ପୁରୀ,୦୩/୦୮: କୋଟିକୋଟି ଭକ୍ତଙ୍କ ଭାବାବେଗକୁ କୁଠାରାଘାତ । ଭାବଭକ୍ତିରେ ସେମାନେ ଦେଇଥିବା ଚାଉଳ, ଗୁଆ, ନଡ଼ିଆ ମହାପ୍ରଭୁଙ୍କୁ ଅର୍ପଣ ହେଲାନି । ମହାପ୍ରଭୁଙ୍କ ପାଇଁ ଆସିଥିବା ଅର୍ପଣ ଚାଉଳ ଏବେ ଯିବ ଆଶ୍ରମକୁ । ଶ୍ରୀଜଗନ୍ନାଥଙ୍କ ନାମରେ ରଥ ବୁଲାଇ ସଂଗ୍ରହ ହୋଇଥିଲା ଚାଉଳ, ଗୁଆ, ନଡ଼ିଆ ଓ ଦାନଅର୍ଥ । ସାରା ରାଜ୍ୟରୁ ୧୪ ହଜାର କୁଇଣ୍ଟାଲ ଅର୍ପଣ ଚାଉଳ ଭକ୍ତ ଦେଇଥିଲେ । ସେଥିରୁ ୧୦ ହଜାର କୁଇଣ୍ଟାଲ ଚାଉଳ ନଷ୍ଟ ହୋଇଗଲା । ଏବେ ଉକ୍ତ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ ହେବନାହିଁ । ଏଣୁ ଏସବୁକୁ ଆଶ୍ରମ ତଥା ଗରିବଙ୍କୁ ବାଣ୍ଟି ଦେବାକୁ ଯୋଜନା ହୋଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ପାଇଁ ଶ୍ରୀଜଗନ୍ନାଥଙ୍କ ନାମରେ ଗାଁ ଗାଁରେ ବୁଲିଲା ଅର୍ପଣ ରଥ । ସାରା ରାଜ୍ୟର କୋଟି କୋଟି ଜଗନ୍ନାଥପ୍ରେମୀ ଏହି ରଥରେ ମହାପ୍ରଭୁଙ୍କ ନାଁରେ ସମର୍ପି ଦେଲେ ଚାଉଳ, ଗୁଆ, ନଡ଼ିଆ । ଏହି ଚାଉଳରେ ଅବଢ଼ା ପ୍ରସ୍ତୁତ ହେବ। ଭକ୍ତ ଏହି ମହାପ୍ରସାଦ ପାଇବେ । ଗୁଆ, ନଡ଼ିଆ ମଧ୍ୟ ମହାପ୍ରଭୁଙ୍କ ସେବାରେ ଲାଗିବ । ଏଭଳି ଅନେକ ଆଶା ଭକ୍ତଙ୍କୁ ଦିଆଯାଇଥିଲା । ବର୍ଷ ତମାମ ବିଲରେ ଖଟି କରିଥିବା ଅମଳକୁ କିଏ ମହାପ୍ରଭୁଙ୍କ ନାମରେ ଟେକିଦେଲା । ପୁଣି କିଏ ନିଜ ପେଟରୁ କାଟି ବସ୍ତାବସ୍ତା ଚାଉଳ ଅର୍ପଣ ରଥରେ ପଠେଇଥିଲେ । ଅବ୍ୟବସ୍ଥିତ ଭାବେ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ପଡ଼ିପଡ଼ି ପୋକ ଖାଇଗଲା ।
ଏଣୁ ଯଥାଶୀଘ୍ର ଏହାର ବିନିଯୋଗ କରିବାକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରାଯାଇଛି । ନିଯୋଗ ପକ୍ଷରୁ ଚାଉଳର ବ୍ୟବହାର ନେଇ ୩ ସୂତ୍ରୀ ପ୍ରସ୍ତାବ ଦିଆଯାଇଛି । ଚାଉଳ ଏତେ ଦିନ ରହିରହି ନଷ୍ଟ ହେଉଥିବାରୁ ଏହାକୁ ବିଭିନ୍ନ ଆଶ୍ରମ ଓ ଗରିବ ବ୍ୟକ୍ତିଙ୍କୁ ଦାନ କରିବାକୁ ନିଯୋଗ ପ୍ରଥମ ପ୍ରସ୍ତାବ ଦେଇଛି । ନଚେତ୍ ଏହି ଚାଉଳ ସବୁକୁ ପ୍ରୋସେସିଂ କରି ଅବଢ଼ା ରାନ୍ଧିବା ଉପଯୋଗୀ କରିବାକୁ ନିଯୋଗ କହିଛି । ତୃତୀୟରେ ଏହି ଦାନ ଚାଉଳକୁ ବଦଳାଇ ଅନ୍ୟ ଚାଉଳ ଆଣିବାକୁ ମଧ୍ୟ ନିଯୋଗ ପକ୍ଷରୁ ପ୍ରସ୍ତାବ ରଖାଯାଇଛି ।
