ରାଜେଡି: ୪ ବର୍ଷ ପୂର୍ବର ସତର୍କ ସୂଚନାକୁ ବେଖାତିର ! ଅକାରଣେ ଚାଲିଗଲା ୨୦୦ରୁ ଅଧିକ ଜୀବନ

Published By : Tapas Panda | July 31, 2024 10:41 PM

କୋଚି: କେରଳର ଓ୍ବାୟନାଡରେ ଭୟଙ୍କର ଭୂସ୍ଖଳନରେ ୨୦୦ରୁ ଅଧିକ ଜୀବନ ନେଇଛି । ଏବେ ବି ମାଟି ଅତଡ଼ା ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ । ୧୭୦ରୁ ଅଧିକ ଆହତ ହୋଇଥିବା ବେଳେ ଶତାଧିକ ନିଖୋଜ ଅଛନ୍ତି । ସୋମବାର ବିଳମ୍ବିତ ରାତି ଏବଂ ମଙ୍ଗଳବାର ଭୋର ସମୟରେ ଓ୍ବାୟନାଡରେ ଘଟିଥିବା ଦୁଇଟି ବଡ଼ ଭୂସ୍ଖଳନ ସମଗ୍ର ଭାରତରେ ଆଲୋଡନ ସୃଷ୍ଟି କରିଛି । ଶୋଇବା ଅବସ୍ଥାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷ ଫଳରେ ପାହାଡ଼ ଧସିଆସିବାରୁ ଅନେକ ଘର ଏବଂ ଦୋକନା ଆଦି ଭାସିଯାଇଛି । ଘର ସହ ଶହ ଶହ ଲୋକେ କାଦୁଅ ମିଶା ଜଳସ୍ରୋତରେ ଭାସିଯାଇଛନ୍ତି । ୨୦୦ରୁ ଅଧିକ  ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆହୁରି ଅନେକଙ୍କ ଜୀବନ ଯାଇଥିବା କୁହାଯାଉଛି ।  

କେତେବେଳେ ଓ କାହିଁକି ହେଲା ଭୂସ୍ଖଳନ ?

ଦୁଇ ସପ୍ତାହ ଧରି ପର୍ବତ ଘେରା ଓ୍ବାୟନାଡରେ ବର୍ଷା ହୋଇଥିଲା । ହେଲେ ସୋମବାର ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ସବୁକିଛି ବିଗାଡ଼ି ଦେଇଥିଲା । ପୂର୍ବରୁ ପର୍ବତର ମାଟି ନରମ ହୋଇଥିବା ବେଳେ ପ୍ରବଳ ବର୍ଷା ହେବା ମାତ୍ରେ ବର୍ଷାଜଳ ସହ ତଳକୁ ଧସିଆସିଥିଲା । ଆଉ ଏହା ସହ ପାହାଡ଼ିଆ ଅଞ୍ଚଳରେ ଥିବା ଘର, ଦୋକାନ ସବୁକିଛି ଜଳସ୍ରୋତ ସହ ଏକାକାର ହୋଇଯାଇଥିଲା । ଏପରିକି କେଇ ଘଣ୍ଟାରେ ଅନେକ ନିଶ୍ଚିହ୍ନ ହୋଇଗଲା । ପାଣିପାଗ ବିଭାଗର ସୂଚନା ଅନୁସାରେ ସୋମବାର ୬୪-୨୦୪ ମିଲିମିଟର ବର୍ଷା ହେବାର ଥିଲା । ସେଦିନ ଓ୍ବାୟନାଡରେ ୨୦୦ ମିମି ବର୍ଷା ହୋଇଥିଲା । କିନ୍ତୁ ଏହାର ୨୪ ଘଣ୍ଟା ପରେ ଅର୍ଥାତ ମଙ୍ଗଳବାର ସକାଳେ ୩୭୨ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । 

