ଶକ୍ତି ଉପାସନାର ଏକ ମୁଖ୍ୟ ଅଂଶ ତନ୍ତ୍ର ଉପାସନା । ତନ୍ତ୍ର କୌଣସି ଶାସ୍ତ୍ର ନୁହେଁ, ଏହା ଏକ ସାଧନା । ଶାକ୍ତ ଉପାସକଙ୍କ ମତରେ ତନ୍ତ୍ର ସାଧନା ଦ୍ୱାରା ଦେବୀଙ୍କ ଆରାଧନା ସଂପୂର୍ଣ୍ଣ ହୋଇଥାଏ । ତନ୍ତ୍ର ବିନା ମନ୍ତ୍ର ଅଧୁରା । ତନ୍ତ୍ର ଓ ମନ୍ତ୍ରର ସମନ୍ୱୟରେ ପରିପୂର୍ଣ୍ଣ ହୋଇଥାଏ ସାଧନା । ପ୍ରାଚୀନ କାଳରୁ ଆମ ଦେଶର ଅନେକ ଶକ୍ତିପୀଠରେ ତନ୍ତ୍ର ସାଧନା ଗୁରୁତ୍ୱ ପାଇଆସିଛି । ତେବେ ଯୋଗିନୀ ମନ୍ଦିରକୁ ତନ୍ତ୍ର ସାଧନାର ଅନ୍ୟତମ ପୀଠସ୍ଥାନ ବୋଲି ଦର୍ଶାଯାଇଥାଏ । ଯୋଗିନୀମାନଙ୍କ ସାଧନା ଦ୍ୱାରା ତନ୍ତ୍ରସାଧକମାନେ ସିଦ୍ଧି ଲାଭ କରିଥାଆନ୍ତି ବୋଲି ଅତୁଟ ବିଶ୍ୱାସ ରହିଛି ।
ଭାରତୀୟ ଧର୍ମ ବିଶ୍ୱାସରେ ତନ୍ତ୍ର ବିଦ୍ୟାର ମହତ୍ତ୍ୱ ଯୁଗ ଯୁଗ ଧରି ରହିଆସିଛି । ସାଧାରଣତଃ ଶକ୍ତିପୀଠଗୁଡ଼ିକରେ ତନ୍ତ୍ର ସାଧନା ହୋଇଥାଏ ବୋଲି କୁହାଯାଏ । ତେବେ ପ୍ରାଚୀନ ସମୟରେ ତନ୍ତ୍ରସାଧକମାନେ ସିଦ୍ଧି ଲାଭ ପାଇଁ ଯୋଗିନୀ ମନ୍ଦିରଗୁଡ଼ିକୁ ହିଁ ସର୍ବୋତ୍କୃଷ୍ଟ ବୋଲି ଭାବୁଥିଲେ । ହୁଏତ ତନ୍ତ୍ରସାଧକମାନଙ୍କର ଏଭଳି ବିଶ୍ୱାସ ପାଇଁ ଆମ ଦେଶରେ ଯୋଗିନୀ ମନ୍ଦିର ତିଆରି ହୋଇଥିଲା । ଯୋଗିନୀ ମନ୍ଦିରରେ ଜଣେ ବା ଦୁଇଜଣ ଯୋଗିନୀ ନୁହନ୍ତି ବରଂ ଚଉଷଠି ଜଣ ଯୋଗିନୀଙ୍କର ଉପାସନା ହୋଇଥାଏ ।
ଚଉଷଠି ଯୋଗିନୀ ପୀଠ, ରାଣୀପୁର-ଝରିଆଲ ପ୍ରାଚୀନ କଳାସଂସ୍କୃତି, ପରମ୍ପରା, ପର୍ଯ୍ୟଟନ ତଥା ଐତିହ୍ୟ ଆଦି ପାଇଁ ବିଶ୍ୱ ଦରବାରରେ ଓଡିଶା ପ୍ରମୁଖ ସ୍ଥାନ ହାସଲ କରିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରାଚୀନ କଳାକୃତି, ଶହଶହ ବର୍ଷଧରି ରହିଥିବା ପ୍ରାଚୀନ ମୂର୍ତ୍ତି, କୀର୍ତ୍ତିରାଜି ପାଇଁ ବେଶ ପରିଚିତ । ତନ୍ମଧ୍ୟରୁ ଅନ୍ୟତମ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ରାଣୀପୁର-ଝରିଆଲର