ସୁଆର ମହାସୁଆର ନିଯୋଗ ସାଧାରଣ ସଂପାଦକ ନାରାୟଣ ମହାସୁଆର କହିଛନ୍ତି, ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଅବଢ଼ା ଉଚ୍ଚମାନର ଚାଉଳରେ ପ୍ରସ୍ତୁତ ହୁଏ । ଚାଉଳରେ ପୋକ ଲାଗିଲେ କିମ୍ବା ଫିମ୍ପି ମାରିଲେ ଏହା ଅବଢ଼ା ରାନ୍ଧିବା ଉପଯୋଗୀ ହୋଇନଥାଏ। ଏଣୁ ଅର୍ପଣ ଚାଉଳ ଯଦି ପ୍ରୋସେସିଂ ହୋଇ ଆସେ, ଏହା ଅବଢ଼ା ହେବା ଉପଯୋଗୀ କି ନୁହେଁ ପ୍ରଥମେ ଦେଖାଯିବ । ପ୍ରୋସେସିଂ ପରେ ଚାଉଳ ସାଧାରଣତଃ ଅତ୍ୟନ୍ତ ସରୁ ଏବଂ ଗୁଣ୍ଡ ହୋଇଯାଏ । ଯଦି ଏଭଳି ହୁଏ ସେଥିରେ ଅବଢ଼ା ହୋଇପାରିବନାହିଁ । ଅର୍ପଣ ରଥରେ ଆସିଥିବା ଅଧିକାଂଶ ଚାଉଳ ଦେଶୀ ଚାଉଳ ହୋଇଥିବାରୁ ଏହା ଶୀଘ୍ର ନଷ୍ଟ ହୋଇଥାଇପାରେ ବୋଲି ସେ ଆଶଙ୍କା କରିଛନ୍ତି । ଆଗାମୀ ବୈଠକରେ ଏହି ଚାଉଳର ବିନିଯୋଗ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ମିଳିଥିବା ସୂଚନାନୁସାରେ, ଅର୍ପଣ ରଥରେ ମିଳିଥିବା ୧୪ ହଜାର କୁଇଣ୍ଟାଲ ଚାଉଳରୁ ମାତ୍ର ୪ ହଜାର କୁଇଣ୍ଟାଲ ଚାଉଳରେ ଖେଚୁଡ଼ି ଓ କାନିକା ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟା ଯାଇଛି । ଫେବ୍ରୁଆରୀ ୪ରୁ ଜୁନ୍ ୬ ପର୍ଯ୍ୟନ୍ତ ସୁଆର ମହାସୁଆର ନିଯୋଗ ପକ୍ଷରୁ ଏହା ବଣ୍ଟା ଯାଇଥିଲା । ଅର୍ପଣ ରଥରେ ଆସିଥିବା ଚାଉଳରେ ଅନେକ ଉଷୁନା ଚାଉଳ ମଧ୍ୟ ଦେଇଥିଲେ । ଏକ ସ୍ୱତନ୍ତ୍ର କମିଟି କରାଯାଇ ସେଥିରୁ ୧୪ ହଜାର କୁଇଣ୍ଟାଲ ଅରୁଆ ଚାଉଳ ଅଲଗା କରାଯାଇଥିଲା । ଏହି ଚାଉଳ ସବୁକୁ ଗୁଣ୍ଡିଚା ମନ୍ଦିର, ଅକ୍ଷୟପାତ୍ର ଫାଉଣ୍ଡେସନ ଏବଂ ଏଫ୍ସିଆଉ ଗୋଦାମରେ ରଖାଯାଇଥିଲା । ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିରରୁ ସବୁ ଚାଉଳ ଖାଲି କରାଯାଇଥିଲା । ଏବେ ସମସ୍ତ ବଳକା ଚାଉଳ ଅକ୍ଷୟପାତ୍ର ଫାଉଣ୍ଡେସନ ଏବଂ ଏଫ୍ସିଆଇ ଗୋଦାମରେ ରହିଛି ।