ନୂଆଦିଲ୍ଲୀ, ୨୫/୦୯: ସେନାରେ ସାମିଲ୍ ଲାଗି ୨୦୨୨ରେ ସରକାର ଲାଗୁ କରିଥିବା ଅଗ୍ନିବୀର ଯୋଜନାରେ ବଡ଼ ପରିବର୍ତ୍ତନ ହୋଇପାରେ । ଏନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଲାଇଭ୍ ହିନ୍ଦୁସ୍ତାନର ରିପୋର୍ଟ ଅନୁସାରେ, ସେନାରେ ସ୍ଥାୟୀ ହେବାକୁ ଥିବା ଯବାନଙ୍କ ସଂଖ୍ୟା ବଢ଼ାଇ ପାରନ୍ତି ସରକାର । ତେବେ ଏନେଇ ସରକାରଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ ।
ଏବେ ଥିବା ନିୟମ ଅନୁସାରେ, ଅଗ୍ନିବୀର ଯୋଜନାରେ ସେନାରେ ଭର୍ତ୍ତି ହୋଇଥିବା ୨୫ ପ୍ରତିଶତ ଯବାନଙ୍କୁ ପ୍ରଶିକ୍ଷଣ ପରେ ସ୍ଥାୟୀ କରାଯାଉଛି । ତେବେ ଅଗ୍ନିବୀରଙ୍କୁ ସ୍ଥାୟୀ କରିବା ପ୍ରତିଶତକୁ ୫୦କୁ ବୃଦ୍ଧି କରିବା ଲାଗି ବିଚାର କରୁଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏନେଇ ମନ୍ତ୍ରଣାଳୟର ଉଚ୍ଚପଦସ୍ତ ଅଧିକାରୀ ସୂଚନା ଦେଇଛନ୍ତି ।
ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ୧୦ ମିଟର ଏୟାର ରାଇଫଲରେ ମିଳିଲା ଗୋଲ୍ଡ ମେଡାଲ୍
ଗତବର୍ଷ ଲାଗୁ ହୋଇଥିବା ଅଗ୍ନିବୀର ଯୋଜନାରେ, ଅଗ୍ନିବୀରଙ୍କୁ ୪ ବର୍ଷ ଲାଗି ନିଯୁକ୍ତି ଦିଆ ଯାଉଛି । ୪ ବର୍ଷର ସେବା ପରେ ନିଯୁକ୍ତିର ୭୫ ପ୍ରତିଶତ ଯବାନଙ୍କୁ ନିର୍ଦ୍ଧାରିତ ରାଶି ସହ ସେବା ନିବୃତ କରାଯିବ । ସ୍ଥଳ, ନୌ ଓ ବାୟୁ ଆଦି ୩ ସେନା ଏହି ପ୍ରକ୍ରିୟା ଆପଣାଇଛି । ୩ ସେନାରେ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ ସାମିଲ୍ ହୋଇଛି ।
ସୂତ୍ର ଅନୁସାରେ, ଯୋଜନାରେ ସୁଧାର ଆଣିବା ପାଇଁ ଅନେକ ପରାମର୍ଶ ସେନାରୁ ଆସୁଛି । ବିଶେଷକରି ନୌସେନା ଓ ବାୟୁସେନାର କହିବା କଥା ୪ ବର୍ଷରେ ୭୫ ପ୍ରତିଶତ ପ୍ରଶିକ୍ଷିତ ଅଗ୍ନିବୀରଙ୍କୁ ସେବା ନିବୃତ କରିବା ଦ୍ୱାରା କ୍ଷତି ହେବ । କାରଣ ସେମାନେ ଜ୍ଞାନକୌଶଳରେ ଦକ୍ଷ ହେଉ ହେଉ ସେବା ସମୟ ସରିଯିବ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୧୦ରୁ ୮ ନମ୍ବର ଦେଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରର କାର୍ଯ୍ୟକୁ କଲେ ପ୍ରଶଂସା
ସୂଚନାଯୋଗ୍ୟ, ନୌସେନା ଏବଂ ବାୟୁସେନାରେ ଅଧିକାଂଶ ସୈନିକ ବୈଷୟିକ ଜ୍ଞାନକୌଶଳ ଉପରେ କାମ କରିଥାନ୍ତି । ସ୍ଥଳ ସେନାର ଅନେକ ଶାଖାରେ ଯବାନଙ୍କୁ ବୈଷୟିକ ଜ୍ଞାନକୌଶଳ ଉପରେ କାର୍ଯ୍ୟ କରିବାକୁ ପଡ଼ିଥାଏ । ସେନା ଦେଇଥିବା ପରାମର୍ଶ ଉପରେ ସରକାର ଚର୍ଚ୍ଚା କରୁଛନ୍ତି । ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚର ନିଯୁକ୍ତିକୁ ମାତ୍ର ବର୍ଷେ ହୋଇଥିବାରୁ ସରକାରଙ୍କ ପାଖରେ ଏବେ ବି ସମୟ ଅଛି ।