ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଗାମୀ ନିର୍ବାଚନ ପାଇଁ ବାରବାଟୀ-କଟକ ବିଧାନସଭା କ୍ଷେତ୍ର ପ୍ରସ୍ତୁତି.. ନୂଆ ମୁହଁ ଖୋଜୁଛି ବିଜେପି

କଟକ,୩୦/୧୧: ବାରବାଟୀ-କଟକ ବିଧାନସଭା କ୍ଷେତ୍ରରେ ୨୦୦୯ ପରଠାରୁ ଆଉ ବିଜୟ ଧାରାକୁ ଫେରି ପାରିନାହାନ୍ତି ବିଜେପିର ବରିଷ୍ଠ ନେତା ତଥା ତିନିଥରର ବିଧାୟକ ସମୀର ଦେ । ଚୌଦ୍ୱାର-କଟକରେ ଭୋଟ ହାର ବଢୁଥିଲେ ମଧ୍ୟ ବିଜୟର ସ୍ୱାଦ ପାଇ ପାରୁନାହାନ୍ତି ବରିଷ୍ଠ ନେତା ନୟନ କିଶୋର ମହାନ୍ତି । କଟକ ସଦର ବିଧାନସଭା କ୍ଷେତ୍ରରୁ ତିନି ଥର ପରାସ୍ତ ହୋଇସାରିଲେଣି ଦିଲ୍ଳୀପ ମଲ୍ଳିକ । ତେଣୁ ଏଥର ତିନି ବିଧାନସଭା କ୍ଷେତ୍ରରେ ପୁରୁଣା ପ୍ରାର୍ଥୀ ଓ ପୁରୁଣା ନେତାଙ୍କ ଉପରେ ଦଳ ଆସ୍ଥା ସ୍ଥାପନ କରିବ ନା ନୂଆ ଯୁବ ନେତୃତ୍ୱକୁ ସୁଯୋଗ ଦେବ, ତାହା ଏବେ କଟକ ନଗର ବିଜେପି ପାଇଁ ପ୍ରଶ୍ନ ହୋଇ ଠିଆ ହୋଇଛି । ଅବଶ୍ୟ ତିନିଟି ଆସନ ମଧ୍ୟରୁ ବାରବାଟୀ-କଟକ ଓ କଟକ ସଦରରେ ଏଥର ପ୍ରାର୍ଥୀ ବଦଳର ସମ୍ଭାବନା ରହିଛି । ତେବେ ବଦଳ ପ୍ରାର୍ଥୀ ଭାବେ କୌଣସି ପୁରୁଣା ଓ ବରିଷ୍ଠ ନେତାଙ୍କୁ ସୁଯୋଗ ଦିଆଯିବ ନା ଯୁବ ନେତୃତ୍ୱଙ୍କୁ ଆଗକୁ ଛଡ଼ାଯିବ ସେ ନେଇ ବି ଚର୍ଚ୍ଚା ଲାଗି ରହିଛି । 

ବାରବାଟୀ-କଟକ ବିଧାନସଭା କ୍ଷେତ୍ରରେ ୧୯୯୫, ୨୦୦୦ ଏବଂ ୨୦୦୪ରେ ବିଜେପି-ବିଜେଡି ମେଣ୍ଟ ପ୍ରାର୍ଥୀ ଭାବେ ସମୀର ଦେ’ ହାଟ୍ରିକ ବିଜୟ ହାସଲ କରିଥିଲେ । କିନ୍ତୁ ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ସମୀର ଏଠାରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ । ତାଙ୍କ ଭୋଟ୍‌ ହାର ୧୫.୫୭%କୁ ଖସି ଆସିଥିଲା । ୨୦୧୪ରେ ଦଳ ପ୍ରଦୀପ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଥିଲା । ସେ ବି ପରାଜୟର ସମ୍ମୁଖୀନ ହୋଇଥିଲେ । ପୁନର୍ବାର ବିଜେପି ୨୦୧୯କୁ ସମୀରଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ଏଥିରେ ବି ସମୀର ଦେ’ ଭୋଟରଙ୍କ ବିଶ୍ୱାସ ଜିତି ପାରିନଥିଲେ । ଆଉ କେତେଟା ମାସ ପରେ ସାଧାରଣ ନିର୍ବାଚନ । ସ୍ୱାସ୍ଥ୍ୟାବସ୍ଥା କାରଣରୁ ସମୀରଙ୍କୁ ଆଉ ବିଶେଷ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ । ତେଣୁ ଏଠାରେ ନୂଆ ପ୍ରାର୍ଥୀ ଆସିପାରନ୍ତି । ଦଳର ବରିଷ୍ଠ ନେତା ବିନୋଦ ଦାଶଙ୍କଠାରୁ ଆରମ୍ଭ କରି ନିକଟରେ ଦଳରେ ସାମିଲ ହୋଇଥିବା ବିଶିଷ୍ଟ ଚିକିତ୍ସକ ପ୍ରଫେସର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର, ନଗର ସଭାପତି ଲଲାଟେନ୍ଦୁ ବଡୁ, ବରିଷ୍ଠ ନେତ୍ରୀ ସ୍ମୃତି ପଟ୍ଟନାୟକ ଏମିତି ଅନେକଙ୍କ ନାଁ ଦୌଡ଼ରେ ଥିବା ଶୁଣିବାକୁ ମିଳୁଛି । କିଛି ଯୁବ ନେତା ବି ନିଜ ଆଡୁ ଉଦ୍ୟମ କରୁଛନ୍ତି । ତେଣୁ ଦଳ ପାଇଁ ପ୍ରାର୍ଥୀ ଚୟନ କରିବା କାଠିକର ପାଠ ହେବ ବୋଲି କୁହାଯାଉଛି ।

କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ଶେଷ ତିନିଟି ନିର୍ବାଚନରେ ବିଜେପି ଯୁବ ନେତା ଦିଲ୍ଲୀପ ମଲ୍ଲିକଙ୍କ ଉପରେ ବେଶ୍‌ ଭରସା କରି ଆସିଥିଲା । ୨୦୧୯ ନିର୍ବାଚନରେ ତାଙ୍କ ଭୋଟ୍‌ ହାର୍‌ ୩୮.୬୭%ରେ ପହଞ୍ଚିଥିଲା । କିନ୍ତୁ ଭୋଟ୍‌ ହାର୍‌ ବଢ଼ିଥିଲେ ମଧ୍ୟ ଏହା ତାଙ୍କ ବିଜୟର ପଥକୁ ସୁଗମ କରିପାରିନାହିଁ । ଦିଲ୍ଲୀପ ମଧ୍ୟ ଅସୁସ୍ଥତା କାରଣରୁ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ତେଣୁ କିଶୋରନଗରର ଯୁବନେତା ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଏବଂ ନିଶ୍ଚିନ୍ତକୋଇଲି ଉତ୍ତରକୂଳ ପଞ୍ଚାୟତର ଯୁବନେତା ପ୍ରଦୀପ ବେହେରାଙ୍କର ବିଭିନ୍ନ ସ୍ଥାନରେ ହୋର୍ଡିଂ ଏବଂ ପ୍ରଚାର ସେମାନଙ୍କ ପ୍ରାର୍ଥିତ୍ୱ ସମ୍ଭାବନାକୁ ସୁଦୃଢ଼ କରିଛି । ତେବେ ସେମାନଙ୍କ ପ୍ରାର୍ଥିତ୍ୱ ଯେ ନିଶ୍ଚିତ ତାହା କେହି ହେବ ନାହିଁ । ଅନ୍ୟ କୌଣସି ନୂଆ ମୁହଁ ଅଚାନକ ଆବିର୍ଭାବ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରୁନାହିଁ । ହୁଏତ କୌଣସି ଭେଟେରାନ ନେତାଙ୍କୁ ବି ଏଠାରେ ଶେଷ ମୁହୂର୍ତ୍ତରେ ଥଇଥାନ କରାଯାଇପାରେ ।

ଚୌଦ୍ୱାର-କଟକରେ ବି ସମାନ ସ୍ଥିତି । କାରଣ ଏଠାରେ ଶେଷ ତିନିଥର ବରିଷ୍ଠ ନେତା ନୟନ କିଶୋର ମହାନ୍ତିଙ୍କ ଉପରେ ଦଳ ଭରସା କରିଆସିଛି । ଗତ ନିର୍ବାଚନରେ ନୟନ ଭଲ ଲଢେଇ କରିଥିଲେ । ତାଙ୍କ ଭୋଟ୍‌ ହାର୍‌ ୩୨%ରେ ପହଞ୍ଚିଥିଲେ ମଧ୍ୟ ସେ ବିଜୟୀ ହୋଇ ପାରିନଥିଲେ । ନୟନ ବାରମ୍ବାର ପରାସ୍ତ ହୋଇଥିବାରୁ ଏବେ ଏଠାରେ ବହୁ ଆଶାୟୀ ନିଜ ଉପସ୍ଥିତି ଜାହିର କରିବାରେ ଲାଗିଛନ୍ତି । ବିଶେଷକରି ଯୁବ ନେତା ସନ୍ତୋଷ ମହାନ୍ତିଙ୍କ ଆବିର୍ଭାବ ଏହି ଆଶଙ୍କାକୁ ଅଧିକ ମଜଭୁତ କରିଛି । ସେ ସିଧାସଳଖ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଆଶୀର୍ବାଦ ନେଇ ଚୌଦ୍ୱାରରୁ ନିଜର ପ୍ରଚାର ଅଭିଯାନ ଜୋର୍‌ଦାର୍‌ ଆରମ୍ଭ କରିଛନ୍ତି । ପୂର୍ବରୁ ସେ କଂଗ୍ରେସରେ ରହି ଚୌଦ୍ୱାର ଅଞ୍ଚଳରେ ନିଜର ସଙ୍ଗଠନ ତିଆରି କରିଥିବା ବେଳେ ଏବେ ବିଜେପିରେ ଯୋଗ ଦେଇ ନିଜ ସଙ୍ଗଠନ ସହ ଦଳୀୟ କର୍ମୀଙ୍କୁ ଏକଜୁଟ୍‌ କରିବାରେ ଲାଗିଛନ୍ତି । ଚାଉଳିଆଗଞ୍ଜ ଅଞ୍ଚଳର ଯୁବନେତା ପ୍ରମୋଦ ସାହୁ ମଧ୍ୟ ପ୍ରାର୍ଥିତ୍ୱ ଆଶାରେ ବିଭିନ୍ନ କାର୍ଯ୍ୟକ୍ରମ ଚଳାଇଛନ୍ତି । ଏଭଳି ସ୍ଥିତିରେ ପ୍ରଥମ ଥର ପାଇଁ ତିନି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଚୟନ କରିବା ବିଜେପି ପାଇଁ ଅନେକ ଚାଲେଞ୍ଜ ଓ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.