ପ୍ରମୂଖ ଖବର

୯୦ ଡଲାର ନିକଟତର ହେଲା ଅଶୋଧିତ ତୈଳ, ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଆଶା କ୍ଷୀଣ

ନୂଆଦିଲ୍ଲୀ,୦୭/୦୯: ସାଉଦି ଆରବ ଏବଂ ରୁଷ  ଚଳିତବର୍ଷ ଶେଷ ଯାଏ ଉତ୍ପାଦନ ଏବଂ ରପ୍ତାନି ହ୍ରାସ  ଜାରି ରଖିବା ପାଇଁ ଘୋଷଣା କରିଛନ୍ତି । ଏହା ପ୍ରଭାବରେ  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ  ପିଛା ୯୦ ଡଲାର ନିକଟତର ହୋଇଛି । ୧୦ ମାସର  ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଦର ।  

ଏଭଳି ସ୍ଥିତିରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ  ଦର କମିବା ଆଶା ଧୀରେ ଧୀରେ କ୍ଷୀଣ ହେଉଛି । ଭାରତ  ଏହାର ତୈଳ ଆବଶ୍ୟକତାର ୮୫%ରୁ ଅଧିକକୁ ଆମଦାନି  ଜରିଆରେ ପୂରଣ କରିଥାଏ । ଅନ୍ତର୍ଜାତୀୟ ବଜାରରେ  ଅଶୋଧିତ ତୈଳ ଦର ବୃଦ୍ଧି ଦ୍ୱାରା ରାଜକୋଷରୁ ଅଧିକ  ଅର୍ଥରାଶି ଯିବ । ଏହାସହିତ ବର୍ତ୍ତମାନ ସ୍ଥିତିରେ ବଜାର  ପରିଚାଳିତ ପେଟ୍ରୋଲ ଏବଂ ଡିଜେଲ ଦର ବ୍ୟବସ୍ଥାକୁ  ପୁଣି ଲାଗୁ କରାଯାଇପାରେ ବୋଲି ଅନୁମାନ ରହିଛି ।  

ପେଟ୍ରୋଲିୟମ୍‌ ରପ୍ତାନିକାରୀ ରାଷ୍ଟ୍ର ସଂଘ ବା  ଓପେକ୍‌+ର ନେତୃତ୍ୱ ନେଉଥିବା ସାଉଦି ଆରବ ଡିସେମ୍ବର  ଶେଷ ଯାଏ ବିଶ୍ୱକୁ ଏହାର ଦୈନିକ ତୈଳ ଯୋଗାଣରେ  ୧୦ ଲକ୍ଷ ବ୍ୟାରେଲ ହ୍ରାସ ଜାରି ରଖିବ ବୋଲି ଘୋଷଣା  କରିଛି । ଏହି ନିଷ୍ପତ୍ତି ଘୋଷଣା ପରେ ଗତ ସପ୍ତାହରେ  ବ୍ରେଣ୍ଟ କ୍ରୁଡ୍‌ ଦର ପ୍ରାୟ ୬.୫% ବୃଦ୍ଧି ପାଇଛି । ରୁଷର  ଏହି ପଦକ୍ଷେପ ଯୋଗୁ ଚଳିତବର୍ଷ ପ୍ରଥମ ଥର ପାଇଁ  ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍‌ ଦର ୯୦ ଡଲାର ନିକଟତର  ହୋଇଛି । ତୈଳ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଭାରତ  ଆମଦାନି କରୁଥିବା ତୈଳ ବାସ୍କେଟ ବ୍ୟାରେଲ ପିଛା  ୮୯.୮୧ ଡଲାର ରହିଛି, ଯାହାକି ଅଗଷ୍ଟରେ ୮୬.୪୩  ଡଲାର ଥିଲା ।

ମେ’ ଏବଂ ଜୁନ୍‌ରେ ଏହା ବ୍ୟାରେଲ ପିଛା ୭୩ରୁ  ୭୫ ଡଲାର ମଧ୍ୟରେ ଥିଲା । ଜୁଲାଇରେ ଏହା ୮୦.୩୭  ଡଲାରକୁ ବଢ଼ିଥିଲା । ବର୍ତ୍ତମାନ ଏହା ୯୦ ଡଲାର  ନିକଟତର । ବଜାର ଦରଠାରୁ କମ୍‌ରେ ଇନ୍ଧନ ବିକ୍ରି  ବାବଦ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ସେମାନଙ୍କ ପିଛିଲା  କ୍ଷତି ଭରଣା କରି ଲାଭରେ ଚାଲିଛନ୍ତି । ଏହାମଧ୍ୟରେ ଆଶା  କରାଯାଉଥିଲା, ନିକଟ ଭବିଷ୍ୟତରେ ପେଟ୍ରୋଲ ଏବଂ  ଡିଜେଲ ଦରରେ ହ୍ରାସ ଘଟିବ । କିନ୍ତୁ ବର୍ତ୍ତମାନ ଅଶୋଧିତ  ତୈଳର ବର୍ଦ୍ଧିତ ଦର ଏହି ଆଶାକୁ କ୍ଷୀଣ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.