ପ୍ରମୂଖ ଖବର

ପୁରୁଣା ସଂସଦରେ ଶେଷ ଦିନ: ପ୍ରଧାନମନ୍ତ୍ରୀ ମୋଦି କହିଲେ- ବିଦେଶୀ ଶାସକ କରିଥିଲେ, କିନ୍ତୁ ଅର୍ଥ ଓ ପରିଶ୍ରମ ଭାରତୀୟଙ୍କ ଲାଗିଛି

ନୂଆଦିଲ୍ଲୀ,୧୮।୯: ସୋମବାରଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହକୁ ସମ୍ବୋଧିତ କରିଛନ୍ତି। ପୂର୍ବାହ୍ନ ୧୧ ଟାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଅଧିବେଶନ। ଦେଶର ୭୫ ବର୍ଷର ସଂସଦୀୟ ଯାତ୍ରା ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ସଂସଦ ଭବନରେ ଅଧିବେଶନ ଆରମ୍ଭ ପୂର୍ବରୁ ପୁରୁଣା ସଂସଦ ଭବନକୁ ପ୍ରଣାମ କରିଛନ୍ତି। ମୋଦି କହିଛନ୍ତି, ନୂଆ ସଦନକୁ  ଯିବା ପୂର୍ବରୁ   ପ୍ରେରକ କ୍ଷଣ, ଇତିହାସର ମହତ୍ତ୍ବପୂର୍ଣ୍ଣ ମୂହୁର୍ତ୍ତକୁ ସ୍ବରଣ କରିବା ଆଗକୁ ବଢିବାର ଏହା ହେଉଛି ଅବସର।  ଆମେ ନୂଆ ଭବନକୁ ଯଦିଓ ଯିବୁ, କିନ୍ତୁ ପୁରୁଣା ଭବନ ମଧ୍ୟ ଆଗାମୀ ପୀଢିକୁ ପ୍ରେରଣା ଦେବ। ଏହା ଭାରତର ଲୋକତନ୍ତ୍ରର ସ୍ବର୍ଣ୍ଣିମ ଯାତ୍ରାର ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ। ଆମେ ଏହି ଐତିହାସିକ ଭବନରୁ ବିଦାୟ ନେଉଛୁ।  ଏହା ଠିକ୍ ଯେ, ଏହି ବିଲ୍ଡିଂ ନିର୍ମାଣ କରିବାର ନିଷ୍ପତ୍ତି ବିଦେଶର ଶାସକମାନେ କରିଥିଲେ, କିନ୍ତୁ ଏହି କଥା ଆମେ କେବେ ଭୁଲି ପାରିବାନି ଯେ, ଏହି ଭବନର ନିର୍ମାଣ ମୋ ଦେଶବାସୀଙ୍କ ଝାଳ ବୁହା ପରିଶ୍ରମ ଓ ଟଙ୍କା ଦ୍ବାରା ହୋଇଛି।  

ଜି-୨୦ କୌଣସି ଦଳର  ସଫଳତା ନୁହେଁ

ଏହି ଅବସରରେ ମୋଦି କହିଛନ୍ତି, ‘ଜି୨୦’ର ସଫଳତା କୌଣସସି ବ୍ୟକ୍ତି କି, ଦଳର ନୁହେଁ, ସମଗ୍ର ଜାତିର। ସାରା ଭାରତ ବର୍ଷ ଏହାକୁ ନେଇ ଗର୍ବ କରିବ। ଆମ ସମସ୍ତଙ୍କ ପାଇଁ ଏହା ଗର୍ବର କଥା ଯେ, ଭାରତ ବିଶ୍ବ ମିତ୍ର ଭାବରେ ନିଜର ଜାଗା ତିଆରି କରିପାରିଛି। ପୁରା ବିଶ୍ବ ଏବେ ଭାରତକୁ ନିଜର ମିତ୍ର କରିବାକୁ ଚାହୁଁଛି।

ଗରିବ ପିଲା ସଂସଦ ପହଞ୍ଚିଲା

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ପ୍ରଥମ ଥର ଯେତେବେଳେ ପ୍ରବେଶ କରିଥିଲି ମୁଣ୍ଡ ନୁଆଁଇ ଏହି ଲୋକତନ୍ତ୍ରର ମନ୍ଦିରରେ ଶ୍ରଦ୍ଧାର ସହିତ ପାଦ ଦେଇଥିଲି। ଏହା ଭାରତର ଲୋକତନ୍ତ୍ରର ଶକ୍ତି। ରେଲଓ୍ବେ ପ୍ଲାଟଫର୍ମରେ କାମ କରୁଥିବା ଗରିବ ପିଲା ଆଜି ସଂସଦ ପହଞ୍ଚି ପାରିଛି। ମୁଁ କେବେ କଳ୍ପନା କରିନଥିଲି ଏହି ଦେଶ ଏତେ ଆର୍ଶୀବାଦ ଦେବ, ଏତେ ଭଲ ପାଇବା ଦେବ, ଏହା କେବେ ଭାବିନଥିଲି।

ସଂସଦ ବଞ୍ଚାଇବାକୁ ଗୁଳି ଖାଇଥିବା ଲୋକଙ୍କୁ ଶତ ନମନ

ମୋଦି କହିଛନ୍ତି, ସଂସଦ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା।  ଏହି ଆକ୍ରମଣ ସଂସଦ ଭବନ ନୁହେଁ ଏହା ଲୋକତନ୍ତ୍ରର ମା’ ଉପରେ ଥିଲା, ଆମର ଜୀବାତ୍ମା ଉପରେ ଏହି ଆକ୍ରମଣ ଥିଲା। ଏହି ଘଟଣାକୁ ପୁରା ଦେଶ କେବେ ଭୁଲି ନାହିଁ। ଆତଙ୍କବାଦୀଙ୍କ ସହ ଲଢେଇ କରି ସଦନକୁ ବଞ୍ଚାଇଥିବା ସୁରକ୍ଷାକର୍ମୀଙ୍କୁ ମୁଁ ଶତ ନମନ କରୁଛି। ସେମାନେ ଆମ ସହ ନାହାନ୍ତି, କିନ୍ତୁ ସେମାନେ ବହୁତ ବଡ ରକ୍ଷକ ଥିଲେ।

ଉଲ୍ଲେଖନୀୟ ଯେ, ସୋମବାରଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ସ୍ୱତନ୍ତ୍ର ଅଧିବେଶନ। ଆଜି ପୁରୁଣା ସଂସଦ ଭବନରେ ପ୍ରଥମ ଦିନର ଅଧିବେଶନ ବସିଛି। ଆସନ୍ତାକାଲି ଗଣେଶ ପୂଜାଠାରୁ ନୂଆ ସଂସଦ ଭବନରେ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି।  

  • PrameyaOdia
  • pm narendra modi
  • Parliament
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.