ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଜଟଣୀରେ କଂଗ୍ରେସ ଅଙ୍କ ଗୋଳମାଳିଆ: ସୁରଙ୍କ ପରେ କିଏ ଧରିବ ମଙ୍ଗ, ଦ୍ୱନ୍ଦ୍ୱରେ କର୍ମୀ

ଜଟଣୀ,୧୮/୧୧: ସସ୍‌ପେନ୍ସ ହଟୁନି । ଦ୍ୱନ୍ଦ୍ୱ ଛିଣ୍ଡୁନି । ଏବେ ବି ବଡ଼ ପ୍ରଶ୍ନ ବିଧାୟକ ସୁର ରାଉତରାୟ ନ ଲଢ଼ିଲେ କିଏ ହେବ ଜଟଣୀରୁ କଂଗ୍ରେସ ପ୍ରାର୍ଥୀ? ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ରୋକଠୋକ୍‌ ମନା କରିଦେଇଛନ୍ତି, କଦାପି କଂଗ୍ରେସରୁ ପ୍ରାର୍ଥୀ ହେବେନି । ମନ୍ମଥଙ୍କ ନଜର ବିଜେଡି ଟିକଟ ଉପରେ । ଅନ୍ୟପକ୍ଷରେ କଂଗ୍ରେସ ନେତୃମଣ୍ଡଳୀ ଯେତେ ଚାପ ପକାଇଲେ ମଧ୍ୟ ସୁର ନିଜେ ଆଉ ଥରେ ନିର୍ବାଚନ ଲଢ଼ିବା ସମ୍ଭାବନା କମ୍‌ । ଏବେ ପ୍ରଶ୍ନ- ସୁରଙ୍କ ପରେ ଜଟଣୀରେ କିଏ ଧରିବ କଂଗ୍ରେସ ମଙ୍ଗ? 

ଜଟଣୀରେ କଂଗ୍ରେସ କର୍ମୀ, ସମର୍ଥକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ବିଧାୟକ ତଥା ବରିଷ୍ଠ ନେତା ସୁର ଏବେ ବି ପୂରା ସକ୍ରିୟ ଅଛନ୍ତି । ସକାଳୁ ରାତି ଅଧ ଯାଏଁ ସମର୍ଥକଙ୍କୁ ଧରି ରାଜଧାନୀରୁ ଜଟଣୀ ଖେଦୁଛନ୍ତି । ଅନ୍ୟପକ୍ଷରେ ତାଙ୍କର ବହୁ ସମର୍ଥକ ଏବେ ତାଙ୍କ ସାନ ପୁଅ ମନ୍ମଥଙ୍କ ଶିବିରରେ ବେଶ୍‌ ସକ୍ରିୟ । ହେଲେ କଂଗ୍ରେସ ଦଳର ଦୃଢ଼ ସମର୍ଥକମାନେ ଏବେ ବି କିଛି ସ୍ଥିର କରିପାରୁନାହାନ୍ତି । ସୁରଙ୍କ ସହିତ ରହିବେ ନା ମନ୍ମଥଙ୍କ ଆଡ଼କୁ ଯିବେ? କଂଗ୍ରେସରେ ରହିବେ ନା ଦଳ ଛାଡ଼ି ଅନ୍ୟ ଦଳକୁ ଯିବେ? ଯଦି କଂଗ୍ରେସରେ ରହିବେ, କାହା ନେତୃତ୍ୱରେ ମଇଦାନକୁ ଓହ୍ଲାଇବେ? 

ନିର୍ବାଚନ ନ ଲଢ଼ିବା ନେଇ ସୁର ବାରମ୍ବାର କହିବା ପରେ ସ୍ଥାନୀୟ କିଛି କଂଗ୍ରେସ ନେତା ଟିକଟ ଆଶାରେ ମୁଣ୍ଡ ଟେକିଛନ୍ତି । ରେସ୍‌ରେ ସବୁଠୁ ଅଧିକ ଚର୍ଚ୍ଚା ସୁରଙ୍କ ପୁତୁରା ତଥା ପୂର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟଙ୍କୁ ନେଇ । ପୂର୍ବରୁ ୨୦୧୪ରେ ସେ ନିର୍ଦ୍ଦଳୀୟ ବିଧାୟକ ପ୍ରାର୍ଥୀ ସାଜି ୫ ହଜାରରୁ ଅଧିକ ଭୋଟ ପାଇଥିଲେ । ଏହି ଭୋଟ ହିଁ ସେତେବେଳେ ସୁରଙ୍କ ପରାଜୟର ଅନ୍ୟତମ ବଡ଼ କାରଣ ହୋଇଥିଲା । ଆଗାମୀ ନିର୍ବାଚନ ପୂର୍ବରୁ ଜଟଣୀ ପାଇଁ ସୁର ନିଜ ସାନ ପୁଅ ମନ୍ମଥଙ୍କୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଛନ୍ତି । ମନ୍ମଥ ସିଧା କଂଗ୍ରେସ ଟିକଟକୁ ନା କହିଥିବାବେଳେ କଂଗ୍ରେସ ମଧ୍ୟ ତାଙ୍କୁ ଦଳରୁ ବିଦା କରିଛି । ଏହି ସୁଯୋଗରେ କଂଗ୍ରେସ ଟିକଟ ପାଇଁ ଆଶାୟୀ ଭାବେ ଓହ୍ଲାଇଛନ୍ତି ସୁରଙ୍କ ପୁତୁରା ସଂଗ୍ରାମ । ଏବେ ବି ସେ ଜଟଣୀ ମ୍ୟୁନିସିପାଲିଟିରେ କାଉନସିଲର ଅଛନ୍ତି । 

ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ ମଧ୍ୟ କଂଗ୍ରେସ ଟିକଟ ଦୌଡ଼ରେ ଆଉ ଜଣେ ଦାବିଦାର । ପୂର୍ବତନ ପିସିସି ସମ୍ପାଦକ ରସିକ ପଟ୍ଟନାୟକ ବି କଂଗ୍ରେସ ଟିକଟ ଆଶାୟୀ ତାଲିକାରେ ଥିବା ଚର୍ଚ୍ଚା ହେଉଛି । 

ଏହାବାଦ୍‌ ଆଉ ଏକ ସମ୍ଭାବନା ଚର୍ଚ୍ଚାରେ ରହିଛି । ଶେଷ ମୂହୂର୍ତ୍ତରେ  ଶୂନ୍ୟରୁ ଖସି ଅନ୍ୟ ଦଳର ଅସନ୍ତୁଷ୍ଟ ନେତା କଂଗ୍ରେସ ଟିକଟ ନେଇପାରନ୍ତି । ସଂଗ୍ରାମ କହିଛନ୍ତି, ଯଦି ଦାଦା (ସୁର ରାଉତରାୟ) ଏଥର ପ୍ରାର୍ଥୀ ନ ହୁଅନ୍ତି, ସେ ନିଶ୍ଚିତ ଭାବେ କଂଗ୍ରେସ ଟିକେଟ ପାଇଁ ଆବେଦନ କରିବେ । ସେ କଂଗ୍ରେସର ରାଜ୍ୟସ୍ତରୀୟ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ଥରେ ଉପାଧ୍ୟକ୍ଷ, ଦୁଇଥର ପୌରାଧ୍ୟକ୍ଷ ରହିବା ସହ ୧୯୯୨ ମସିହାରୁ ସେ କଂଗ୍ରେସ ଦଳରେ ରହିଥିବାରୁ ଦଳୀୟ ଟିକେଟ ପାଇବା ପାଇଁ ସେ ପ୍ରମୁଖ ଦାବିଦାର ଥିବା କୁହାଯାଉଛି।

ଅଶୋକ କହିଛନ୍ତି, ୩୦ ବର୍ଷରୁ ଅଧିକ ସମୟ ଧରି ସେ କଂଗ୍ରେସ ଦଳରେ ଅଛନ୍ତି । ବିଧାୟକ ଶ୍ରୀ ରାଉତରାୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିବା ପରେ ଦଳୀୟ ଟିକେଟ ପାଇଁ ସେ ଆବେଦନ କରିଛନ୍ତି । ସେ ପୂର୍ବରୁ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସର ବିଭିନ୍ନ ପଦ ପଦବୀରେ ଦୀର୍ଘବର୍ଷ କାର୍ଯ୍ୟ କରିଛନ୍ତି । ଜଣେ ଶୃଙ୍ଖଳିତ ସଭ୍ୟ ଭାବେ ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ସେ ମାନିବେ । ଅନ୍ୟତମ ଆଶାୟୀ ରସିକ ପଟ୍ଟନାୟକ ମଧ୍ୟ ସମାନ କଥା କହିଛନ୍ତି । ସେ ମଧ୍ୟ ଦଳୀୟ ଟିକେଟ ପାଇଁ ଆବେଦନ କରିବେ ବୋଲି ସୂଚନା ଦେଇଛନ୍ତି । 

ମାତ୍ର ଜଟଣୀରେ କଂଗ୍ରେସର ରଣନୀତି ପୂରାପୂରି ନିର୍ଭର କରୁଛି ବିଧାୟକ ସୁରଙ୍କ ଆଭିମୁଖ୍ୟ ଉପରେ । ପ୍ରଥମ କଥା ହେଲା, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅନୁରୋଧ ପରେ ସୁର ନିଜେ ଲଢ଼ିବେ ନା ନାହିଁ? ଯଦି ସୁର ଲଢ଼ିବେନି-କାହାକୁ ସମର୍ଥନ କରିବେ? ତାଙ୍କ ପୁଅ ଅନ୍ୟ ଦଳରୁ ପ୍ରାର୍ଥୀ ହେଲେ, ଜଟଣୀ କଂଗ୍ରେସରେ କ’ଣ ରହିବ ସୁରଙ୍କ ଭୂମିକା? କୁଆଡ଼େ ଯିବ ସୁରଙ୍କ ପାରମ୍ପରିକ ଭୋଟ ବ୍ୟାଙ୍କ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଜଟଣୀ କଂଗ୍ରେସ ।

Copyright © 2022 - Summa Real Media Private Limited. All Rights Reserved.