ସୁରେ: କାନାଡାରେ ପଢ଼ୁଥିବା ଭାରତୀୟ ଛାତ୍ରଙ୍କ ହତ୍ୟା । ଟାର୍ଗେଟ କିଲିଂ ହୋଇଥିବା ନେଇ ପୋଲିସ ସନ୍ଦେହ କରୁଛି । ଆମେରିକା ଏବଂ କାନାଡା ଭଳି ଦେଶରେ ବିଶେଷ କରି ଭାରତୀୟ ଛାତ୍ରଛାତ୍ରୀଙ୍କ ହତ୍ୟା ମାମଲା ବୃଦ୍ଧି ପାଇଛି । ପଞ୍ଜାବ ଲୁଧିଆନାରୁ ପଢ଼ିବା ପାଇଁ କାନାଡା ଯାଇଥିବା ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଛାତ୍ର ଜଣକ ହେଲେ ଯୁବରାଜ ଗୋଏଲ। ସେ ୨୦୧୯ ମସିହାରେ ଭିସା ନେଇ କାନାଡାରେ ପହଞ୍ଚିଥିଲେ । ନିକଟରେ ସେ କାନଡୀୟ ସ୍ଥାୟୀ ବାସିନ୍ଦା ମାନ୍ୟତା ପାଇଥିଲେ।
ଜୁନ୍ ୭ ତାରିଖ ସକାଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁରେ ପୋଲିସ ବ୍ରିଟିଶ କଲମ୍ବିଆର ସୁରେ ସ୍ଥିତ ୧୬୪ ଷ୍ଟ୍ରିଟରେ ୯୦୦-ବ୍ଲକରେ ଗୁଳି ମାଡ଼ ନେଇ ଖବର ପାଇଥିଲା। ସେଠାରେ ପହଞ୍ଚିବା ପରେ ଅଧିକାରୀମାନେ ଯୁବରାଜଙ୍କ ମୃତଦେହ ପାଇଥିଲେ। ଏହି ମାମଲାରେ ପୋଲିସ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିବା ଜରାପଡ଼ିଛି ।
ପ୍ରାଥମିକ ତଦନ୍ତରୁ ଯୁବରାଜଙ୍କୁ ଟାର୍ଗେଟ୍ କରି ଗୁଳି ମାଡ କରାଯାଇଥିବା ପୋଲିସ କହିଛି। ଯୁବରାଜଙ୍କର କୌଣସି ଅପରାଧିକ ରେକର୍ଡ ନଥିଲା କି କାହା ସହ ତାଙ୍କର କୌଣସି ଶତ୍ରୁତା ନଥିଲା। ତେବେ ତାଙ୍କୁ କାହିଁକି ହତ୍ୟା କରାଗଲା ତାହା ଜାଣିବା ପାଇଁ ଅନୁସନ୍ଧାନ ଜାରି ରହିଛି ବୋଲି ରୟାଲ କାନାଡୀୟ ପୋଲିସ କହିଛି।
ସୂଚନା ଅନୁଯାୟୀ, ୨୮ ବର୍ଷୀୟ ଯୁବରାଜ କାନାଡାରେ ପାଠ ପଢ଼ିବା ସହ ଜଣେ ସେଲ୍ସ ଏକ୍ଜିକ୍ୟୁଟିଭ୍ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ବାପା ରାଜେଶ ଗୋଏଲ ଜଣେ କାଠ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କ ମା ଶକୁନ ଗୋଏଲ ଜଣେ ଗୃହିଣୀ । ଯୁବରାଜ ତାଙ୍କର ଏକମାତ୍ର ପୁଅ ଥିଲେ। ଏବେ ପୁଅର ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ସେପଟେ ବିଦେଶରେ ଭାରତୀୟ ଛାତ୍ରଛାତ୍ରୀଙ୍କ ହତ୍ୟା ମାମଲା ବୃଦ୍ଧି ପାଇଥିବାରୁ ଭାରତରେ ଚିନ୍ତା ବଢ଼ିଛି ।