ନୂଆଦିଲ୍ଲୀ,୦୮/୦୯: ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅନିୟନ୍ତ୍ରିତ ହୋଇଯାଇଛି । ଯାହାଫଳରେ ୪୫ ପ୍ରତିଶତରୁ ଅଧିକ ଜିଲ୍ଲା ବନ୍ୟା ପ୍ରଭାବିତ କିମ୍ବା ମରୁଡି ପ୍ରବଣ ଭାବେ ବଦଳୁଛି । ଅର୍ଥାତ ପୂର୍ବରୁ ଯେଉଁ ଅଞ୍ଚଳ ବନ୍ୟା ପ୍ରଭାବିତ ଥିଲା ବର୍ତ୍ତମାନ ସେଠାରେ ମରୁଡି ଦେଖା ଦେଉଥିବା ବେଳେ ମରୁଡି ପ୍ରବଣ ଅଞ୍ଚଳ ଏବେ ବନ୍ୟାରେ ଉବୁଟୁବୁ ହେଉଛି । ଆଇପିଇ-ଗ୍ଲୋବାଲ ଓ ଏସ୍ରିଇଣ୍ଡିଆ ପକ୍ଷରୁ ମିଳିତ ଭାବେ ୧୯୭୩-୨୦୨୩ ଦୀର୍ଘ ୫୦ ବର୍ଷର ଜଳବାୟୁ ପରିବର୍ତ୍ତନକୁ ନେଇ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡିଛି ।
ରିପୋର୍ଟରେ କୁହାଯାଇଛି କି ଗତ ୧୦୦ ବର୍ଷ ଭିତରେ ତାପମାତ୍ରା ୦.୬ ଡିଗ୍ରୀ ସେଲ୍ସିୟସ ବଢ଼ିଛି । ଯାହାଫଳରେ ପାଣିପାଗରେ ବଡଧରଣର ପରିବର୍ତ୍ତନ ଘଟିଛି । କେରଳର ୱାୟନାଡରେ ପ୍ରବଳ ତଥା ଅନିୟନ୍ତ୍ରିତ ବର୍ଷା ଯୋଗୁ ଘଟିଥିବା ଭୂସ୍ଖଳନ ଏବଂ ଗୁଜରାଟ ଓ ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ହଠାତ୍ ଆସିଥିବା ବନ୍ୟା ପରିସ୍ଥିତିରୁ ଜଳବାୟୁର ପରିବର୍ତ୍ତନ କିଭଳି ଭୟଙ୍କର ରୂପ ନେଉଛି ତାହା ଦେଖିବାକୁ ମିଳିଛି । ଜିଲ୍ଲା ସ୍ତରରେ କରାଯାଇଥିବା ସମୀକ୍ଷାରୁ ଜଣାପଡିଛି କି ବର୍ତ୍ତମାନ ଭାରତର ପ୍ରାୟ ୮୫ ପ୍ରତିଶତ ଜିଲ୍ଲା ବନ୍ୟା, ବାତ୍ୟା, ମରୁଡି, ଅଂଶୁଘାତ ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ହୋଇପଡିଛି । ଏସବୁ ଜିଲ୍ଲା ମଧ୍ୟରୁ ଅଧିକାଂଶ ଜିଲ୍ଲା ପୂର୍ବରୁ ମରୁଡି ପ୍ରବଣ ଭାବେ ବିବେଚନା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସେଠାରେ ବନ୍ୟା ସୃଷ୍ଟି ହେଉଛି ।
ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ଆସାମର ୬୦ ପ୍ରତିଶତରୁ ଅଧିକ ଜିଲ୍ଲା ଏକାଧିକ ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି । ଅର୍ଥାତ ସେଠାରେ ବନ୍ୟା, ବାତ୍ୟା, ମରୁଡି କିମ୍ବା ଅଂଶୁଘାତ ଭଳି ସଙ୍କଟ ଦେଖାଦେଉଛି । ଶ୍ରୀକାକୁଲମ, କଟକ, ଗୁଣ୍ଟୁର, ମେହବୁବ ନଗର, କୁର୍ଣ୍ଣୁଲ, ନାଲଗୋଣ୍ଡା ଓ ପଶ୍ଚିମ ଚମ୍ପାରଣ ଭଳି ଅନେକ ଜିଲ୍ଲା ଉଭୟ ବନ୍ୟା ଓ ମରୁଡି ପ୍ରବଣ ହୋଇପଡିଛି । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକ ଭଳି ରାଜ୍ୟ ଏବେ ଅଧିକ ମରୁଡି ପ୍ରବଣ ହୋଇଯାଇଛି । ରାଜକୋଟ, ସୁରେନ୍ଦ୍ରନଗର, ଅଜମେର, ଯୋଧପୁର ଓ ଔରଙ୍ଗାବାଦ ଭଳି ଜିଲ୍ଲା ଉଭୟ ବନ୍ୟା ଓ ମରୁଡି ପ୍ରବଣ ହୋଇଛି ।
ରିପୋର୍ଟରେ ଆହୁରି କୁହାଯାଇଛି କି ବ୍ୟାପକ ଭାବେ ନିର୍ମାଣ କାର୍ଯ୍ୟ, ଆବାସିକ ଅଞ୍ଚଳ ପାଇଁ ଜମିର କିସମ ପରିବର୍ତ୍ତନ, ବହୁ ପରିମାଣର ଜଙ୍ଗଲ ନଷ୍ଟ, ହେନ୍ତାଳ ବନ ଅଞ୍ଚଳ ଜବରଦଖଲ ଏବଂ ଆର୍ଦ୍ରଭୂମିକୁ ନଷ୍ଟ କରାଯିବା ଯୋଗୁ ଅନେକ ଅଞ୍ଚଳ ଏବେ ବନ୍ୟା ଓ ମରୁଡି ପ୍ରବଣ ହୋଇପଡିଛି। ଏଥିସହ ନିୟମିତ ଭାବେ ସବୁଜ ଗୃହ ବାଷ୍ପ ବୃଦ୍ଧି, ଯୋଜନା ବିହୀନ ଭୂ- ପରିବର୍ତ୍ତନ ଏବଂ ବ୍ୟାପକ ନିର୍ମାଣ କାର୍ଯ୍ୟ କରାଯିବା ଫଳରେ ଜଳବାୟୁ ଘଟଣା ବା ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି ।
ଆଇପିଇ-ଗ୍ଲୋବାଲର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଅଶ୍ୱଜିତ ସିଂହ କହିଛନ୍ତି ଭାରତରେ ମୁଣ୍ଡପିଛା ଅଙ୍ଗାରକାମ୍ଳ ନିର୍ଗମ ହାର ବିଶ୍ୱରେ ମୁଣ୍ଡପିଛା ହାରର ଏକତୃତୀୟାଂଶ ତଥା ଆମେରିକା ଓ ଚୀନ୍ ଭଳି ବିକଶିତ ରାଷ୍ଟ୍ରର ମୁଣ୍ଡପିଛା ହାର ତୁଳନାରେ ବହୁ କମ୍ ରହିଛି । କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ସର୍ବାଧିକ ପ୍ରଭାବିତ ହେଉଛି । ଅର୍ଥାତ ଭାରତରେ ବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଅଧିକ ଦେଖିବାକୁ ମିଳୁଛି । ତେଣୁ ଜଳବାୟୁ ପରିବର୍ତ୍ତନର ମୁକାବିଲାକରିବାକୁ ହେଲେ ଅଧିକ ବଜେଟ ବ୍ୟବସ୍ଥା କରିବା ସହ ଆବଶ୍ୟକ ନୀତି ନିର୍ଦ୍ଧାରଣ ଏବଂ ଗଠନମୂଳକ ପଦକ୍ଷେପ ନେବାକୁ ପଡିବ । ସେହିଭଳି ଏସ୍ରି-ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଅଗେନ୍ଦ୍ର କୁମାରଙ୍କ କହିବାନୁଯାୟୀ ନିକଟ ଭବିଷ୍ୟତରେ ଯଦି ଜିଆଇଏସ୍ ଟେକ୍ନୋଲୋଜିର ଉପଯୋଗ କରାଯିବତେବେ ଜଳବାୟୁ ପରିବର୍ତ୍ତନର ମୁକାବିଲା ସହଜସାଧ୍ୟ ହୋଇପାରିବ।