ସୋମାବର ବିଳମ୍ବିତ ରାତି ଏବଂ ମଙ୍ଗଳବାର ଭୋର ସମୟରେ ଘଟିଥିଲା ଦୁଇ ଦୁଇଟି ବଡ଼ ଭୂସ୍ଖଳନ ।  ରାତି ପ୍ରାୟ ୨ଟାରେ ମୁଣ୍ଡାକାଇରେ ପ୍ରଥମ ଭୂସ୍ଖଳନ ହୋଇଥିବା ବେଳେ ସେଠାରୁ ୩.୫ କିଲୋମିଟର ଦୂର ଚୁରଲମାଲାରେ ଭୋର ୪.୧୦ରେ ଘଟିଥିଲା ଦ୍ବିତୀୟ ଭୂସ୍ଖଳନ । କାଦୁଅ ମିଶା ଜଳ ସହ ବଡ଼ ବଡ଼ ପଥର ତଳକୁ ମାଡ଼ିଆସିଥିଲା । ଫଳରେ ଲୋକମାନେ ଘରୁ ବାହାରିବାକୁ ମଧ୍ୟ ସୁଯୋଗ ପାଇନଥିଲେ । ଘଟଣା ପରେ ସେନା, ଏନଡିଆରଏଫ, ପୋଲିସ ଟିମ୍‌ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ସ୍ଥିତି ଏମିତି ହୋଇଥିଲା ଯେ, ଉଦ୍ଧାରକାର୍ଯ୍ୟରେ ବହୁ ବାଧା ଉପୁଜିଥିଲା । ସେପଟେ ଇତିହାସରେ ପ୍ରଥମ ଥର ଏତେ ଟ୍ରାଜେଡି ଦେଖିଥିବା କେରଳ ଦୁଇ ଦନିଆ ଶୋକ ପାଳୁଛି । କେନ୍ଦ୍ର ସରକାର ମୃତକଙ୍କ ଲାଗି ୨ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ସେପଟେ ପ୍ରବଳ ବର୍ଷରେ ଫୁଲି ଉଠିଥିବା ଚାଲିୟାର ନଦୀ ଭୟଙ୍କର ରୂପ ଧାରଣ କରିଛି । ନଦୀ ତଟରେ ଥିବା ପୋଥୁକାଲୁ ଏବଂ ନିଲାମ୍ବୁରର ଲୋକେ ନଦୀରେ ଭାସିଆସିଥିବା ଅନେକ ଘର ଏବଂ ଶବକୁ ଦେଖି ସ୍ତବ୍ଧ ହୋଇଯାଇଥିଲେ । 

ଟ୍ରାଜେଡିକୁ ରୋକା ଯାଇପାରିଥାନ୍ତା !

ଇଶ୍ବରଙ୍କ ନିଜ ଦେଶ ବୋଲି କୁହାଯାଉଥିବା କେରଳରେ ପ୍ରକୃତିର ଗନ୍ତାଘର ରହିଛି।  ଏଠାରେ ପ୍ରକୃତିକୁ ଉପଭୋଗ କରିବାକୁ ଦେଶ ସମେତ ବିଶ୍ବର କୋଣ ଅନୁକୋଣରୁ ବହୁ ପର୍ଯ୍ୟଟକ ଆସିଥାନ୍ତି । ଏହାକୁ ନଜରରେ ଓ୍ବାୟନାଡର ମୁଣ୍ଡାକାଇରେ ଜନବସିତି ବୃଦ୍ଧି ପାଇଥିଲା । ଗତ ଦୁଇ ଦଶନ୍ଧୀ ମଧ୍ୟରେ ଓ୍ବାୟନାଡରେ ପର୍ଯ୍ୟଟକଙ୍କ ବୃଦ୍ଧି ହେବାରୁ ମୁଣ୍ଡାକାଇରେ ଛୋଟ ବଡ଼ ହୋଟେଲ ମଧ୍ୟ ଗଢ଼ି ଉଠିଥିଲା । ତଥାପି ଏତେ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା । ୪ ବର୍ଷ ପୂର୍ବରୁ ରାଜ୍ୟ ବିପତ୍ତି ନିରାକରଣ ପ୍ରାଧିକରଣ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ରିପୋର୍ଟ ଦେଇଥିଲା ଯେ, ଓ୍ବାୟନାଡର ଓ୍ବେଷ୍ଟର୍ଣ୍ଣ ଘାଟରୁ ୪୦୦୦ ପରିବାରକୁ ସ୍ଥାନାନ୍ତ କରିବାକୁ ହେବ । ଭୂସ୍ଖଳନ ପ୍ରବଣ ଅଞ୍ଚଳ ମୁଣ୍ଡାକାଇକୁ ନେଇ କମିଟି ଉଦବେଗ ପ୍ରକାଶ କରିଥିଲା । ମୁଣ୍ଡାକାଇ ଗାଁରୁ ଭେଲାରମାଳା ପର୍ବତର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ ପର୍ଯ୍ୟଟକ । ଏହି ପାହାଡ଼ ‘କ୍ୟାମେଲ ହମ୍ପ’ ପାର୍ବତମାଳର ଅଂଶ ହୋଇଥିବା ବେଳେ ଏଠାରେ ଭୂସ୍ଖଳନ ଅଧିକ ଦେଖାଯାଏ । ମୁଣ୍ଡାକାଇ ସମେତ ୧୭ ଟି ଗାଁକୁ ଅତି ବିପଦସଂକୁଳ ତାଲିକାରେ ସାମିଲ କରିଥିଲା କମିଟି । କିନ୍ତୁ ଏହାକୁ ହୁଏତ ସରକାର ଅଣଦେଖା କରିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଗଲା । ଏହା ସହ ୨୦୦ରୁ ଅଧିକ ଜୀବନ ଅକାରଣେ ଚାଲିଗଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.