ଚଉଷଠୀ ଯୋଗିନୀ ମନ୍ଦିର । ଏଠାରେ ବୌଦ୍ଧଯୁଗୀୟ ଶିଳ୍ପକଳାର ନିଦର୍ଶନ ଦେଖିବାକୁ ମିଳେ । ବଲାଙ୍ଗୀର ଜିଲ୍ଲାରେ ତନ୍ତ୍ର ସାଧନାର ବିରଳ କୀର୍ତ୍ତିରାଜି ଦେଖିବାକୁ ମିଳେ ବିଶ୍ୱ ପ୍ରସିଦ୍ଧ ଚଉଷଠି ଯୋଗିନୀ ପୀଠରେ । ଜିଲା ସଦର ମହକୁମା ଠାରୁ ୧୦୭ କି.ମି. ତଥା ବଙ୍ଗୋମୁଣ୍ଡା ବ୍ଲକ ସଦରମହକୁମାଠାରୁ ୧୨ କି.ମି. ଦୂରରେ ରହିଛି ଏହି ଐତିହାସିକ ଯୋଗିନୀ ପୀଠ ।
ସପ୍ତମରୁ ନବମ ଶତାବ୍ଦୀ ମଧ୍ୟରେ ସୋମବଂଶୀ ରାଜାଙ୍କ ଶାସନ ସମୟରେ ରାଣୀପୁର ଝରିଆଲ(ଜିଲ୍ଳାର ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ) ଠାରେ ଏକଦା ଏକ ତନ୍ତ୍ର ବିଶ୍ୱବିଦ୍ୟାଳୟ(ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥଙ୍କ କୋଶଳ ଇତିହାସ)ରହିଥିଲା । ବିଭିନ୍ନ ରାଜ୍ୟରୁ ତନ୍ତ୍ର ସାଧକମାନେ ଆସି ସେଠାରେ ସାଧନା କରୁଥିଲେ । ଉଭୟ ସ୍ଥାପତ୍ୟ ଓ ଧର୍ମୀୟ ଦୃଷ୍ଟିରୁ ଚଉଷଠି ଯୋଗିନୀ ପୀଠର ସ୍ୱାତନ୍ତ୍ର୍ୟ ରହିଛି । ଏକ ଛୋଟ ପାହାଡ଼ ଉପରେ ବୃତ୍ତାକାରରେ ରହିଛି ଚଉଷଠି ଯୋଗିନୀ ମନ୍ଦିର । କ୍ରମାନ୍ୱୟରେ ବିଭିନ୍ନ ଅଙ୍ଗଭଙ୍ଗୀରେ ଯୋଗିନୀମାନଙ୍କର ମୂର୍ତ୍ତି ରହିଥିବା ବେଳେ ମଧ୍ୟ ଭାଗରେ ତିନି ଶିର, ଅଷ୍ଟଭୂଜ ବିଶିଷ୍ଟ ଉଦ୍ଧ୍ୱର୍ ଲିଙ୍ଗୀ ଶିବ ତାଣ୍ଡବ ମୁଦ୍ରାରେ ଦଣ୍ଡାୟମାନ । ନିକଟରେ ଛୋଟଛୋଟ ଶିଳାଖଣ୍ଡ ନିର୍ମିତ ଏକାଧିକ ମନ୍ଦିର ରହିଛି ।
ଯୋଗିନୀ ପୀଠ ସମ୍ମୁଖରେ ପଥର ଚଟାଣରେ ୫ ଏକର ବିଶିଷ୍ଟ ଏକ ଜଳାଶୟ ରହିଛି ଏବଂ ଜଳାଶୟ ସେପଟେ ପାହାଡ଼ର ବାମ ପଟେ ରହିଛି ଇଟା ନିର୍ମିତ ଇନ୍ଦ୍ରଲାଠ ମନ୍ଦିର । ଡାହାଣ କଡ଼େ ରହିଛି ସୋମେଶ୍ୱର ମନ୍ଦିର । ଯୋଗିନୀ ପୀଠ ସମେତ ଏହା ଆଖ ପାଖରେ ଥିବା କଳାକୃତି ବୌଦ୍ଧ ଯୁଗୀୟ ଶିଳ୍ପ କଳାର ନିଦର୍ଶନ ବୋଲି ଐତିହାସିକ ମତ ରହିଛି । ପୀଠରେ ଥିବା କେତେକ ଯୋଗିନୀ ମୂର୍ତ୍ତି ଭାଙ୍ଗିରୁଜି ଯାଇଛି । ପଥର ମୂର୍ତ୍ତି ଗୁଡିକରେ ମୁଲ୍ୟବାନ ଧାତୁ ରହିଥିବା ଭାବି କେତେକ ମୂର୍ତ୍ତି ଚୋରି କରାଯାଇଛି । ସେହିପରି ରକ୍ଷଣାବେକ୍ଷଣ ଅଭାବରୁ ଚଉଷଠି ଯୋଗିନୀଙ୍କ ମଧ୍ୟରୁ ଅନେକ ମୂର୍ତ୍ତି ଅବକ୍ଷୟ ହୋଇସାରିଛି । ନିକଟସ୍ଥ ଝରିଆଲ ଗାଁରେ ଏକ ବିଶାଳ ଲମ୍ବାକୃତି ପ୍ରସ୍ତର ଖଣ୍ଡ ଏବଂ ଏକ ଅର୍ଦ୍ଧନିର୍ମିତ ମନ୍ଦିର ବି ରହିଛି । କୁହାଯାଏ ଯେ, ରାଣୀପୁରରେ ୧୨୦ଟି ଛୋଟବଡ଼ ଯେଉଁ ନାମରେ ଜଣାଯାଆନ୍ତି
ମନ୍ଦିର ରହିଥିଲା । ସେଗୁଡ଼ିକ ଭାଙ୍ଗିରୁଜି ଏବେ ଏହାର ସଂଖ୍ୟା ୪୦ ରହିଛି । ଯୋଗିନୀ ପୀଠକୁ ପ୍ରବେଶ କରନ୍ତେ ଏକ ବିରାଟ ଚଟ୍ଟାଣ ପଥର ଉପରେ ଛୋଟଛୋଟ ପଥରଖଣ୍ଡ ରଖାଯାଇ ବ୍ୟୁହ ସଂରଚନା କରାଯାଇଥିବା ଦେଖିବାକୁ ମିଳେ । ତାହାକୁ ଚକ୍ର ବ୍ୟୁହ କୁହାଯାଏ । ଚକ୍ରବ୍ୟୁହର ଉପର ଭାଗରେ ଶଙ୍ଖବ୍ୟୁହ ନାମରେ ଆଉ ଏକ ବ୍ୟୁହ ରହିଛି । କୁହାଯାଏ, ଯୋଗିନୀ ପୀଠକୁ ତନ୍ତ୍ର ବିଦ୍ୟା ଶିକ୍ଷା ପାଇଁ ଆସୁଥିବା ଛାତ୍ରମାନଙ୍କ ପାଇଁ ତାହା ପ୍ରବେଶିକାର ପରିଚାୟକ ଥିଲା । ବିଦ୍ୟାଦାନ ପୂର୍ବରୁ ଛାତ୍ରମାନଙ୍କୁ ବ୍ୟୁହ ଭେଦ କରିବାକୁ ପଡୁଥିଲା । ବ୍ୟୁହ ଭିତରକୁ ପ୍ରବେଶକରି ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟୁହକୁ ଭେଦ କରିପାରୁଥିବା ଛାତ୍ରମାନଙ୍କୁ ଶିକ୍ଷାଦାନ କରାଯାଉଥିଲା ।
ଉଭୟ ବ୍ୟୁହକୁ ନେଇ ଜନଶ୍ରୁତି ରହିଥିବା ବେଳେ ଏ ନେଇ କୌଣସି ପ୍ରମାଣିକ ତଥ୍ୟ ଏବେ ଆଉ ନାହିଁ । ଏବେ ଉକ୍ତ ବ୍ୟୁହଦ୍ୱୟ କେବଳ ଏକ ସ୍ମାରକୀ ଭାବରେ ରହିଛି । ରାଣୀପୁର-ଝରିଆଲକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ବ୍ୟୁହ ମଧ୍ୟ ଆକର୍ଷିତ କରିଥାଏ ।