ଗୁଣପୁର, ୦୩/୦୯ : ଡାକ୍ତରୀ ପଢ଼ିବେ ପ୍ରଥମ ଲାଞ୍ଜିଆ ସୌରା ଛାତ୍ର ନବେଶ ଶବର । ଏଥିଲାଗି ସେ ସମ୍ବଲପୁର ବୁର୍ଲାର ଭୀମ୍ସାର୍ ମେଡିକାଲ୍ କଲେଜରେ ନାଁ ଲେଖାଇଛନ୍ତି । ଏହି ଖବର ପ୍ରଚାର ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସମଗ୍ର ଲାଞ୍ଜିଆ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି ।
ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ପୁଟାସିଂ ଅଞ୍ଚଳରେ ବସବାସ କରନ୍ତି ବିରଳ ଆଦିମ ଜନଜାତି ଲାଞ୍ଜିଆ ସୌରା । ଆଜି ପର୍ଯ୍ୟନ୍ତ ଏହି ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିନି ବିକାଶ । ମୋବାଇଲ୍ ନେଟ୍ୱର୍କ ଓ ଇଣ୍ଟରନେଟ୍ର ଉପଯୁକ୍ତ ସୁବିଧା ବି ନାହିଁ । ତଥାପି ଏ ଅଞ୍ଚଳର ଜଣେ ଛାତ୍ର ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ । ବାପା ଅଜିତ ଶବର, ମାଆ କାଲାମି ଚାଷବାସ କରି ପରିବାର ଚଳାଉଛନ୍ତି । ନବେଶ ଗୁଣପୁର ବ୍ଲକ୍ ଆମ୍ବାବାଡ଼ି ସରକାରୀ ପ୍ରାଥମିକ ସ୍କୁଲ୍ରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ପଞ୍ଚମ ପରେ ଜବାହର ନବୋଦୟ ବିଦ୍ୟାଳୟ, ଥେରୁବାଲିରେ ପଢ଼ିବାକୁ ସୁଯୋଗ ପାଇଥିଲେ । ପରେ ମହାରାଷ୍ଟ୍ରର ପୁଣେ ଜବାହର ନବୋଦୟରେ ଯୁକ୍ତ ଦୁଇ ପଢ଼ିଥିଲେ । ପଢ଼ିବା ସମୟରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିଲେ । ଯୁକ୍ତ ଦୁଇ ପରେ ନିଟ୍ ପରୀକ୍ଷା ଦେଇଥିଲେ । ଅଲ୍ ଇଣ୍ଡିଆ ର୍ୟାଙ୍କ୍ ନମ୍ବର ୨୧୪୪୦୮ ରହିଥିବା ବେଳେ ଓଡ଼ିଶା ର୍ୟାଙ୍କ୍ ୩୮୨୪ ରହିଥିଲା । ଆଦିବାସୀ କୋଟାରୁ ୫୩ ର୍ୟାଙ୍କ୍ ରଖି ବୁର୍ଲା ଭୀମସାର୍ ମେଡିକାଲ୍ କଲେଜରେ ନାଁ ଲେଖାଇଲେ ।
ନବେଶ କହିଛନ୍ତି, ତାଙ୍କର ଏହି ସଫଳତା ପଛରେ ବାପାମାଆ ଓ ଦାଦାଖୁଡ଼ୀଙ୍କ ଅବଦାନ ରହିଛି । ତାଙ୍କୁ ପଢ଼ାଇବାକୁ ବାପାମାଆ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ସେ ଦିନକୁ ୧୦ ଘଣ୍ଟା ପରିଶ୍ରମ କରିଥିଲେ । ନବେଶଙ୍କ ଏହି ସଫଳତାର ଖବର ପ୍ରଚାର ପରେ ସେହି ଅଞ୍ଚଳର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମାଥ୍ୟୁ ଦଳବେହେରା, ସରପଞ୍ଚ ଏସୀୟ ଶବର, ଦାମୋଦର ଶବରଙ୍କ ସମେତ ଅଞ୍ଚଳବାସୀ ଖୁସିରେ ଫାଟି ପଡ଼ିଛନ୍ତି । ନବେଶ ପ୍ରଥମ ଲାଞ୍ଜିଆ ସୌରା ଯିଏ ଡାକ୍ତରୀ ପଢ଼ିବାର ଗୌରବ ଅର୍ଜନ କରିଛନ୍ତି ବୋଲି ସେମାନେ କହିଛନ୍ତି । ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ଉପଜିଲ୍ଲାପାଳ କୀରଣ ଦୀପ୍ କୌର, ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ସମେତ ଏଲ୍ଏସ୍ଡିଏର ସ୍ୱତନ୍ତ୍ର ଅଧିକାରୀ ଅସୀମା ରାଓ ପ୍ରମୁଖ ତାଙ୍କ ଉଜ୍ୱଳ ଭବିଷ୍ୟତର କାମନା କରି ଅଭିନନ୍ଦନ ଜଣାଇଛନ୍ତି ।